ପାରଳାଖେମୁଣ୍ତି : ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ର ଗଙ୍ଗାବାଡ଼ ପଞ୍ଚାୟତ ବିଭିନ୍ନ ସମୟରେ ଚର୍ଚ୍ଚାରେ। କେତେବେଳେ ପାହାଡ଼ ଧସିବାକୁ ନେଇ ତ କେତେବେଳେ ସୀମା ବିବାଦ। ଏପରିକି ଜିଲ୍ଲା ଗଠନ ହେବାର ୨୭ ବର୍ଷ ପରେ ମଧ୍ୟ ଦୁର୍ଗମ ଏବ˚ ଆଦିବାସୀଅଧ୍ୟୁଷିତ ଏହି ପଞ୍ଚାୟତର ସମସ୍ୟାର ସମାଧାନ ପାଇଁ କେବଳ ପ୍ରତିଶ୍ରୁତି ହିଁ ମିଳିଛି। ୧୯୯୫ରେ ପ୍ରଥମ ଥର ପାଇଁ ତତ୍କାଳୀନ ଜିଲ୍ଲାପାଳ ରାଜେଶ ବର୍ମା ଜିଲ୍ଲାର ସମସ୍ତ ଅଧିକାରୀଙ୍କୁ ନେଇ ଗଙ୍ଗାବାଡ଼ରେ ପହଞ୍ଚିବା ସହ ସେଠାରେ ଏକ ଜନଶୁଣାଣି ମଧ୍ୟ କରିଥିଲେ। ତାଙ୍କ ପରେ ସୁଦର୍ଶନ ପାଲ୍ ଠାକୁର ଓ ପରବର୍ତ୍ତୀ ସମୟରେ ଡି.ଭି ସ୍ବାମୀ, ସୁଧା˚ଶୁ ମୋହନ ସାମଲ, ବର୍ତ୍ତମାନର ଜିଲ୍ଲାପାଳ ଅନୁପମ ଶାହା ମଧ୍ୟ ଗଙ୍ଗାବାଡ଼ ପଞ୍ଚାୟତରେ ଅଭିଯୋଗ ଶୁଣାଣି କରି ଏହି ଅଞ୍ଚଳର ଉନ୍ନତି ପାଇଁ ଅନେକ ପ୍ରୟାସ ଓ ଯୋଜନା କରିଥିଲେ। ହେଲେ ବିକାଶ ଅପହଞ୍ଚ। ପୂର୍ବରୁ ନକ୍ସଲପ୍ରବଣ ଅଞ୍ଚଳ ଭାବେ ପରିଚିତ ଗଙ୍ଗାବାଡ଼ ଏବେ କିନ୍ତୁ ଆନ୍ଧ୍ର ଓ ଓଡ଼ିଶା ପୁଲିସର ମିଳିତ ଅଭିଯାନ ପରେ ସ˚ପୂର୍ଣ୍ଣ ଭାବେ ନକ୍ସଲ୍ମୁକ୍ତ। ସବୁ ସମୟରେ ଅଞ୍ଚଳବାସୀଙ୍କ ଗୋଟିଏ େକ୍ଷାଭ, ସେମାନେ ଓଡ଼ିଶାର, କିନ୍ତୁ ଆନ୍ଧ୍ର ଉପରେ ସ˚ପୂର୍ଣ୍ଣ ନିର୍ଭରଶୀଳ। ଗଙ୍ଗାବାଡ଼ ପଞ୍ଚାୟତ ଓ କଇଁପୁରକୁ ବିଭାଜନ କରୁଛି ମହେନ୍ଦ୍ରଗିରି ପର୍ବତ। ଏଥିଯୋଗୁଁ ଅଞ୍ଚଳବାସୀ ଆନ୍ଧ୍ରପ୍ରଦେଶର ମଞ୍ଜୁଷା ମଣ୍ତଳ ଦେଇ ଗାରାବନ୍ଧ, କିଞ୍ଚିଲିଙ୍ଗି ଓ ଗଣ୍ତାହାତୀ ରାସ୍ତାଦେଇ ନିଜ ବ୍ଲକ୍ ରାୟଗଡ଼ର ଅନ୍ୟ ସ୍ଥାନକୁ ପହଞ୍ଚିଥାନ୍ତି। ଏହି କାରଣରୁ ଶିକ୍ଷା, ସ୍ବାସ୍ଥ୍ୟ, ବଜାର ହାଟ ଇତ୍ୟାଦି ପାଇଁ ଏମାନଙ୍କୁ ମଞ୍ଜୁଷା ମଣ୍ତଳର ବିଭିନ୍ନ ଗ୍ରାମ ଉପରେ ନିର୍ଭର କରିବାକୁ ପଡ଼େ।
ଏହି ସମସ୍ୟାକୁ ବାରମ୍ବାର ଲୋକଲୋଚନକୁ ଆଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ପଦାଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଛି। ଗଙ୍ଗାବାଡ଼ ପଞ୍ଚାୟତକୁ ଗଜପତି ଜିଲ୍ଲା ସହ ସ˚ଯୋଗ କରିବା ପାଇଁ ସବୁଦିନିଆ ରାସ୍ତା ନିର୍ମାଣ କରାଯାଉ ବୋଲି ଦାବି ରଖି ଆସୁଛନ୍ତି। ଏପରିକି ଏଥିପାଇଁ ଅନେକ ଥର ଆନ୍ଦୋଳନ ମଧ୍ୟ ହୋଇଛି। ତିତ୍ଲି ମହାବାତ୍ୟା ପରେ ଏହି ପଞ୍ଚାୟତରେ ନିଜେ ମୁଖ୍ୟମନ୍ତ୍ରୀ ପହଞ୍ଚିଥିଲେ ଓ ତାଙ୍କୁ ମଧ୍ୟ ବ୍ୟକ୍ତିଗତ ଭାବେ ଗ୍ରାମବାସୀ ରାସ୍ତା ଖଣ୍ତିଏ ଦରକାର ବୋଲି ବିନମ୍ରର ସହ ସ୍ମାରକପତ୍ର ଜରିଆରେ ଅନୁରୋଧ କରିଥିଲେ। ଏହି ଦାବିକୁ ଆଧାର କରି କଇଁପୁର ଠାରୁ ଗଙ୍ଗାବାଡ଼ ପର୍ଯ୍ୟନ୍ତ ୯କିମି ରାସ୍ତା କାମ ଆରମ୍ଭ ହୋଇ ଅଧାବାଟରେ ଅଟକିଗଲା।
ଗଙ୍ଗାବାଡ଼ ସରପଞ୍ଚ ସୁନିତା କିଙ୍ଗଲ୍ କହିବା ଅନୁସାରେ, ପଞ୍ଚାୟତକୁ ସାବତ ପୁଅ କରି ଦେଇଛି ଗଜପତି ଜିଲ୍ଲା ପ୍ରଶାସନ। ପଞ୍ଚାୟତରେ ବିଜୁଳି, ଶିକ୍ଷା ଓ ପକ୍କା ଘର ଇତ୍ୟାଦିରେ ଅନେକ ଉନ୍ନତି ହୋଇଛି। କିନ୍ତୁ ଏହି ପଞ୍ଚାୟତର ୨୪ଟି ଗ୍ରାମରେ ବାସ କରୁଥିବା ୨ ହଜାରରୁ ଅଧିକ ଜନସାଧାରଣ ରାସ୍ତାଟିଏ ନଥିବାରୁ ସାମାନ୍ୟ କିଛି ସମସ୍ୟା ପାଇଁ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଉପରେ ନିର୍ଭର କରନ୍ତି। ବର୍ଷ ବର୍ଷ ଧରି ଏମିତି ସ୍ଥିତି ଲାଗି ରହିଥିବା ଯୋଗୁଁ ସୀମାନ୍ତରେ ଥିବା ଏହି ପଞ୍ଚାୟତର କିଛି ଗ୍ରାମବାସୀ ନିଜକୁ ଆନ୍ଧ୍ରବାସିନ୍ଦା ବୋଲି ଭାବିବାକୁ ବାଧ୍ୟ ହେଉଛନ୍ତି। ପୂର୍ବତନ ସରପଞ୍ଚ ହରିବନ୍ଧୁ କାର୍ଯୀଙ୍କ କହିବା ପ୍ରକାରେ ଯେତେଦିନ ପର୍ଯ୍ୟନ୍ତ ଗଙ୍ଗାବାଡ଼କୁ ସ˚ଯୋଗ ରାସ୍ତା ନିର୍ମାଣ ହୋଇ ନାହିଁ, ମଞ୍ଜୁଷା ମଣ୍ତଳର ଅଧିକାରୀମାନେ ସୀମାରେ ଥିବା ବିଭିନ୍ନ ଗ୍ରାମକୁ ତାଙ୍କ ରାଜ୍ୟର ଅ˚ଶ ବୋଲି ଦାବି କରିବେ। ହରିବନ୍ଧୁ କ୍ଷୋଭର ସହ ପ୍ରକାଶ କରିଛନ୍ତି, କୋରାପୁଟ ଜିଲ୍ଲାର କୋଟିଆ ପାଇଁ ରାଜ୍ୟ ସରକାର ଯେତିକି ସହାନୁଭୂତି ଦର୍ଶାଉଛନ୍ତି, ସେଭଳି ଦରଦ ଗଙ୍ଗାବାଡ଼ ପାଇଁ ନାହିଁ। ତିତ୍ଲି ମହାବାତ୍ୟାରେ ଉକ୍ତ ପଞ୍ଚାୟତର ୧୮ଜଣ ମୃତ୍ୟୁବରଣ କରିଥିଲେ। ଏହା ପରେ ଅଞ୍ଚଳବାସୀଙ୍କ ଆଶା ଥିଲା, ବୋଧ ହୁଏ ସରକାର ଏବେ ମଧ୍ୟ ରାସ୍ତା କାମ ସାରିବେ। ୨ ବର୍ଷ ବିତିଗଲା ଓ ବାତ୍ୟା ପରେ ଯେଉଁ ପ୍ରତିଶ୍ରୁତି ମିଳିଥିଲା ତାହା ଏ ପର୍ଯ୍ୟନ୍ତ ପୂରଣ ହେଲା ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/ko.jpg)