ରାଇରଙ୍ଗପୁର: ଆସନ୍ତା ମେ’ ମାସ ୮ ତାରିଖ ଠାରୁ ମହାମହିମ ରାଷ୍ଟ୍ରପତି ତଥା ମୟୂରଭଞ୍ଜ ମାଟିର ଝିଅ ଦ୍ରୌପଦୀ ମୁର୍ମୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଗତ ଜୁଲାଇ ୨୫ ତାରିଖରେ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବା ପରେ ସେ ପ୍ରଥମ ଥର ପାଇଁ ଜନ୍ମମାଟି ରାଇରଙ୍ଗପୁରକୁ ଆସୁଛନ୍ତି। ଯଦିଓ ରାଷ୍ଟ୍ରପତିଙ୍କ ଗସ୍ତ ବାବଦରେ ବର୍ତ୍ତମାନ ସୁଦ୍ଧା ପ୍ରଶାସନ ପାଖରେ ବିସ୍ତୃତ ସୂଚନା ନାହିଁ ତଥାପି ବିଶେଷ ସୂତ୍ରରୁ ରାଇରଙ୍ଗପୁରବାସୀ ଖବର ପାଇ ତାଙ୍କ ମଧ୍ୟରେ ଉତ୍କଣ୍ଠା ଓ ଆବେଗ ପ୍ରକାଶ ପାଇଛି। ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ପାଇଁ ବ୍ୟାପକ ପ୍ରସ୍ତୁତ କରାଯାଉଛି।
ପ୍ରାପ୍ତ ସୂଚନା ଅନୁସାରେ ରାଷ୍ଟ୍ରପତି ମେ’ ୮ ତାରିଖ ସକାଳୁ ନୂଆଦିଲ୍ଲୀରୁ ବିମାନ ଯୋଗେ ଆସି କଲେଇକୁଣ୍ଡା ବାୟୂସେନା ଘାଟିରେ ପହଂଚିବେ। ସେଠାରୁ ଏକ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ବାମନଘାଟୀ ଉପଖଣ୍ଡର ବାଦାମପାହାଡସ୍ଥିତ କଲେଜ ପଡ଼ିଆରେ ନିର୍ମିତ ହୋଇଥିବା ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରି ୩ କି.ମି ସଡକ ପଥରେ ପାହାଡପୁର ଆସି ତାଙ୍କ ସର୍ଗତଃ ସ୍ୱାମୀ ଶ୍ୟାମଚରଣ ମୁର୍ମୁ, ଦୁଇପୁଅ ଲକ୍ଷ୍ମଣ ଓ ସିପୁନଙ୍କ ସ୍ମୃତିରେ ସେଠାରେ ସ୍ଥାପିତ କରିଥିବା ଏସଏଲଏସ୍ ଟ୍ରଷ୍ଟ ଆବାସିକ ବିଦ୍ୟାଳୟରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ। ଅପରାହ୍ନରେ ସେ ରାଇରଙ୍ଗପୁର ସହର ନିକଟସ୍ଥ ଦାଣ୍ଡବୋଷ ବିମାନବନ୍ଦରରେ ଅବତରଣ କରିବା ପରେ ସଡକପଥରେ ଆସି ମହୁଲଡିହାସ୍ଥିତ ପୂର୍ତ୍ତ ବିଭାଗର ଡାକ ବଙ୍ଗଳାଠାରେ ପହଂଚିବେ। ସନ୍ଧ୍ୟା ୬ଟାରେ ରାଇରଙ୍ଗପୁର ଷ୍ଟାଡିୟମଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ତାଙ୍କୁ ରାରଇରଙ୍ଗପୁର ପୌରପରିଷଦ ପକ୍ଷରୁ ନଗରବାସୀ ତାଙ୍କୁ ଭବ୍ୟ ନାଗରିକ ସମ୍ବର୍ଦ୍ଧନା ଜ୍ଞାପନ କରିବେ। ପରେ ସେ ମହୁଲଡିହାସ୍ଥିତ ଡାକବଙ୍ଗଳାରେ ରାତ୍ରିଯାପନ କରିବେ।
