ଢିପାମାଳ ସମେତ ତିନିଟି ଗାଁ ଏବେ ବି ଅବହେଳିତ, ନାଲିଫିତା ତଳେ ଆଦିବାସୀଙ୍କ ବିକାଶ

ନୂଆଗାଁ : ଆଦିବାସୀଙ୍କ ବିକାଶ ପାଇଁ ସରକାର ଯୋଜନା ପରେ ଯୋଜନା କରି କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ହେଲେ ସରକାରଙ୍କ ଏହି ଯୋଜନା ପ୍ରକୃତ ହିତାଧିକାରୀଙ୍କ ନିକଟରେ ଅପହଞ୍ଚ ହୋଇ ରହିଛି। ଫଳରେ ଆଦିବାସୀଙ୍କ ବିକାଶର ଫାଇଲ ନାଲିଫିତା ତଳେ ଚାପି ହୋଇ ରହୁଛି। ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍‌ ମାଳିସାହି ପଞ୍ଚାୟତର ଆଦିବାସୀ ଗାଁ ଢିପାମାଳ, ଗୋଛାବାରି ଓ ଚକାପଥର ଏହାର ଜ୍ବଳନ୍ତ ଉଦାହରଣ। ଏବେ ସାଧାରଣ ନିର୍ବାଚନର ବିଗୁଲ୍ ବାଜିଥିବାରୁ ଗାଁକୁ ନେତା ଏବଂ ସରକାରୀ କର୍ମଚାରୀଙ୍କ ଲମ୍ବା ଧାଡ଼ି ଲାଗିଥିବା ଜଣାପଡ଼ିଛି। ତେବେ ଗାଁର ଉନ୍ନତି ପାଇଁ ନେତା, ସରକାରୀ ବାବୁମାନେ ଅଣଦେଖା କରି ଆସୁଥିବାରୁ ନିର୍ବାଚନ ବର୍ଜନ କରିବେ ବୋଲି ଖୋଲାଖୋଲି ପ୍ରଶାସନକୁ ଚେତାବନୀ ଦେଇଛନ୍ତି।

ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ୧୬ ପରିବାରର ୯୦ ଜଣ ଲୋକଙ୍କୁ ନେଇ ଗୋଛାବାରି ଗାଁ ଗଠିତ। ସମସ୍ତେ ଆଦିବାସୀ ହୋଇଥିଲେ ହେଁ କେତେକ ପରିବାରକୁ ସରକାର ଆଦିବାସୀର ମାନ୍ୟତା ଦେବାରେ ପାତରଅନ୍ତର କରିଛନ୍ତି। ଏଥିଯୋଗୁ ଲୋକେ ଏବେ ସରକାରୀ ସୁବିଧା ପାଇବାରୁ ବଂଚିତ ହେଉଛନ୍ତି। ନୟାଗଡ଼ ଜିଲ୍ଲା ବାଲୁଗାଁ ମହିପୁର ରାସ୍ତାର ମାଳିସାହିଠାରୁ ପ୍ରାୟ ୧୦ କିଲୋମିଟର ଦୂରତା ଜଙ୍ଗଲ ପାହାଡ଼ ମଧ୍ୟରେ ଗ୍ରାମଟି ଅବସ୍ଥିତ। ଆଜି ପର୍ଯ୍ୟନ୍ତ ଉକ୍ତ ଗାଁ ପାଇଁ ରାସ୍ତା ଖଣ୍ତିଏ ନାହିଁ। ବହୁ ବର୍ଷ ତଳେ ପ୍ରଶାସନ ତରଫରୁ ସର୍ଭେ କରାଯାଇ ବନ୍ଧ କରାଯିବାକୁ ଯୋଜନା କରାଯାଇଥିଲେ ମଧ୍ୟ ଯୋଜନା