କଟକ: କୋଟି କୋଟି ଟଙ୍କା ପଡ଼ି ରହିଥିଲେ ବି ଆଗେଇ ପାରୁନି ଉନ୍ନୟନ କାମ। ସାଧାରଣ ନିର୍ବାଚନ ପରଠାରୁ ପ୍ରାୟ ୨ଶହ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ କାମ ବନ୍ଦ ହୋଇ ପଡ଼ିଛି କଟକ ଜିଲ୍ଲାର ୧୪ଟି ବ୍ଲକ୍ରେ। କାମ କେଉଁଠି ଅଧାପନ୍ତରିଆ ହୋଇ ପଡ଼ିଛି ତ କେଉଁଠି ଆଦୌ ଆରମ୍ଭ ହୋଇପାରିନି। ସ୍ଥିତି ଏମିତି ହେଲାଣି ଯେ, ଟେଣ୍ଡର ପାଇଥିବା ସଂସ୍ଥା ଏବେ କାମରୁ ଓହରିବାକୁ ବସିଲେଣି। ବାଙ୍କୀ ଚର୍ଚ୍ଚିକା ମନ୍ଦିର ଉନ୍ନୟନ କାମରୁ ଓହରିବାକୁ ଠିକାଦାର ପୂର୍ତ୍ତ ବିଭାଗକୁ ଚିଠି ଲେଖିଥିଲା ବେଳେ ସେତୁ ନିର୍ମାଣର ଡିଜାଇନ୍ ପରିବର୍ତ୍ତନ କରାଯାଇଥିବା ଦର୍ଶାଇ ୪୮କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଲୁଣା ନଦୀ ସେତୁ କାମର ଟେଣ୍ଡର ବାତିଲ କରି ଦିଆଯାଇଛି। ଏପଟେ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ଯୋଜନାକୁ ପରିବର୍ତ୍ତନ କରାଯାଇ ତାହାକୁ ‘ବିକଶିତ ଗାଁ-ବିକଶିତ ଓଡ଼ିଶା’ ରଖାଯାଇଛି। କିନ୍ତୁ ସେହି ଯୋଜନାରେ କଟକ ଜିଲ୍ଲା ପାଇଁ ଶହେ କୋଟିରୁ ଅଧିକ ଟଙ୍କାର କାମ ଆସିଥିଲେ ବି ସେସବୁ ବନ୍ଦ ହୋଇ ପଡ଼ିଛି। ନୂଆ ଯୋଜନାର କାମ ପାଇଁ ସରକାର କୌଣସି ଏସ୍ଓପି ଜାରି କରି ନାହାନ୍ତି।
ନିର୍ବାଚନ ପରଠାରୁ ଗ୍ରାମାଞ୍ଚଳରେ ବି କୌଣସି ପ୍ରକାର ଆଖିଦୃଶିଆ ଉନ୍ନୟନ କାମ ଆରମ୍ଭ ହୋଇପାରି ନାହିଁ। ଅନେକ ଯୋଜନା ଅନୁମୋଦନ ପାଇଥିଲେ ବି ଆଗେଇପାରୁନି। ପୁରୁଣା ସରକାର ସମୟର ଅନେକ କାମ ଅଧାପନ୍ତରିଆ ହୋଇ ରହିଥିବା ବେଳେ ସେହି କାମଗୁଡିକୁ ପୁଣିଥରେ ଆରମ୍ଭ କରିବାକୁ ପ୍ରଶାସନ ଚିଠି କରିଛି। କିନ୍ତୁ ସ୍ପଷ୍ଟ ନିର୍ଦ୍ଦେଶ ନଥିବାରୁ କାମ ଆରମ୍ଭ ହେଉନି। ଜିଲ୍ଲାର ମାହାଙ୍ଗା, କଟକ ସଦର, ନିଆଳି, ବଡ଼ମ୍ବାରେ କାମକୁ ନେଇ ଟଣାଓଟରା ଚାଲିଛି। ପୁରୁଣା କାମ କରିଥିବା ଠିକାଦାରଙ୍କୁ ବି ପ୍ରାପ୍ୟ ମିଳିବାରେ ସମସ୍ୟା ରହୁଛି। ଦୁର୍ନୀତି ଅଭିଯୋଗ ଆଧାରରେ ଜିଲ୍ଲାପରିଷଦ ପକ୍ଷରୁ ବିଭିନ୍ନ ବ୍ଲକ୍ର ପୁରୁଣା କାମର ତଦନ୍ତ ଆରମ୍ଭ ହୋଇଛି।
ନାଁ ବଦଳିଲା, ଆଗେଇ ପାରୁନି ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାମ
ଚର୍ଚ୍ଚିକା ମନ୍ଦିର କାମରୁ ଓହରି ଯିବାକୁ ପୂର୍ତ୍ତ ବିଭାଗକୁ ଠିକାଦାରଙ୍କ ଚିଠି
୪୮କୋଟିର ଲୁଣା ନଦୀ ସେତୁ ଟେଣ୍ଡର ବାତିଲ
ବାଙ୍କୀରେ ଛକାପଞ୍ଝାରେ କାମ ଚାଲିଥିବାବେଳେ ଅଧିଷ୍ଠାତ୍ରୀ ଦେବୀ ମା’ ଚର୍ଚ୍ଚିକାଙ୍କ ମନ୍ଦିର ଉନ୍ନତୀକରଣ କାର୍ଯ୍ୟର ଟେଣ୍ଡର୍ ପାଇଥିବା ଠିକାଦାର ଉକ୍ତ କାମ କରିପାରିବେ ନାହିଁ ବୋଲି ଲିଖିତ ଭାବେ ପୂର୍ତ୍ତ ବିଭାଗକୁ ଜଣାଇ ଦେଇଛନ୍ତି। ଫଳରେ ମନ୍ଦିର ବିକାଶ ପାଇଁ ଆସିଥିବା ୧୧ କୋଟି ଟଙ୍କା ଫେରିଯିବାର ଆଶଙ୍କା ପ୍ରକାଶ ପାଇଛି। ମା’ ଚର୍ଚ୍ଚିକାଙ୍କ ମନ୍ଦିରର ଉନ୍ନତୀକରଣ ନିମନ୍ତେ ପୂର୍ବ ସରକାରଙ୍କ ସମୟରେ ଅର୍ଥ ମଞ୍ଜୁର କରାଯାଇଥିଲା। ସେଥିମଧ୍ୟରୁ ନୂତନ ପାର୍କିଂ ବ୍ୟବସ୍ଥା ପାଇଁ ୫ କୋଟି ୪୬ ଲକ୍ଷ ଟଙ୍କା ଏବଂ ମନ୍ଦିର ନବୀକରଣ ପାଇଁ ୫ କୋଟି ୫୪ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଥିଲା। ଏହାପରେ କଟକ ପୂର୍ତ୍ତ ବିଭାଗ ପକ୍ଷରୁ ୨୦୨୩/୨୪ ଆର୍ଥିକ ବର୍ଷରେ ବିଶ୍ବଜିତ୍ ରାଉତ ନାମକ ଠିକାଦାରଙ୍କୁ ଏହାର କାର୍ଯ୍ୟାଦେଶ ଦିଆଯାଇଥିଲା। ୨୦୨୪ ଜାନୁଆରି ୩୧ରେ କାମ ଆରମ୍ଭ ହୋଇ ଜୁନ୍ ୨୯ ତାରିଖରେ ଶେଷ କରାଯିବା ପାଇଁ ନିର୍ଦ୍ଦେଶ ରହିଥିଲା।
ହେଲେ ଅବଧି ଶେଷ ହୋଇ ଆହୁରି ଚାରିମାସ ବିତି ଯାଇଥିଲେ ବି କାମ ଆରମ୍ଭ ହୋଇପାରିନି। ସେହିପରି ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ଯୋଜନାରେ ଜିଲ୍ଲାର ୧୪ଟି ବ୍ଲକ୍ରେ ୫୩୫୧ଟି ପ୍ରକଳ୍ପ ମଞ୍ଜୁରି ପାଇଥିଲା। ସେଥିରୁ ମାତ୍ର ୧୪ଶହ ପ୍ରକଳ୍ପର କାର୍ଯ୍ୟ ଶେଷ ହୋଇଥିବାବେଳେ ୬ଶହରୁ ଅଧିକ ପ୍ରକଳ୍ପର କାର୍ଯ୍ୟ ଆଜି ସୁଦ୍ଧା ଆରମ୍ଭ ହୋଇପାରିନି। କିନ୍ତୁ ଏହାରି ଭିତରେ ଯୋଜନାର ନାଁ ପରିବର୍ତ୍ତନ ହୋଇଥିଲେ ବି କାମ କେମିତି ହେବ ସେ ନେଇ ସରକାରୀ ସ୍ତରରେ କୌଣସି ମାର୍ଗଦର୍ଶିକା ଜାରି କରାଯାଇନି। ଯାହାକିଛି ପୁରୁଣା କାମ ଏହି ଯୋଜନାରେ ହୋଇଛି ସବୁଠି ଦୁର୍ନୀତି ଅଭିଯୋଗ ଉଠୁଥିବାରୁ ବିବାଦ ତୁଟୁନି କି ନୂଆ କାମ ଆରମ୍ଭ ହୋଇପାରୁନି। ରାଜନୈତିକ ଟଣାଓଟରା ଭିତରେ ଉନ୍ନୟନ ଅଟକିଯିବା ଘଟଣା ଏବେ ସାଧାରଣରେ ଅସନ୍ତୋଷର କାରଣ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/10/20/gKlGUJfKF0CaNZWKnsfh.jpg)