ଭୁବନେଶ୍ବର : କେବଳ ପଞ୍ଚାୟତ ନୁହେଁ, ପୌରସଂସ୍ଥାରେ ଶାସନ ଆହୁରି ବିଗିଡିଗଲାଣି। ଏମିତି ଯେ ଟଙ୍କା ତ ଖର୍ଚ୍ଚ କରିପାରୁ ନାହାନ୍ତି, ବିନିଯୋଗ ପ୍ରମାଣପତ୍ର ଦାଖଲ କରିବାରେ ବି ଫେଲ୍। ସରକାରୀ ଅର୍ଥ ଆତ୍ମସାତ୍, ସରକାରୀ ରାଜସ୍ୱକୁ କ୍ଷତି ପହଞ୍ଚାଇବାରେ ବି ଏସବୁ ସଂସ୍ଥାମାନେ ପଞ୍ଚାୟତଠାରୁ ପଛରେ ନାହାନ୍ତି।
ଆଉ କେହି ନୁହେଁ, ସ୍ଥାନୀୟ ପାଣ୍ଠି ସମୀକ୍ଷା ନିର୍ଦେଶାଳୟ ତାଙ୍କ ବାର୍ଷିକ ରିପୋର୍ଟରେ ଏନେଇ ସାଂଘାତିକ ତଥ୍ୟ ଉପସ୍ଥାପନ କରିଛନ୍ତି। ବିଧାନସଭାରେ ଉପସ୍ଥାପିତ ହୋଇଥିବା ଏହିସବୁ ତଥ୍ୟ ସୂଚାଇ ଦେଉଛି ଯେ ବାବୁମାନେ ପୌରାଞ୍ଚଳ ବିକାଶ ରାସ୍ତାରେ ବି କଣ୍ଟା ସାଜିଛନ୍ତି। କେଳେଙ୍କାରୀ ଶୀର୍ଷ ଛୁଇଁଲାଣି। କୋଟିଏ କି ଦୁଇକୋଟି ନୁହେଁ, ପାଖାପାଖି ୩୪୬ କୋଟି ୩୩ ଲକ୍ଷ ଟଙ୍କାର ଖର୍ଚ୍ଚ ଉପରେ ଅଡିଟ୍ ଆପତ୍ତି ଉଠାଇଛନ୍ତି। ଏ ମଧ୍ୟରୁ ୮୬ କୋଟି ୯୯ ଲକ୍ଷ ଟଙ୍କା ଅନିୟମିତତାର କାଗଜ ଅଧିକାରୀମାନେ ଅଡିଟ ଟିମ୍ କୁ ଦେଖାଇ ପାରିନାହାନ୍ତି। ଏସବୁ ବାଦ୍ ୨୫୯ କୋଟି ୩୪ଲକ୍ଷ ଟଙ୍କା ବଜେଟ୍ ବାହାରେ ତଥା ପ୍ରାଧିକୃତ କର୍ତୃପକ୍ଷଙ୍କ ବିନା ଅନୁମୋଦନରେ ମଞ୍ଜୁର ହୋଇଥିବା ଜଣାପଡିଛି।
ଅଡିଟ୍ ଟିମ୍ ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି, ପୂର୍ବ ବର୍ଷ ଖର୍ଚ୍ଚ କରିପାରିନଥିବା କାରଣରୁ ୨୦୧୬ ଏପ୍ରିଲ ପହିଲାରେ ପୌରସଂସ୍ଥାମାନଙ୍କ ଆକାଉଣ୍ଟରେ ୨୩୦୨ କୋଟି ଟଙ୍କା ମହଜୁଦ ଥିଲା। ତା ସତ୍ତ୍ୱେ ପୌରସଂସ୍ଥାମାନଙ୍କୁ ସରକାର ୧୯୬୫ କୋଟି ଟଙ୍କା ଅନୁଦାନ ପ୍ରଦାନ କରିଥିଲେ। ହେଲେ ୨୦୧୬-୧୭ ବର୍ଷରେ ବାବୁମାନେ ତାଙ୍କ ଦକ୍ଷତା ବଢାଇପାରିନାହାନ୍ତି । ପରିଣାମ ହେଲା, ବର୍ଷ ଶେଷ ବେଳକୁ ପୁଣି ୨୨୫୫ କୋଟି ଟଙ୍କା ବଳିପଡିଥିଲା।
