ବାଟବଣା ହେଉଛି ବିକାଶ: ପୁଞ୍ଜି ଓ ରାଜସ୍ବ ଖର୍ଚ୍ଚରେ ତାଳମେଳ ନାହିଁ

କୃଷି, ଶିକ୍ଷା, ସେଚ ଓ ବନ୍ୟା ନିୟନ୍ତ୍ରଣ ଦିଗହରା
ଆଦିବାସୀଙ୍କ ବିକାଶ କ’ଣ ଶୀର୍ଷ ଛୁଇଁଗଲା?
ସବୁ ଅଞ୍ଚଳ ଓ ବର୍ଗକୁ ଛୁଇଁପାରୁନି ବିକାଶ

ଭୁବନେଶ୍ବର : ଶିକ୍ଷା କ୍ଷେତ୍ରରେ ପୁଞ୍ଜି ଖର୍ଚ୍ଚ ମୋଟ ବଜେଟ୍‌ ବ୍ୟୟବରାଦର ୦.୭% (୨୦୧୨-୧୩)ରୁ ବୃଦ୍ଧି ପାଇ ୪.୭% (୨୦୨୧-୨୨)ରେ ପହଞ୍ଚିଛି। ଅଥଚ ଏହି ସମୟରେ ଏ କ୍ଷେତ୍ରରେ ରାଜସ୍ବ ଖର୍ଚ୍ଚ ୧୯%ରୁ ୧୭%କୁ ଖସିଲାଣି। କେବଳ ଏହି ଗୋଟିଏ କ୍ଷେତ୍ର ନୁହେଁ, ୨୦୧୨-୧୩ ଆର୍ଥିକ ବର୍ଷରେ ରାଜ୍ୟରେ ଜଳସେଚନ ଏବଂ ବନ୍ୟା ନିୟନ୍ତ୍ରଣ କ୍ଷେତ୍ରରେ ଯେତିକି ରାଜସ୍ବ ଖର୍ଚ୍ଚ ହେଉଥିଲା, ୨୦୨୧-୨୨ ବେଳକୁ ତାହା ଯଥେଷ୍ଟ କମିଯାଇଛି। କୃଷି ଓ ଆନୁଷଙ୍ଗିକ, ରାସ୍ତା-ଘାଟ, ପୋଲ, ସର୍ବୋପରି ନଗରାଞ୍ଚଳ ଏବଂ ପଞ୍ଚାୟତ ଅନୁଦାନ କ୍ଷେତ୍ରରେ ସ୍ଥିତି ତା’ ଚାହିଁ ସାଂଘାତିକ।

ପୁଞ୍ଜି ଖର୍ଚ୍ଚର ହିସାବକୁ ନିରେଖି ଦେଖିଲେ ଆହୁରି ଜଣାପଡ଼ୁଛି ଯେ ବୃହତ୍ ଏବଂ ମଧ୍ୟମ ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ ଠାରୁ ଆରମ୍ଭ କରି ଗୃହ ନିର୍ମାଣ, ଅନୁସୂଚିତ ଜାତି ଏବଂ ଜନଜାତି ବିକାଶ ଯେମିତି ଧୀରେ ଧୀରେ ବାଟବଣା ହେଲାଣି। ରାଜ୍ୟ ସରକାର ଏସବୁ କ୍ଷେତ୍ରକୁ ଗୁରୁତ୍ବ ଦେଉଥିବା ନେଇ ଡିଣ୍ଡିମ ପିଟୁଥିବା ବେଳେ ତାଙ୍କ ବଜେଟ୍‌ର ଏ ଚିତ୍ର ଅର୍ଥନୀତିଜ୍ଞମାନଙ୍କୁ ଆନ୍ଦୋଳିତ କରୁଛି। ଭ‌ାତହାଣ୍ଡିରୁ ଗୋଟିଏ ଚିପିଲା ଭଳି ଏତିକି ବିଷୟକୁ ବିଚାରକୁ ନେଲେ ରାଜ୍ୟ ସରକାରଙ୍କ ଯୋଜନା ଓ ବାସ୍ତବିକ ବିକାଶ ମଧ୍ୟରେ ଦୂରତା ଯୋଜନ-ଯୋଜନ; ଏ କଥା ଧରାପଡ଼ିଯାଉଛି।

