ପୁଞ୍ଜି ନିବେଶ ପାଇଁ କେନ୍ଦ୍ର-ରାଜ୍ୟ ବଳ କଷାକଷି
ରାଜନୈତିକ ପ୍ରସଙ୍ଗକୁ ନେଇ ବିଜେଡି-ବିଜେପି ଓ କେନ୍ଦ୍ର-ରାଜ୍ୟ ମୁହାଁମୁହିଁ ହେବା ସାଧାରଣ କଥା। କିନ୍ତୁ ଆଜି ଏକ ଭିନ୍ନ ପ୍ରସଙ୍ଗରେ ଉଭୟ ଚର୍ଚ୍ଚାକୁ ଆସିଛନ୍ତି। ରାଜନୈତିକ ମତମନ୍ତବ୍ୟ ଦେଇ କେହି କାହାର କୁତ୍ସାରଟନା କରିନାହାନ୍ତି। ବରଂ ଉଭୟ ‘ବିକାଶ’କୁ ଏଜେଣ୍ଡା କରି ତାକତ୍ ଦେଖାଇବାକୁ ଉଦ୍ୟମ କରିଛନ୍ତି। ବିଜେଡି ନେତୃତ୍ୱାଧୀନ ରାଜ୍ୟ ସରକାର ଓ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଓଡ଼ିଶାରେ ଶିଳ୍ପାୟନ ପାଇଁ ହୃଦୟ ଖୋଲିଥିବା ସଙ୍କେତ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରେ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଅନ୍ୟ ପଟେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନେତୃତ୍ୱରେ ହୋଟେଲ୍ ମେ’ ଫେୟାରରେ ପେଟ୍ରୋ ରସାୟନ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ହୋଇଛି ମାନସ ମନ୍ଥନ। ଉଭୟ ପକ୍ଷ ହଜାର ହଜାର କୋଟି ଟଙ୍କାର ପୁଞ୍ଜିନିବେଶର ଆଶା ଦେଖାଇବା ସହ ଓଡ଼ିଆଙ୍କ ପାଇଁ ପ୍ରଚୁର ନିଯୁକ୍ତି ସୁଯୋଗର ସ୍ୱପ୍ନ ବୁଣିଛନ୍ତି। ପ୍ରଚାର, ପ୍ରସାରର ସୁଯୋଗକୁ ବି କେହି ହାତଛଡ଼ା କରି ନାହାନ୍ତି।
୧୫ ପ୍ରକଳ୍ପର ଶୁଭାରମ୍ଭ, ୯ ହଜାର ନିଯୁକ୍ତିର ସ୍ୱପ୍ନ,
୨୦୧୮ରେ ପୁଣି ମେକ୍-ଇନ୍-ଓଡ଼ିଶା କନ୍କ୍ଲେଭ୍
ଭୁବନେଶ୍ୱର : ରାଜ୍ୟରେ ଶିଳ୍ପାୟନ କେତେ ଦ୍ରୁତ ଗତିରେ ଚାଲିଛି, ତାହା ଆଜି ସଚିବାଳୟରେ ଦେଖାଇଥିଲେ ରାଜ୍ୟ ସରକାର। ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ୧୪ଟି ପ୍ରକଳ୍ପର ଶିଳାନ୍ୟାସ କରିବା ସହ ଗୋଟିଏ ପ୍ରକଳ୍ପ ଉଦ୍ଘାଟନ କରିଥିଲେ। ଗତ ବର୍ଷ ଭୁବନେଶ୍ୱରରେ ଅନୁଷ୍ଠିତ ‘ମେକ୍-ଇନ୍-ଓଡ଼ିଶା କନ୍କ୍ଲେଭ୍’ରେ ଏହି ପ୍ରକଳ୍ପଗୁଡ଼ିକରେ ପୁଞ୍ଜିନିବେଶ ପାଇଁ କମ୍ପାନିଗୁଡ଼ିକ ଆଗ୍ରହ ପ୍ରକାଶ କରିଥିଲେ। ରାଜ୍ୟରେ ସୀମିତ ସମୟ ଭିତରେ କିପରି ପୁଞ୍ଜିନିବେଶ ପ୍ରକ୍ରିୟା ତ୍ୱରାନ୍ଵିତ କରି ସରକାର ଶିଳ୍ପାୟନ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଛନ୍ତି, ସେହି ବାର୍ତ୍ତା ଦେବାକୁ ସରକାର ଆଜି ଉଦ୍ୟମ କରିଥିଲେ।