ଫାଇଲ୍ ତଳେ ଅଟକି ରହିଯାଇଛି। ମ୍ୟାଲେରିଆପ୍ରବଣ ଏହି ଗ୍ରାମମାନଙ୍କରେ କେବେ ବି ସ୍ବାସ୍ଥ୍ୟକର୍ମୀଙ୍କ ପାଦ ପଡ଼େ ନାହିଁ। ସ୍ବାସ୍ଥ୍ୟ ଖରାପ ହେଲେ ବାଲୁଗାଁ ଉପସ୍ବାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରି ଚଳନ୍ତି। ଗୋଛାବାରି, ଚକାପଥର ଓ ଢିପାମାଳ ଗାଁ ଲୋକେ ରୋଗୀମାନଙ୍କୁ ଦୋଳାରେ ଡାକ୍ତରଖାନା ନେଇଥାନ୍ତି।

ଏହି ଗାଁ ତିନିଟିରେ ଦୂରରେ ଅଙ୍ଗନବାଡି କେନ୍ଦ୍ର ଥିବାରୁ ଶିଶୁମାନେ ଠିକ୍ ଭାବେ ସେଠାକୁ ଯାଇପାରନ୍ତି ନାହିଁ। ସମନ୍ବିତ ଶିଶୁ ବିକାଶ ଯୋଜନାରେ ଆସୁଥିବା ସାମଗ୍ରୀ ହିତାଧିକାରୀଙ୍କ ନିକଟରେ ଠିକ୍‌ରେ ପହଞ୍ଚିପାରେ ନାହିଁ। ପାନୀୟ ଜଳ ଯୋଗାଣ ସମସ୍ୟା ମଧ୍ୟ ଉଗ୍ରରୂପ ଧାରଣ କରିଛି। ଗୋଛାବାରି ଗ୍ରାମରେ ୧୬ ପରିବାରଙ୍କ ପାଇଁ ଗୋଟିଏ ନଳକୂପ ଏବଂ ଢିପାମାଳ ଗ୍ରାମରେ ୨ଟି ନଳକୂପ ଥିଲେ ବି ସେଥିରୁ ଫ୍ଲୋରାଇଡ୍‌ ମିଶା ପାଣି ବାହାରୁ ଥିବାରୁ ତାହା ବ୍ୟବହାର ଉପଯୋଗୀ ନୁହେଁ। ଚକାପଥର ଗ୍ରାମର ଜଳସମସ୍ୟା ମଧ୍ୟ ସେହିପରି। ଗ୍ରାମବାସୀମାନେ ଗାଁ ମୁଣ୍ତରେ ବହିଯାଉଥିବା ଝରଣାରୁ ପାଣି ପିଇ ବିଭିନ୍ନ ସଂକ୍ରାମକ ରୋଗରେ ପୀଡ଼ିତ ହେଉଛନ୍ତି। ଶିକ୍ଷାର ବିକାଶ ପାଇଁ ସରକାର ଗୁରୁତ୍ବ ଦେଇ ପ୍ରତ୍ୟେକ ରାଜସ୍ବ ଗ୍ରାମରେ ବିଦ୍ୟାଳୟ ଖୋଲୁଥିବା ବେଳେ ଢିପାମାଳ, ଗୋଛାବରି, ରାଜନପଲ୍ଲୀ ଓ ଚକାପଥର ପାଇଁ ଢିପାମାଳ ଗ୍ରାମରେ ଗୋଟିଏ ବିଦ୍ୟାଳୟ ରହିଛି। ବର୍ଷାଦିନେ ନଦୀ ପାର ହୋଇ ପିଲାମାନେ ପାଠ ପଢି ଯିବାକୁ ନିରାପଦ ମଣୁନାହାନ୍ତି।