ଅର୍ଥନୀତି ବିଶେଷଜ୍ଞ ପ୍ରଶ୍ନ ଉଠାଇଲେଣି, ଓଡ଼ିଶା କେଉଁ ରାସ୍ତାରେ ଯାଉଛି? କାହାକୁ ଲକ୍ଷ୍ୟ ରଖି ସରକାର ଆଗକୁ ବଢ଼ୁଛନ୍ତି? ସ୍ଥିତି ଅଣାୟତ୍ତ ହେବା ପୂର୍ବରୁ ସରକାର ଆଉଥରେ ଆଞ୍ଚଳିକ ବୈଷମ୍ୟ କମିସନ ଗଠନ କରି ଓଡ଼ିଶାରେ ବିକାଶର ପ୍ରତିଛବି କେଉଁ ଅଞ୍ଚଳକୁ କେମିତି ଛୁଉଁଛି; ଆଉ କେଉଁ କ୍ଷେତ୍ରଟି ପଛକୁ ଚାଲିଯାଉଛି, ସର୍ବୋପରି ରାଜ୍ୟ ସରକାରଙ୍କ ସାମ୍ନାରେ ଏବେ ମୁଖ୍ୟ ଚ୍ୟାଲେଞ୍ଜ କଣ, ତାହା ନିରୂପିତ ହେବା ଜରୁରି। ଅନ୍ୟଥା ସମାଜର କିଛି ବର୍ଗ ଓ ଅଞ୍ଚଳ ପଛୁଆ ରହିଯାଇପାରନ୍ତି।

The News Minute

ଓଡ଼ିଶାର ବଜେଟ୍‌କୁ ତର୍ଜମା କରିବା ବେଳେ ଯେଉଁ ବିକଳ ଚିତ୍ରଟି ସାମ୍ନାକୁ ଆସୁଛି, ତାହା ଆଚମ୍ବିତ କଲାଭଳି। ରାଜ୍ୟ ସରକାରଙ୍କ ଫୋକସ୍‌ରେ ଶିକ୍ଷା ରହିଛି। ବିଦ୍ୟାଳୟ, ମହାବିଦ୍ୟାଳୟ କ୍ୟାମ୍ପସ୍‌ର ନବକଳେବର ଚାଲିଛି। ଏ ବାବଦରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ହେଲେ ଶିକ୍ଷାରେ ରାଜସ୍ବ ଖର୍ଚ୍ଚ ୧୦ବର୍ଷ ଭିତରେ ୨ ପ୍ରତିଶତ ଖସିଗଲାଣି; ଅଥଚ ଏହାର କାରଣ ଓ ନିରାକରଣ ପ୍ରତି ସରକାରଙ୍କ ଦୃଷ୍ଟି ନାହିଁ। ଏହା ସୂଚାଉଛି ଯେ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟରେ ବ୍ୟାପକ ପଦବି ଖାଲି ପଡ଼ିଗଲାଣି। ଯେଉଁସମୟରେ ଭିତ୍ତିଭୂମିର ବିକାଶ କରାଯାଉଛି, ସେ ସମୟରେ ଯଦି ରାଜସ୍ବ ଖର୍ଚ୍ଚ କମିବ, ତେବେ ବିକାଶ କାହାକୁ, କିଭଳି ଛୁଇଁବ?

ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ କ୍ଷେତ୍ରରେ ଚିତ୍ର ଆହୁରି ଗମ୍ଭୀର। ଏ କ୍ଷେତ୍ରରେ ପୁଞ୍ଜି ଓ ରାଜସ୍ବ ଖର୍ଚ୍ଚ ଉଭୟ ତଳମୁହାଁ। ରାଜସ୍ବ ଖର୍ଚ୍ଚ ୨.୭%ରୁ କମି ୨.୨%କୁ କମିଥିବା ବେଳେ ବୃହତ୍ ଓ ମଧ୍ୟମ ଜଳସେଚନ ଏବଂ ବନ୍ୟା ନିୟନ୍ତ୍ରଣ କ୍ଷେତ୍ରରେ ପୁଞ୍ଜି ଖର୍ଚ୍ଚ ମଧ୍ୟ ୩୫.୭% (୨୦୧୨-୧୩)ରୁ କମି ୨୨.୨% (୨୦୨୧-୨୨)ରେ ପହଞ୍ଚିଲାଣି।
ଗୋଟିଏ ପଟେ ଓଡ଼ିଶାର ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ, ଛତିଶଗଡ ଗୋଟିଏ ପରେ ଗୋଟିଏ ନଦୀ ଉପରେ ବନ୍ଧ ବାନ୍ଧି ପାଣି ଅଟକାଉଛନ୍ତି। ଅନ୍ୟପଟରେ ଏହାର ବିପଜ୍ଜନକ ଦିଗ ହେଉଛି, ଏସବୁ ରାଜ୍ୟମାନେ ଭୀଷଣ ବର୍ଷା ବା ବାତ୍ୟା ସମୟରେ ସେମାନଙ୍କର ବଳକା ବା ଉଦ୍‌ବୃତ୍ତ ଜଳକୁ ଏକାଠି ଛାଡ଼ିପାରନ୍ତି ଓ ତଳମୁଣ୍ଡରେ ବନ୍ୟା ପରିସ୍ଥିତି ଗମ୍ଭୀର ହେବାର ଭୟ ରହିଛି। ଅତୀତରେ ଅନେକ ଥର ଏମିତି ଘଟିଛି। ହେଲେ ସରକାର ଚେତିନାହାନ୍ତି। ରାଜ୍ୟ ବଜେଟ୍‌ରେ ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ କ୍ଷେତ୍ରରେ ରାଜସ୍ବ ଏବଂ ପୁଞ୍ଜି ବ୍ୟୟ କମିବା ସଙ୍କେତ ଦେଉଛି ଯେ ବନ୍ଧବାଡ଼ ମରାମତି ଠାରୁ ଆରମ୍ଭ କରି କେନାଲ ଆଦିର ବିକାଶ ଓ ତଳମୁଣ୍ଡରେ ପାଣି ପହଞ୍ଚାଇବା ପ୍ରକ୍ରିୟା ନାମକୁ ମାତ୍ର ଚାଲିଛି। ଯଦି ଜଳସେଚନ ପାଇଁ ନୂଆ ପ୍ରକଳ୍ପ ହେଉଛି ଏବଂ କେନାଲ ପାଣି ଯୋଜନା ମୁତାବକ ସବୁ ଆୟକଟରେ ପହଞ୍ଚୁଛି, ତେବେ ଖର୍ଚ୍ଚ କମୁଛି କେମିତି?

millenniumwaterstory.org

ବିଶେଷଜ୍ଞମାନେ କହୁଛନ୍ତି ଯେ ସରକାରଙ୍କ ଘୋଷଣା ଅନୁଯାୟୀ ରାଜ୍ୟର କେତେ ବ୍ଲକରେ ସର୍ବନିମ୍ନ ୩୫% ଜମି ଜଳସେଚିତ ହେଲାଣି ଓ ସବୁ ବ୍ଲକରେ ଏହି ଲକ୍ଷ୍ୟ ପୂରଣ ପାଇଁ ଆଉ କେତେ ବର୍ଷ ଲାଗିବ ଏବଂ କେଉଁ ପ୍ରତିବନ୍ଧକ ଯୋଗୁଁ ଏଭଳି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ବିଳମ୍ବିତ- ତାହାର ତର୍ଜମା ପୂର୍ବକ ଅଗ୍ରଗତି ଦିଗରେ ବିଭାଗର ଗୁରୁତ୍ବ ନାହିଁ। ବିଭିନ୍ନ ସେଚ ପ୍ରକଳ୍ପ ଜରିଆରେ କେତେ ଆୟକଟ୍‌କୁ ପାଣି ପହଞ୍ଚାଇବା ଲକ୍ଷ୍ୟ ଥିଲା ଓ କେତେ ସମ୍ଭବ ହୋଇଛି ଏବଂ ସେଚ ସୁବିଧା ପରେ କେତେ ଅଧିକ ଜମିରେ କି କି ଚାଷ ହେଉଛି, ସେ ତଥ୍ୟ ମିଳୁ ନାହିଁ। ଏହା ସୂଚାଇ ଦେଉଛି ଯେ ବଜେଟ୍‌ ବରାଦ ଅର୍ଥ ଠିକ୍ ବାଟରେ ଖର୍ଚ୍ଚ ହେଉନାହିଁ। ଏମିତି ସ୍ଥିତିରେ ଚାଷୀର ଆୟ ଦ୍ବିଗୁଣିତ ହେବ କେମିତି?