ପୌରସଂସ୍ଥାରେ ମାଳ ମାଳ ସମସ୍ୟା ମୁଣ୍ଡ ଟେକିଛି। ଲୋକେ ଟିକସ ଦେଇ ବି ସର୍ବନିମ୍ନ ସୁବିଧା ପାଇପାରୁନାହାନ୍ତି। ସରକାର ମଧ୍ୟ ପର୍ଯ୍ୟାପ୍ତ ପଇସା ଅଜାଡି ଦେଇଛନ୍ତି। ହେଲେ ଟଙ୍କା ଖର୍ଚ୍ଚ ହୋଇନପାରିବା ନେଇ କେଉଁସ୍ତରରେ ବି ତନାଘନା ହୋଇନାହିଁ,ଏକଥା ଅଡିଟ୍ ରିପୋର୍ଟକୁ ନିରେଖି ଦେଖିଲେ ସହଜରେ ବୁଝାପଡୁଛି।
ରିପୋର୍ଟ କହୁଛି, ଅନୁଦାନର ଅଧା ଅର୍ଥ (୪୯.୭ ପ୍ରତିଶତ)ଖର୍ଚ୍ଚ କରିବାରେ ବି ପୌରସଂସ୍ଥାମାନେ ସକ୍ଷମ ହୋଇପାରିନାହାନ୍ତି। ସମ୍ୱଲପୁର ଜିଲ୍ଲାରେ ଅର୍ଥ ଖର୍ଚ୍ଚ ପରିମାଣ ୯.୪୪% ରହିଥିବା ବେଳେ ଖୋର୍ଧା ଜିଲ୍ଲାରେ ସର୍ବାଧିକ ୭୬.୦୮% ବିନିଯୋଗ ହୋଇଥିଲା। ତର୍ଜମା କରିବା ବେଳେ ଜଣାପଡିଥିଲା ଯେ ୪୧୪୩ କୋଟି ୫୯ଲକ୍ଷ ଟଙ୍କାର ବିନିଯୋଗ ପ୍ରମାଣ ପତ୍ର ବା ୟୁସି ସଂସ୍ଥାମାନେ ସରକାରଙ୍କୁ ଦେବାକୁ ବାକିଥିଲା। ହେଲେ ବର୍ଷକ ମଧ୍ୟରେ କର୍ତୃପକ୍ଷ ୭୮୬ କୋଟି ଟଙ୍କାର ୟୁସି ଦାଖଲ କରିଥିଲେ।
ବାବୁମାନଙ୍କର ଠିକାଦାର ପ୍ରୀତି ବି କିଛି କମ୍ ନାହିଁ । ୯୯ କୋଟି ଟଙ୍କା ଅଗ୍ରୀମ ଦେଇ ବସିଯାଇଥିଲେ। ୧୦୬ଟି ନଗରାଞ୍ଚଳ ନିକାୟ ସଂସ୍ଥା ମଧ୍ୟରୁ ୪୯ଟିରେ ଅଗ୍ରୀମ ଖାତା ବି ନଥିଲା। ସରକାରୀ ଅନୁଦାନ ଖର୍ଚ୍ଚରୁ ଯେଉଁ ସ୍ଥାୟୀ ସଂପତ୍ତି ସୃଷ୍ଟି ହୋଇଥିଲା, ତାହାର ରେକର୍ଡ ଅଡିଟ୍ କରୁଥିବା ଅଧିକାରୀଙ୍କ ସାମ୍ନାରେ କର୍ତୃପକ୍ଷ ରଖିପାରିନଥିଲେ।
କେବଳ ସେତିକି ନୁହେଁ, ବ୍ୟାଙ୍କ ହିସାବ ଓ ଆକାଉଣ୍ଟ ଖାତାର ହିସାବ ମେଳ ଖାଇନଥିଲା। କୋଟିଏ କି ଦୁଇକୋଟି ନୁହେଁ, ପାଖାପାଖି ୩୩ କୋଟି ୭୧ଲକ୍ଷ ଟଙ୍କାର ପାର୍ଥକ୍ୟ ଦେଖାଯାଇଛି। ୨୦୧୬-୧୭ ବର୍ଷରେ ୧୪୬ କୋଟି ୧୮ଲକ୍ଷ ଟଙ୍କା ଟିକସ ମିଳିବା କଥା। ହେଲେ ୬୪ କୋଟି ୭୮ଲକ୍ଷ ଟଙ୍କା ଆଦାୟ ହୋଇପାରିନଥିଲା। ସେହିଭଳି ଗୃହ ଟିକସ, ପାଣି ଟିକସ, ଆଲୋକ ଟିକସ, ପାଇଖାନା ଟିକସ, ନର୍ଦମା ନିଷ୍କାସନ ଟିକସ ବ୍ୟତୀତ ଅନ୍ୟାନ୍ୟ ଟିକସ ଓ ଭଡା ଆଦାୟ ବି ଉତ୍ସାହଜନକ ନଥିଲା। ବକେୟା ଦାବି ଥିଲା ୨୧ କୋଟି ୬୧ଲକ୍ଷ ଓ ୨୦୧୬-୧୭ରେ ଆଉ ୩୪ କୋଟି ୫୨ଲକ୍ଷ ଏହିଭଳି ମୋଟ ୫୬ କୋଟି ୧୩ଲକ୍ଷ ଟଙ୍କା ସେହି ବର୍ଷ ଆଦାୟ ହେବା କଥା । ହେଲେ ୩୧ କୋଟି ୪୭ ଲକ୍ଷ ଟଙ୍କା ଆଦାୟ ହୋଇପାରିଥିଲା ଓ ପୁଣି ବାକି ପଡିଥିଲା ୨୪ କୋଟି ୬୬ଲକ୍ଷ ଟଙ୍କା ।
କର୍ତୃପକ୍ଷ ଏତେ ବେଫିକର ଯେ ୧୮ କୋଟି ୯୬ଲକ୍ଷ ଟଙ୍କାର ସରକାରୀ ଦେୟ ମଧ୍ୟ ପୈଠ କରିବା ଲାଗି ଆଗ୍ରହ ଦେଖାଇନାହାନ୍ତି । ଟେଲିକମ୍ ଟାଵାର ସ୍ଥାପନା ଦେୟ, ଅନୁମତି ଫି ନବୀକରଣ ଆଦି କ୍ଷେତ୍ରରେ ମଧ୍ୟ ସରକାରୀ ରାଜସ୍ୱକୁ କ୍ଷତି ପହଞ୍ଚାଇବାକୁ ବାବୁମାନେ ପଛଘୁଞ୍ଚା ଦେଇନାହାନ୍ତି। ୬ କୋଟି ୩୪ଲକ୍ଷ ଟଙ୍କା ବରବାଦ ହୋଇଛି ୪୭ଟି ନଗରପାଳିକାରେ ।
କିଛି ସ୍ଥାନରେ ଟେଣ୍ଡର ଆହ୍ୱାନ ହୋଇନାହିଁ। ଆଉ କିଛି ସ୍ଥାନରେ ଟେଣ୍ଡର ନିୟମ ବି ଅନୁସରଣ ହୋଇନାହିଁ । ଏହା ସତ୍ତ୍ୱେ ବୈଦ୍ୟୁତିକ ସରଞ୍ଜାମ କିଣାଯାଇଛି । ଖୋର୍ଧାର ବାଣପୁର ଏନଏସି, ପୁରୀର ପିପିଲି ଏନଏସି ଓ କଟକର ଚୌଦ୍ୱାର ମ୍ୟୁନିସପାଲିଟିରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ସରକାରୀ ନିୟମକୁ ଉଲ୍ଲଂଘନ କରି ମନଇଚ୍ଛା ଦିନ ମଜୁରିଆ, ସାମୟିକ ମଜୁରିଆ ଲଗାଯାଇଥିବା କୁହାଯାଇଛି। ଏ ବାବଦରେ ଲକ୍ଷ ନୁହେଁ, ବରଂ ୨୨ କୋଟି ୩୯ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଅଡିଟ୍ ଏହାକୁ େନଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ପୌରସଂସ୍ଥାରୁ ଆଦାୟ ହୋଇଥିବା ଟଙ୍କା ଜମା କରିବା ବଦଳରେ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ୍ କରିଛନ୍ତି ଅଧିକାରୀ । ଚିକିତ୍ସା ଭତ୍ତା ବାବଦରେ ପାଖାପାଖି ୨ କୋଟି ଟଙ୍କା ଅଗ୍ରୀମ ଦିଆଯାଇଥିବା େଦଖାଯାଇଛି।