ଭୁବନେଶ୍ବର: ୨୦୨୫-୨୬ ଆର୍ଥିକବର୍ଷ ପାଇଁ ଆଜି ସଂସଦରେ ଅର୍ଥମନ୍ତ୍ରୀ ଆଗତ କରିଥିବା ବଜେଟ୍ରେ ଓଡ଼ିଶାକୁ ୯୧୭୬ କୋଟି ଟଙ୍କା ଅଧିକ ରାଶି ଗତ ବଜେଟ୍ ତୁଳନାରେ ପ୍ରଦାନ କରିଛନ୍ତି। ୨୦୨୪-୨୫ ବର୍ଷ ପାଇଁ ଓଡ଼ିଶାକୁ କେନ୍ଦ୍ର ଟିକସରୁ ରାଜ୍ୟ ଅଂଶ ବାବଦରେ ୫୫ ହଜାର ୨୩୨ କୋଟି ଟଙ୍କା ମିଳିଥିଲା। ୨୦୨୫-୨୬ ବଜେଟ୍ରେ ଏହି ରାଶି ୬୪ ହଜାର ୪୦୮ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଏହି ବର୍ଦ୍ଧିତ ରାଶିକୁ ରାଜ୍ୟ ସରକାର ବିଭିନ୍ନ କଲ୍ୟାଣ ମୂଳକ କାର୍ଯ୍ୟରେ ଲଗାଇବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଶ୍ରୀ ମାଝୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଫୋକସ୍ରେ ଓଡ଼ିଶା ରହିଛି ଏବଂ ଓଡ଼ିଶା ବିକାଶର ନୂତନ ଶିଖର ଛୁଇଁବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଅର୍ଥମନ୍ତ୍ରୀ ଉପସ୍ଥାପନ କରିଥିବା ଆଜିର ବଜେଟ୍ ଐତିହାସିକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥର ବଜେଟ୍ର ଆକାର ରେକର୍ଡ ୫୦ ଲକ୍ଷ ୬୫ ହଜାର କୋଟି ଟଙ୍କା ରହିଛି ଯାହା ଦେଶର ପ୍ରଗତି ଏବଂ ବିକାଶକୁ ଏକ ନୂତନ ଦିଶା ପ୍ରଦାନ କରିବ। ଚଳିତ ବଜେଟ୍ ସମାଜର ପ୍ରତ୍ୟେକ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ। ଚାଷୀ, ଦିନମଜୁରିଆ, ମଧ୍ୟମ ବର୍ଗ, ଚାକିରିଆ, ମହିଳା, ଯୁବ, ଛାତ୍ର ସମସ୍ତଙ୍କ ପାଇଁ ଏହି ବଜେଟ୍ରେ କିଛି ନା କିଛି ଭଲ ଖବର ଅଛି।
ମଧ୍ୟବିତ୍ତ ପରିବାରଙ୍କ ଆଶା ଆକାଂକ୍ଷାକୁ କେନ୍ଦ୍ର ସରକାର ପୂରଣ କରିବାରେ ସମର୍ଥ ହୋଇଛନ୍ତି। ଗତକାଲି ସଂସଦ ଅଧିବେଶନ ଆରମ୍ଭ ହେବାର ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବଜେଟ୍ରେ ଗରିବ ଏବଂ ମଧ୍ୟବିତ୍ତଙ୍କ ଉପରେ ମା’ ଲକ୍ଷ୍ମୀ କୃପାଦୃଷ୍ଟି ବର୍ଷିବ। ଆଜି ଠିକ୍ ସେଇଆ ହିଁ ହୋଇଛି। ଆୟକରଦାତାଙ୍କ ପାଇଁ ୧୨ଲକ୍ଷ ଟଙ୍କା ଅର୍ଥାତ ମାସକୁ ଏକ ଲକ୍ଷ ଟଙ୍କା ରୋଜଗାର କରୁଥିବା ବ୍ୟକ୍ତିଙ୍କ ପାଇଁ କୌଣସି ଟିକସ ଦେବାକୁ ପଡ଼ିବ ନାହିଁ। ଏହାଦ୍ୱାରା ସେମାନେ ଅତି କମ୍ରେ ପ୍ରାୟ ୮୦ହଜାର ଟଙ୍କା ସଞ୍ଚୟ କରିବେ ଯାହା ଭାରତୀୟ ଅର୍ଥନୀତିକୁ ଆହୁରି ସୁଦୃଢ଼ କରିବ। ଏହା ହେଉଛି ପ୍ରକୃତରେ ମୋଦୀ ଗ୍ୟାରେଣ୍ଟି- ଯାହା କୁହନ୍ତି, ତାହା କରନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ପ୍ରଧାନମନ୍ତ୍ରୀଙ୍କ ହୃଦୟରେ ଅନ୍ନଦାତାଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ଅଛି। ଏଥର ବଜେଟରେ ୧୦୦ ଗୋଟି ଜିଲ୍ଲାରେ ଉତ୍ପାଦକତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଚାଷୀ ଭାଇ ଓ ଭଉଣୀଙ୍କ ପାଇଁ ‘ଧନଧାନ୍ୟ କୃଷି ଯୋଜନା’ ଆସିଛି, ଯାହା ଚାଷୀଙ୍କ ଆୟ ବୃଦ୍ଧି କରିବା ପାଇଁ ସହାୟକ ହେବ। ଏହି ନୂତନ ଯୋଜନାରେ ଦେଶର ୧କୋଟି ୭୦ଲକ୍ଷ ଚାଷୀ ଉପକୃତ ହେବେ। ପରିବର୍ତ୍ତିତ ସୁଧ ରିହାତି ଯୋଜନା ଅଧୀନରେ କିଷାନ କ୍ରେଡିଟ୍ କାର୍ଡ ମାଧ୍ୟମରେ ଋଣ ସୀମା ୩ଲକ୍ଷ ଟଙ୍କାରୁ ୫ଲକ୍ଷ ଟଙ୍କାକୁ ବୃଦ୍ଧି ଘୋଷଣା ଚାଷୀମାନଙ୍କୁ ଆବଶ୍ୟକୀୟ ନଗଦ ରାଶି ଯୋଗାଇବାରେ ସହାୟକ ହେବ। ନୂତନ ରୋଜଗାର ସୃଷ୍ଟି କରିବା ପାଇଁ ଚଳିତ ବଜେଟ୍ରେ ରେକର୍ଡ ୧୫ଲକ୍ଷ ୫୦ହଜାର କୋଟି ଟଙ୍କାର ପୁଞ୍ଜି ଖର୍ଚ୍ଚ ପ୍ରାବଧାନ କରାଯାଇଛି। ଏଥିସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୫୪ହଜାର ୮୩୨କୋଟି ଟଙ୍କା ପ୍ରାବଧାନ କରାଯାଇଛି, ଯାହା ଚଳିତ ବର୍ଷ ପାଇଁ ୩୨ ହଜାର ୪୨୬କୋଟି ଟଙ୍କା ଥିଲା।
ଏହି ବର୍ଦ୍ଧିତ ପ୍ରାବଧାନର ଲାଭ ଓଡ଼ିଶା ମଧ୍ୟ ପାଇବ ଏବଂ ଆସନ୍ତା ବର୍ଷ ଆମେ ରେକର୍ଡ ସଂଖ୍ୟକ ଗୃହ ରାଜ୍ୟର ଗରିବ ଲୋକଙ୍କୁ ଯୋଗାଇଦେବୁ। ଜଳ ଜୀବନ ମିସନ ଯୋଜନାରେ ରେକର୍ଡ ୬୭ ହଜାର କୋଟି ଟଙ୍କାର ପ୍ରାବଧାନ କରାଯାଇଛି, ଯାହା ଚଳିତ ବଜେଟ୍ରେ ୨୨ହଜାର ୬୯୪ କୋଟି ଟଙ୍କା ଥିଲା। ଏହାଦ୍ୱାରା ଆସନ୍ତା ଦୁଇବର୍ଷ ମଧ୍ୟରେ ରାଜ୍ୟର ସବୁ ଗ୍ରାମକୁ ଶୁଦ୍ଧ ପିଇବା ପାଣି ଯୋଗାଇ ଦେବା ନେଇ ଆମ ସରକାରଙ୍କ ଲକ୍ଷ୍ୟ ନିଶ୍ଚିତ ଭାବେ ପୂରଣ ହେବ। ପ୍ରଧାନମନ୍ତ୍ରୀ ସଦା ସର୍ବଦା କହି ଆସୁଛନ୍ତି ଯେ ଦେଶରେ ଚାରିଗୋଟି ଜାତି ଅଛନ୍ତି, ସେମାନେ ହେଲେ ଗରିବ, ଯୁବ ବର୍ଗ, ମହିଳା ଏବଂ କୃଷକ। ଚଳିତ ବର୍ଷର ବଜେଟ୍ ମଧ୍ୟ ଏମାନଙ୍କ ପାଇଁ ଉଦ୍ଦିଷ୍ଟ। ଦେଶର ସର୍ବାଙ୍ଗୀନ ଉନ୍ନତି ପାଇଁ ଏହି ବଜେଟରେ କୃଷି, ଏମ୍ଏସ୍ଏମ୍ଇ, ନିବେଶ ଏବଂ ରପ୍ତାନି ବିକାଶ ଚାରିଟି ଅଭିବୃଦ୍ଧି ଇଞ୍ଜିନ ଭାବେ କାର୍ଯ୍ୟ କରିବ। ମୋଟାମୋଟି ଭାବେ ୨୦୨୫-୨୬ ବଜେଟ ହେଉଛି ଲୋକାଭିମୁଖୀ, ଲୋକକଲ୍ୟାଣକାରୀ, ରୋଜଗାର ସୃଷ୍ଟିକାରୀ ଏବଂ ବିକାଶମୁଖୀ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)