ଖଣି ହେବ ବୋଲି ଉନ୍ନୟନ କାର୍ଯ୍ୟ ଠପ୍

ଛେଣ୍ଡିପଦା : କୋଇଲା ଖଣି ପାଇଁ ଜମି ଅଧିଗ୍ରହଣ ହେବ। ତେଣୁ ଏବେ ବିକାଶମୂଳକ କାମ କଲେ କିଛି ଲାଭ ନାହିଁ। ସବୁକିଛି ପାଣିରେ ପଡ଼ିବ। ଏହାକୁ ଆଳ କରି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଳକର ୪ ପଞ୍ଚାୟତରେ ୮ ବର୍ଷ ଉନ୍ନୟନ କାର୍ଯ୍ୟ ଠପ୍ ହୋଇଯାଇଛି। ଉନ୍ନୟନ କାର୍ଯ୍ୟ ହେଉ ନଥିବାରୁ ୧୮ ଟି ଗାଁର ଜନସାଧାରଣ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଥିନେଇ ପ୍ରଶାସନକୁ ନେହୁରା କଲେ ବି କିଛି ଲାଭ ମିଳୁନି। ଫଳରେ ଲୋକମାନଙ୍କ ଭିତରେ ଲାଗି ରହିଥିବା ଅସନ୍ତୋଷ କ୍ରମଶଃ ଘନୀଭୂତ ହେବାରେ ଲାଗିଛି।

୧୫ ବର୍ଷ ପୂର୍ବରୁ ପର୍ଯ୍ୟାୟକ୍ରମେ ରାଇଝରଣ, କଙ୍କରେଇ, ବସନ୍ତପୁର, ଶିମିଳିପାଳ, ମାଛକୁଟା, ବରପଦା ପଂଚାୟତରେ ଜିନ୍ଦଲ, ମୋନେଟ, ଟାଟା, ରୁଙ୍ଗଟା, ଭୂଷଣ, ମହାଗୁଜ କମ୍ପାନି ପକ୍ଷରୁ କୋଇଲାଖଣି ପାଇଁ ଜମି ଅଧିଗ୍ରହଣ ଆରମ୍ଭ କରାଯାଇଥିଲା। ଜମି ଅଧିଗ୍ରହଣ ଚାଲିଥିବା ବେଳେ ୮ ବର୍ଷ ପୂର୍ବରୁ ସମ୍ପୃକ୍ତ ଖଣି ଆବଣ୍ଟନ ବେଆଇନ ବୋଲି ଦର୍ଶାଇ ସୁପ୍ରିମକୋର୍ଟ ଏହାକୁ ଖାରଜ କରିଦେଇଥିଲେ। ଖାରଜ ପୂର୍ବରୁ ସରକାର ଜମି ଅଧିଗ୍ରହଣ ହେବାକୁ ଥିବା ଅଂଚଳରେ ଉନ୍ନୟନ କାର୍ଯ୍ୟ ବନ୍ଦ ନେଇ ନିର୍ଦେଶ ଦେଇଥିଲେ। ସେହିଦିନଠାରୁ ଉନ୍ନୟନ କାର୍ଯ୍ୟ ବନ୍ଦ ହୋଇ ପଡ଼ିଛି। ଏପଟେ ଏହି ଅଞ୍ଚଳକୁ କୋଇଲା ଖଣି ପାଇଁ କୌଣସି କମ୍ପାନିକୁ ଆଉ ଲିଜ୍ ଦିଆଯାଇନାହିଁ। ଫଳରେ ଉନ୍ନୟନ କାର୍ଯ୍ୟ ବନ୍ଦ ଥିବା ଅଞ୍ଚଳରେ ଜମି ଅଧିଗ୍ରହଣ କରାଯାଉନାହିଁ।

ଏପଟେ ସମ୍ପୃକ୍ତ ଅଂଚଳରେ ସରକାର କୌଣସି ଉନ୍ନୟନମୂଳକ କାର୍ଯ୍ୟ ବି କରୁନାହାନ୍ତି। ୮ ବର୍ଷରେ ୪ ପଂଚାୟତକୁ ଆସିଥିବା ବିଭିନ୍ନ ଅନୁଦାନ ବାବଦରେ ପ୍ରାୟ ୧୦ କୋଟି ଟଙ୍କା ପଡିରହିଛି। ଉନ୍ନୟନ କାର୍ଯ୍ୟ ହେଉନଥିବାରୁ ରାସ୍ତା, ପୋଖରୀ ଖନନ, ଜଳସେଚନ, ବିଦ୍ୟାଳୟ ଶ୍ରେଣୀଗୃହର ଅବସ୍ଥା ଶୋଚନୀୟ ହୋଇପଡିଛି। ମନରେଗା ଯୋଜନାରେ ଗରିବଙ୍କ ୧୦୦ ଦିନର କର୍ମ ନିଯୁକ୍ତି ସୁଯୋଗ ମଧ୍ୟ ବନ୍ଦ ହୋଇଯାଇଛି। ଏହି ସବୁ ଅଞ୍ଚଳରେ ବନ ବିଭାଗ ଓ ଗ୍ରାମ୍ୟ ଉନ୍ନୟନ ରାସ୍ତା ବିଭାଗ ପକ୍ଷରୁ କାଁ ଭାଁ କିଛି କାର୍ଯ୍ୟ ବ୍ୟତୀତ କୌଣସି ଉନ୍ନୟନ କାର୍ଯ୍ୟ ହେଉନାହିଁ। ବାରମ୍ବାର ସ୍ଥାନୀୟ ଜନସାଧାରଣ ଉନ୍ନୟନ କାର୍ଯ୍ୟ କରିବା ପାଇଁ ବିଡିଓ, ଜିଲ୍ଲାପାଳ ତଥା ସରକାରଙ୍କ ନିକଟରେ ଦାବି କରି ଆସୁଛନ୍ତି। ଏଥିନେଇ ବିଡିଓ ସଞ୍ଜୟ କୁମାର ଆଚାର୍ଯ୍ୟଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ, ଜମିଅଧିଗ୍ରହଣ ହେବାକୁ ଥିବାରୁ ଉନ୍ନୟନ କାର୍ଯ୍ୟ କରାଯାଉନାହିଁ। ଏ ସମ୍ପର୍କରେ ଜିଲ୍ଲାପାଳଙ୍କ ସହିତ ଆଲୋଚନା ହୋଇଛି।

ସମ୍ବନ୍ଧିତ ଖବର