ଚାଷୀ ପ୍ରତି ବିପଦ ମାଡ଼ିଆସୁଛି, ଏହାର ଆଉ ଗୋଟିଏ ସୂଚନା ବଜେଟ୍‌ ତର୍ଜମା ବେଳେ ଜଣାପଡୁଛି। କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ରାଜସ୍ବ ଖର୍ଚ୍ଚ କମୁଥିବା ସଙ୍କେତ ଦେଉଛି ଯେ ଚାଷୀକୁ ସବ୍‌ସିଡି, କୀଟନାଶକ, ସାର ଯୋଗାଣ ଠିକ୍ ଠାକ୍ ହେଉନାହିଁ। ଜମିକୁ ପାଣି ନାହିଁ, ଚାଷ ଜମିର ପରିମାଣ କମୁଛି। ସରକାର କେମିତି ଓ କେଉଁ ତଥ୍ୟ ଆଧାରରେ ଚାଷୀ ଓ ଚାଷ ଫୋକସ୍‌ରେ ଥିବା ଦାବି କରୁଛନ୍ତି, ତାହା ବୁଝାପଡୁନାହିଁ ବୋଲି ଅର୍ଥନୀତିଜ୍ଞମାନେ ମତ ରଖୁଛନ୍ତି।

ଅର୍ଥନୈତିକ ସର୍ଭେ ରିପୋର୍ଟ କହୁଛି ଯେ ଅନୁସୂଚିତ ଜାତି ଓ ଜନଜାତି ବର୍ଗ ପ୍ରତି ସରକାରଙ୍କ ଆଭିମୁଖ୍ୟ ପୂର୍ବଭଳି ନାହିଁ। ଆଉ ପାଦେ ଆଗକୁ ଯାଇ କହିହେବ ଯେ ସମ୍ଭବତଃ ଏ କ୍ଷେତ୍ରରେ ଭିତ୍ତିଭୂମି ଓ ବିକାଶ ଶୀର୍ଷ ଛୁଇଁସାରିଛି ବା ସରକାର ଏମାନଙ୍କୁ ଅଣଦେଖା କରିବା ଆରମ୍ଭ କରିଛନ୍ତି। ଅନ୍ୟଥା ପୁଞ୍ଜି ଖର୍ଚ୍ଚ ୮.୪%ରୁ ଖସି ଆସି ୧.୮% କେମିତି ଛୁଇଁଲା?

News Reader Board

ରାଜ୍ୟ ବଜେଟ୍‌ ସହିତ ବେଶ୍ କିଛି ବର୍ଷ ଯୋଡ଼ି ହୋଇଥିବା ଜଣେ ପୂର୍ବତନ ପ୍ରଶାସକଙ୍କ କହିବା କଥା ହେଉଛି, ସରକାର ‌ବଜେଟ୍‌ର ଆକାର ବଢ଼ାଇ ରାଜ୍ୟବାସୀଙ୍କୁ ଗୋଲାପି ଚିତ୍ର ଦେଖାଉଛନ୍ତି। କିନ୍ତୁ ବାସ୍ତବତା ଯେ ତାହାଠାରୁ ଭିନ୍ନ ତାହା ବିଭିନ୍ନ କ୍ଷେତ୍ରର ରାଜସ୍ବ ଓ ପୁଞ୍ଜିବ୍ୟୟକୁ ତୁଳନା‌ କଲେ ବୁଝାପଡ଼ୁଛି। ‌ଏହାବ୍ୟତୀତ ନିତି ଆୟୋଗର ରିପୋର୍ଟ ଆହୁରି ସୂଚାଇ ଦେଉଛି ଯେ ଓଡ଼ିଶାର ପୂର୍ବ ଓ ପଶ୍ଚିମ ଭାଗ ବିକାଶରେ ଆକାଶପାତାଳ ଫରକ ଦେଖାଗଲାଣି। ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳ ଦ୍ରୁତ ବେଗରେ ଆଗକୁ ମାଡ଼ୁଛି, ନବରଙ୍ଗପୁର ଚିତ୍ରରେ କିନ୍ତୁ ସେଭଳି ଆଖିଦୃଶିଆ ଉନ୍ନତି ପରିଲକ୍ଷିତ ହେଉନାହିଁ। ଏପଟେ ଉତ୍ତର ଓଡ଼ିଶା କ୍ଷେତ୍ରରେ ସ୍ଥିତି ଆହୁରି ସାଂଘାତିକ। ଖଣିଜ ସଂପଦରେ ଭରପୂର କେନ୍ଦୁଝର ଓ ମୟୂରଭଂଜର ଚିତ୍ର ଓ ଉତ୍ତର ଓଡ଼ିଶାର ଅବଶିଷ୍ଟ ଚିତ୍ରକୁ ଦେଖିଲେ ଯେ କେହି ଏହା ଠଉରାଇ ପାରିବ ଯେ ଅଧିକ ରାଜସ୍ବ ଦେଉଥିବା ଅଞ୍ଚଳ କେତେ ପଛୁଆ? ରାଜ୍ୟରେ ଆଞ୍ଚଳିକ ବୈଷମ୍ୟର ଚିତ୍ର ଏଭଳି ଢଙ୍ଗରେ ଧୀରେ ଧୀରେ ଉତ୍କଟ ହେବାରେ ଲାଗିଛି।