ଏଠାରେ ୯୦ ପ୍ରତିଶତ ଲୋକ ନିରକ୍ଷର। ଆବାସ ଯୋଜନାରେ କେତେକ ପରିବାରକୁ ଅନ୍ତର୍ଭୁକ୍ତ କରାଯାଇଥିଲେ ମଧ୍ୟ ଅର୍ଥ ଅଭାବରୁ ସେମାନେ ଘର ଖଣ୍ତିଏ କରିପାରୁ ନାହାନ୍ତି। ଆବାସ ପାଇଁ ଯେତିକି ଟଙ୍କା ମିଳୁଛି ସେଥିରୁ ଦଲାଲ୍‌ମାନେ ଅଧା ଟଙ୍କା ଖାଇ ଦେଉଥିବାରୁ ଗରିବ ଆଦିବାସୀ ଲୋକମାନେ ଆବାସ ଯୋଜନାରେ ଘର କରିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଖାଉଟି ସାମଗ୍ରୀ ପାଇଁ ଲୋକମାନେ ୧୦ କିମି ଦୂର ମାଳିସାହି ପଞ୍ଚାୟତକୁ ଚାଲି କରି ଯାଇଥାନ୍ତି। ମନରେଗା ଯୋଜନାରେ ଏଠିକା ଲୋକଙ୍କୁ ଏହାର ସୁଫଳ ମିଳୁ ନଥିବା ଅଭିଯୋଗ ହେଉଛି। ଚକାପଥର, ଗୋଛାବାରି ଓ ଢିପାମାଳ ଗାଁକୁ ଯାଇଥିବା କାମ୍ପା ଯୋଜନାରେ କୋଟି କୋଟି ଟଙ୍କା ବାରମାରଣା ହୋଇଥିବା ଗୁରୁତର ଅଭିଯୋଗ ହେଉଛି। କେବଳ ନାଲି ମୋରମ୍‌ ପକାଇ ରାସ୍ତା କାମ କରାଯାଇଥିବା ବେଳେ ବନ୍ୟପ୍ରାଣୀଙ୍କ ଉଦ୍ଦେଶ୍ୟରେ ପୋଖରୀ ଖୋଳାରେ ସମ୍ପୂର୍ଣ୍ଣ ଅନିୟମିତତା କରାଯାଇ ଲକ୍ଷ ଲକ୍ଷ ଟଙ୍କା ଚଳୁ କରାଯାଇଥିବା ଅଭିଯୋଗ ହେଉଛି। ଏହି ଜଙ୍ଗଲ ଭିତରେ ଯାହିତାହି କାମ କଲେ କେହି ଦେଖିବାକୁ ଆସିବାର ଭୟ ନଥିବାରୁ ଯେତିକି ଟଙ୍କା ମଞ୍ଜୁର ହୋଇଛି ତା’ର ଅଧା ଟଙ୍କା ମଧ୍ୟ ଏଠାରେ ବିନିଯୋଗ ହୋଇନାହିଁ ବୋଲି କୁହାଯାଉଛି। ଏହି ସବୁ ସମସ୍ୟାକୁ ବିଚାର କରି ଏହି ତିନି ଗାଁର ବିକାଶ ପାଇଁ ସରକାର ଯଦି ଟିକିଏ ଦୃଷ୍ଟି ଦିଅନ୍ତେ ତା’ହେଲେ ସେମାନେ ମରୁ ମରୁ ବଞ୍ଚିଯାଆନ୍ତେ ବୋଲି ଗ୍ରାମର ଅନେକ ଅସହାୟ ନିରୀହ ଲୋକ ଆକୁଳ କଣ୍ଠରେ ନିବେଦନ କରିଛନ୍ତି। ତେବେ ପ୍ରଶାସକ ଏବଂ ରାଜନେତାଙ୍କର ଏହି ଆଦାବାସୀ ଗାଁଗୁଡ଼ିକ ପାଇଁ ଟିକେ ବି ଦରଦ ନାହିଁ। କେବଳ ନିର୍ବାଚନ ଆସିଲେ ଗାଁରେ ପଶି ଭୋଟ୍‌ ଦେବାକୁ ନିବେଦନ କରିଥାନ୍ତି। କିନ୍ତୁ ଏଥର ଗାଁର ବିକାଶ ନ ହେଲେ ଭୋଟ୍‌ ବର୍ଜନ କରିବାକୁ ତିନି ଗାଁର ଆଦିବାସୀମାନେ ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧିତ ଖବର