ଆଜି ସଚିବାଳୟରେ ରାଜ୍ୟସ୍ତରୀୟ ସିଙ୍ଗଲ୍ ଓ୍ଵିଣ୍ଡୋ କ୍ଲିୟରାନ୍ସ ଅଥରିଟିର ୭୫ତମ ବୈଠକ ବସିଥିଲା। ଏହି ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇ ୧୫ଟି ପ୍ରକଳ୍ପର ଶୁଭାରମ୍ଭ କରାଯାଇଥିଲା। ଏହ ପ୍ରକଳ୍ପଗୁଡ଼ିକରେ ୧୧,୬୯୦ କୋଟି ଟଙ୍କା ପୁଞ୍ଜିନିବେଶ ହେବ। ପାଖାପାଖି ୯ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଆସନ୍ତା ବର୍ଷ ନଭେମ୍ବର ୧୧ରୁ ୧୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ‘ମେକ୍-ଇନ୍-ଓଡ଼ିଶା କନ୍କ୍ଲେଭ୍-୨୦୧୮’ ଅନୁଷ୍ଠିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିୋଲ। ପୁଞ୍ଜିନିବେଶ ଅନୁକୂଳ ପରିବେଶ ପାଇଁ ସରକାର ଆଉ ପାଦେ ଆଗେଇ ଯାଇ ଏକ ସ୍ୱତନ୍ତ୍ର ପୋର୍ଟାଲ୍ ଶୁଭାରମ୍ଭ କରିଛନ୍ତି। ଏହି ସିଙ୍ଗଲ୍ ଓ୍ଵିଣ୍ଡୋ ପୋର୍ଟାଲ୍ ‘ଗୋ ସ୍ୱିଫ୍ଟ’ ମାଧ୍ୟମରେ ଶିଳ୍ପ ସଂସ୍ଥାଗୁଡ଼ିକୁ ସେମାନଙ୍କ ପ୍ରକଳ୍ପଗୁଡ଼ିକର ପୁଞ୍ଜନିିବେଶ ଜନିତ ସମସ୍ତ ଅନୁମୋଦନ ଅନ୍ଲାଇନ୍ ଜରିଆରେ ମିଳିପାରିବ। ୧୫ଟି ବିଭାଗର ୩୨ଟି ଅନୁମୋଦନ ଏହି ପୋର୍ଟାଲ୍ ଜରିଆରେ ମିଳିବାର ବ୍ୟବସ୍ଥା ରହିଛି। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଅନୁମୋଦନ ମିଳିବ। ଏପରି ପୋର୍ଟାଲ୍ ଦେଶରେ ପ୍ରଥମ ବୋଲି ଶିଳ୍ପ ବିଭାଗ ପକ୍ଷରୁ କୁହାଯାଇଛି।
ମୁଖ୍ୟମନ୍ତ୍ରୀ କହିଥିଲେ, ‘ଭିଜନ୍-୨୦୨୫’ ଲକ୍ଷ୍ୟ ପୂରଣ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ ଜାରି ରହିଛି। ଏହା ଦ୍ୱାରା ରାଜ୍ୟର ଫୋକସ୍ କ୍ଷେତ୍ରଗୁଡ଼ିକରେ ୨.୫ କୋଟି ଟଙ୍କାର ପୁଞ୍ଜିନିବେଶ ହେବା ସହ ୩୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ୨୦୧୬ରେ ହୋଇଥିବା ମେକ୍-ଇନ୍-ଓଡ଼ିଶା କନ୍କ୍ଲେଭ୍ରେ ଅଭୂତପୂର୍ବ ସଫଳତା ମିଳିଥିଲା ଓ ୧୦୦ରୁ ଅଧିକ କମ୍ପାନି ୨ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜି ବିନିଯୋଗ ପାଇଁ ଆଗ୍ରହ ଦେଖାଇଥିଲେ। ଏହି ଆଗ୍ରହକୁ ବାସ୍ତବ ପୁଞ୍ଜିନିବେଶରେ ପରିଣତ କରିବା ପାଇଁ ସବୁ ବିଭାଗର ଉଦ୍ୟମକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ। ପୁଞ୍ଜି ବିନିଯୋଗ କ୍ଷେତ୍ରରେ ଓଡ଼ିଶା ଦେଶର ପ୍ରଥମ ତିନି ରାଜ୍ୟ ମଧ୍ୟରେ ରହୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
କାର୍ଯ୍ୟକ୍ରମକୁ ଶିଳ୍ପ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରା ସଂଯୋଜନା କରିଥିଲେ। ଶିଳ୍ପ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀ ଶିଳ୍ପାୟନ ସମ୍ପର୍କରେ ସୂଚନା ଦେଇଥିଲେ। ବିଭିନ୍ନ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଆଜି ଉଦ୍ଘାଟିତ ହୋଇଥିବା ପ୍ରକଳ୍ପ ହେଲା ଫାଲକନ୍ ମେରାଇନ୍ ଏକ୍ସପୋର୍ଟ ଲିମିଟେଡ୍। ଏଥିରେ ପ୍ରାୟ ୯୦ କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଛି। ଶିଳାନ୍ୟାସ ହୋଇଥିବା ପ୍ରକଳ୍ପଗୁଡ଼ିକ ହେଲା ପାରାଦୀପ ଫସ୍ଫେଟ୍ ଲିମିଟେଡ୍ର ସମ୍ପ୍ରସାରଣ, ଶ୍ରୀ ସିମେଣ୍ଟ୍ ଲିମିଟେଡ୍, ରାମ୍କୋ ସିମେଣ୍ଟ୍ ଲିମିଟେଡ୍, ଇମାମି ସିମେଣ୍ଟ, ଜେଏସ୍ଡବ୍ଲ୍ୟୁ ସିମେଣ୍ଟ୍, କେଟିଏଲ୍ ଲଜିଷ୍ଟିକ୍ସ୍, ଓରିକନ୍ ଏଣ୍ଟର୍ପ୍ରାଇଜେସ୍, ଜୟ ଭାରତ ସ୍ପାଇସେସ୍, ଭାରତ ବାୟୋଟେକ୍ ଇଣ୍ଟର୍ନ୍ୟାସ୍ନାଲ୍, ଇଣ୍ଡୋ ନିସିନ୍ ଫୁଡ୍ସ୍, ମାଗନମ୍ ଇଷ୍ଟେଟ୍, ବି-ଓ୍ଵାନ୍ ବିଜ୍ନେସ୍ ହାଉସ୍, ଓଡ଼ିଶା ଟ୍ରାନ୍ସଫର୍ମର୍ସ ଓ ଶାନ୍ତି ସୋଲାର୍।
୩୦ ହଜାର କୋଟିର ନିବେଶ ଯୋଜନା
ଭୁବନେଶ୍ୱରରେ ସ୍ଥାପନ ହେବ ଆଇସିଟି କ୍ୟାମ୍ପସ୍