ଅର୍ଥନୀତିଜ୍ଞମାନେ ଆହୁରି କହିଛନ୍ତି ଯେ ରାଜ୍ୟ ସରକାର ଏବେ ଏସ୍‌଼ଡିଜି ଲକ୍ଷ୍ୟ ହାସଲ ପାଇଁ ପ୍ରୟାସ ଜାରି ରଖିଛନ୍ତି। ଏହାର ୧୭ଟି ବିନ୍ଦୁକୁ ଗୁରୁତ୍ବ ଦିଆଯାଉଛି। ଏବେ ଚ୍ୟାଲେଞ୍ଜ ହେଉଛି ଯେଉଁ ସବୁ କ୍ଷେତ୍ରରେ ଭିତ୍ତିଭୂମି ସୃଷ୍ଟି ହେଉଛି, ତାହା ସହିତ କାପାସିଟି ବିଲ୍‌ଡିଂକୁ ଗୁରୁତ୍ବ ଦିଆନଗଲେ, ଏହାର ସୁଫଳ ତଳସ୍ତରକୁ ଯାଇପାରିବ ନାହିଁ। ଶିକ୍ଷା କ୍ଷେତ୍ରକୁ ଯଦି ଉଦାହରଣ ନେବା, ତେବେ କହିହେବ ଯେ କେବଳ ସ୍କୁଲ କୋଠା ତିଆରି କଲେ ହେବ ନାହିଁ। ଶିକ୍ଷକ ନିଯୁକ୍ତି ସହିତ ଛାତ୍ରଙ୍କୁ ଗୋଟିଏ ନୂଆସ୍ତରକୁ ନେବା ଲାଗି ପାଠ୍ୟକ୍ରମ, ଶିକ୍ଷକ ପ୍ରଶିକ୍ଷଣକୁ ଗୁରୁତ୍ବ ଦେବାକୁ ହେବ। ସେହିଭଳି କେନାଲର ନବୀକରଣ, ଲାଇନିଂ ଆଦିକୁ ତୃଣମୂଳସ୍ତରରେ ଆଉଥରେ ଆକଳନ କରାଯିବା ଦରକାର, କିଏ କେମିତି ଅଛନ୍ତି ଓ କେତେ ଜମିକୁ ଜଳ ପହଞ୍ଚାଉଛନ୍ତି। ନଦୀ ବନ୍ଧର ସ୍ଥିତି ଆକଳନ ବି ଆବଶ୍ୟକ।

ବଜେଟ୍‌ ତର୍ଜମା ବେଳେ ମନେ ହେଉଛି, ସରକାର ଓଡ଼ିଶା ବିକାଶ ପାଇଁ ଯେଉଁ ନକ୍ସା ପ୍ରସ୍ତୁତ କରୁଛନ୍ତି, ବଜେଟ୍ ପ୍ରସ୍ତୁତ କରିବା ସମୟରେ ଅଧିକାରୀମାନେ ତାର ଅଲଗା ସ୍ବରୂପ ଆଙ୍କୁଛନ୍ତି। ପୁଣି ବିଭାଗମାନେ ନିଜର ବଜେଟ୍ ସଂପର୍କରେ ଦାବି ଉପସ୍ଥାପନ ଓ ଖର୍ଚ୍ଚ କରିବା ବେଳେ ଦୃଷ୍ଟିଭଙ୍ଗୀ ଆହୁରି ବଦଳିଯାଉଛି। ବେଳହୁଁ ସାବଧାନ ନ ହେଲେ ଓଡ଼ିଶା କିଛି କ୍ଷେତ୍ରରେ ଏତେ ପଛକୁ ଚାଲିଯିବ ଯେ କେବିକେ ଭଳି ସ୍ବତନ୍ତ୍ର ଯୋଜନା ଆବଶ୍ୟକ ପଡ଼ିପାରେ।

ସମ୍ବନ୍ଧିତ ଖବର