ଭୁବନେଶ୍ୱର : ପେଟ୍ରୋ ରସାୟନ କ୍ଷେତ୍ରର କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗରେ ନିବେଶ ପାଇଁ ପୂର୍ବ ଭାରତରେ ବ୍ୟାପକ ନିବେଶ ସୁଯୋଗ ରହିଛି। ଏ କ୍ଷେତ୍ରରେ ଆସନ୍ତା ୨ ବର୍ଷ ମଧ୍ୟରେ ୩୦ ହଜାର କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ ସମ୍ଭାବନା ରହିଛି। ଏହି ନିବେଶ ହେଲେ ପୂର୍ବ ଭାରତରେ ୧ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
ଆଜି ଏଠାରେ ଆୟୋଜିତ ପେଟ୍ରୋ ରସାୟନ ସମ୍ମଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସେ କହିଥିଲେ, ଏତେ ବଡ଼ ପୁଞ୍ଜିକୁ ଟାଣିବା ପାଇଁ ରାଜ୍ୟରେ ଏକ ଅନୁକୂଳ ପରିବେଶ ସୃଷ୍ଟି ହେବା ଦରକାର। ଦେଶରେ ପେଟ୍ରୋ ରସାୟନ କ୍ଷେତ୍ରରେ ୨୨ ଲକ୍ଷ ନିଯୁକ୍ତି ସୃଷ୍ଟି ସୁଯୋଗ ରହିଛି। ରାଜ୍ୟରେ ପର୍ଯ୍ୟାପ୍ତ ମାତ୍ରାର କୋଇଲା ଏବଂ ଖଣିଜ ସମ୍ପଦ ମହଜୁଦ ରହିଛି। ଏଥିସହିତ ପାରାଦୀପ, ଧାମରା ଏବଂ ଗୋପାଳପୁର ଭଳି ବନ୍ଦର ମଧ୍ୟ ରହିଛି। ଯଦି ପରିବେଶ ଠିକ୍ ରହେ, ଉପଯୁକ୍ତ ପଦକ୍ଷେପ ନିଆଯାଏ, ତେବେ ପାରାଦୀପ ଏବଂ ଧାମରା ଭଳି ବନ୍ଦରଭିତ୍ତିକ ସହରକୁ ଏସବୁ ପ୍ରକଳ୍ପ ଆସିବା ଲାଗି କୌଣସି ଅସୁବିଧା ରହିବ ନାହିଁ। ଶିଳ୍ପ ସଂସ୍ଥା ପାଇଁ ଆସନ୍ତା ୨୦ ବର୍ଷ ନିମନ୍ତେ କମ୍ ମୂଲ୍ୟରେ ଜମି ଏବଂ ସୁଲଭ ମୂଲ୍ୟରେ ନିରନ୍ତର ବିଜୁଳି ଦର ଘୋଷଣା କରାଯିବା ଦରକାର, ଅନ୍ୟଥା ସେମାନେ ପଡ଼ୋଶୀ ରାଜ୍ୟ ମୁହାଁ ହୋଇପାରନ୍ତି।
ମନ୍ତ୍ରୀ କହିଥିଲେ, ପେଟ୍ରୋଲିୟମ, ରସାୟନ ଏବଂ ପେଟ୍ରୋ ରସାୟନ ନିବେଶ ପାଇଁ ପାରାଦୀପ ଏକ ଉପଯୁକ୍ତ ସ୍ଥାନ। ଭାରତୀୟ ତୈଳ ନିଗମ ପକ୍ଷରୁ ଏଠାରେ ୩୫ ହଜାର କୋଟି ଟଙ୍କାରେ ବାର୍ଷିକ ୧୫ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ତୈଳ ବିଶୋଧନାଗାର ସ୍ଥାପନ ହୋଇସାରିଛି। ଏଥିସହିତ ୩୧୫୦ କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ ଥିବା ବାର୍ଷିକ ୭ ଲକ୍ଷ ଟନ୍ ବିଶିଷ୍ଟ ପଲିପ୍ରପିଲିନ୍ ୟୁନିଟ୍ ମଧ୍ୟ ଆସନ୍ତାବର୍ଷ କାର୍ଯ୍ୟକ୍ଷମ ହେବ। ଏହା ହେଲେ ପଲିମର ଏବଂ ପ୍ଲାଷ୍ଟିକ ଶିଳ୍ପ ପାଇଁ କଞ୍ଚାମାଲ ମିଳିଯିବ। ଏତଦ୍ବ୍ୟତୀତ ଅନ୍ୟାନ୍ୟ ପ୍ରକଳ୍ପ ମଧ୍ୟ ରହିଛି। ଏସବୁ ନିବେଶ ପ୍ରସ୍ତାବ ଗୁଡ଼ିକ କାର୍ଯ୍ୟକ୍ଷମ ହେଲେ ବନ୍ଦର ସହର ପାରାଦୀପ ଏକ ପେଟ୍ରୋ ରସାୟନ ଶିଳ୍ପର କେନ୍ଦ୍ର ପାଲଟିଯିବ। ଓଡ଼ିଶାରେ ସିପେଟ୍ର ଚାରିଟି ଶାଖା ରହିଥିବା ବେଳେ ପାରାଦୀପରେ ଏକ ନୂତନ ସର୍ଭିସ୍ ସେଣ୍ଟର୍ ଖୋଲାଯିବ ବୋଲି ସେ କହିଛନ୍ତି।
ଏହି ସମ୍ମିଳନୀରେ ରାଜ୍ୟର ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ଯୋଗଦେଇ କହିଥିଲେ ରାଜ୍ୟ ସରକାର ଉତ୍ପାଦନ ବା ମ୍ୟାନୁଫାକ୍ଚରିଂ କ୍ଷେତ୍ରର ବିକାଶ ଉପରେ ପ୍ରାଧାନ୍ୟ ଦେଉଛନ୍ତି। ଏଥିରେ ପେଟ୍ରୋ ରସାୟନ କ୍ଷେତ୍ରକୁ ମଧ୍ୟ ଅଗ୍ରାଧିକାର ଦେଇଛନ୍ତି। ଏମ୍ଏସ୍ଏମ୍ଇ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଯୋଗଦେଇ କହିଥିଲେ, ତାଙ୍କ ବିଭାଗ ପକ୍ଷରୁ ସବୁ ପ୍ରକାର ସହଯୋଗ ଦିଆଯିବ। ପାରାଦୀପ ଭଳି ଧାମରା ବନ୍ଦର ଅଞ୍ଚଳର ବିକାଶ ହେବା ଆବଶ୍ୟକ ବୋଲି ଶ୍ରୀ ସାମଲ କହିଥିଲେ।
ଏହି ସମ୍ମିଳନୀରେ ୩ଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର (ଏମ୍ଓୟୁ) ସ୍ୱାକ୍ଷର ହୋଇଛି। ମୁମ୍ବାଇର ଇନ୍ଷ୍ଟିଚ୍ୟୁଟ୍ ଅଫ୍ କେମିକାଲ ଟେକ୍ନୋଲୋଜି (ଆଇସିଟି) ପକ୍ଷରୁ ଭୁବନେଶ୍ୱରରେ ଏକ କ୍ୟାମ୍ପସ ସ୍ଥାପନ ଲାଗି ଭାରତୀୟ ତୈଳ ନିଗମ ଲିମିଟେଡ (ଆଇଓସିଏଲ) ସହିତ ଗୋଟିଏ ଏମ୍ଓୟୁ ସ୍ୱାକ୍ଷର କରିଛି। ଦ୍ୱିତୀୟ ଏମ୍ଓୟୁଟି ଆଇଓସିଏଲ୍ ଏବଂ ଏମ୍ପିସିଆଇ ପ୍ରାଇଭେଟ ଲିମିଟେଡ ମଧ୍ୟରେ ହୋଇଛି। କଣ୍ଟିନ୍ୟୁୟସ ପଲିମରାଇଜେସନ୍ ଓ ୟାର୍ଣ୍ଣ ୟୁନିଟ ସ୍ଥାପନ ପାଇଁ ଏହି ଏମ୍ଓୟୁ ହୋଇଛି। ଏତଦ୍ବ୍ୟତୀତ ପାରାଦୀପରେ ୧୦୦ କୋଟି ଟଙ୍କା ବିନିଯୋଗରେ ପ୍ଲାଷ୍ଟିକ ପାର୍କ ସ୍ଥାପନ ପାଇଁ ଇଡ୍କୋ ଓ ଆଇଓସିଏଲ ମଧ୍ୟରେ ଏମ୍ଓୟୁ ସ୍ୱାକ୍ଷର ହୋଇଛି। ଏହି ପ୍ରକଳ୍ପ ପାଇଁ କେନ୍ଦ୍ରର ରସାୟନ ଓ ପେଟ୍ରୋ ରସାୟନ ମନ୍ତ୍ରାଳୟ ପକ୍ଷରୁ ୪୦ କୋଟି ଟଙ୍କା ଅନୁଦାନ ଯୋଗାଇ ଦିଆଯାଇଛି ବୋଲି ଏହି ଅବସରରେ ବିଭାଗୀୟ ସଚିବ ରାଜୀବ ମାଥୁର କହିଥିଲେ।