ମେ’ ୯ ତାରିଖ ଦିନ ସକାଳୁ ସେ ସଡକ ପଥ ଦେଇ ଦାଣ୍ଡବୋଷ ଏୟାରଷ୍ଟ୍ରିପ୍କୁ ଯାଇ ସେଠାରୁ ହେଲିକ୍ୟାପଟର ଯୋଗେ ବାରିପଦା ଗସ୍ତକରିବେ। ସେଠାରେ ସେ ମହାରାଜା ଶ୍ରୀରାମଚନ୍ଦ୍ର ବିଶ୍ୱବିଦ୍ୟାଳୟର ସମାବର୍ତନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେବା ପରେ କଲେଇକୁଣ୍ଡା ବାୟୂସେନା ଘାଟିରେ ପହଂଚି ସେଠାରୁ ବିମାନ ଯୋଗେ ଦିଲ୍ଲୀ ଗସ୍ତ କରିବେ ବୋଲି ବିଜେପି ରାଜ୍ୟ ସମ୍ପାଦକ ନବୀନ ରାମ୍, ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ ଏବଂ ଏସଏଲଏସ୍ ଟ୍ରଷ୍ଟର ଉପଦେଷ୍ଟା ମୁନ୍ନା ପ୍ରତିହାରୀ ସୂଚନା ପ୍ରଦାନ କରିଛନ୍ତି।
ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବାପରେ ତାଙ୍କ ବାପଘର ଉପରବେଡାଠାରେ ବିଦ୍ୟୁତ ଓ ରାସ୍ତାଘାଟ ସମସ୍ୟାର ଦୂର କରାଯାଉଥିବା ବେଳେ ସେଠାରେ ତାଙ୍କର ପୁତୁରା ଓ ପୁତୁରା ବୋହୂ ରହୁଛନ୍ତି । ସେହିପରି ତାଙ୍କ ଶଶୂର ଘର ଗ୍ରାମ ପାହାଡପୁରଠାରେ ପ୍ରଥମଥର ପାଇଁ ଦେଶର ପ୍ରଥମ ଗ୍ରାମ ଭାବେ ୫ଜି ସେବା ଯୋଗାଇ ଦିଆଯାଇଛି। ଏମସିଏଲ୍ ପକ୍ଷରୁ ବିଦ୍ୟାଳୟର ଉନ୍ନତି ନିମନ୍ତେ ୧ କୋଟି ଟଙ୍କା ପ୍ରଦାନ ଏବଂ ଗ୍ରାମରେ ଏକ ମିନିଷ୍ଟାଡିୟମ୍, ସ୍ୱାସ୍ଥକେନ୍ଦ୍ର ନିମନ୍ତେ ୫ କୋଟି ପ୍ରଦାନ କରାଯାଇଥିବା ବେଳେ ଏଲଏଣ୍ଡଟି ପକ୍ଷରୁ ଦକ୍ଷତା ବିକାଶ ତାଲିମ କେନ୍ଦ୍ର ପ୍ରତିଷ୍ଠା କରି ସେଠାକାର ଯୁବକ ଯୁବତୀ ମାନଙ୍କୁ ଉକ୍ତ କମ୍ପାନିରେ ନିଯୁକ୍ତି ପ୍ରଦାନ କରାଯିବ। ଭ୍ରାମ୍ୟମାଣ ଗ୍ରାହକସେବା କେନ୍ଦ୍ର ମଧ୍ୟ ଉଦଘାଟିତ କରାଯାଇଛି। ଏସଏଲଏସ୍ ସ୍କୁଲରେ ରାଜ୍ୟରେ ପ୍ରଥମ କରି ପ୍ରଧାନମନ୍ତ୍ରୀଙ୍କ ମିଶନ ସୌରାୟନ ଯୋଜନାରେ ସୌରୀକରଣ ଉଦଘାଟନ କରାଯାଇଛି। ଏହାବ୍ୟତୀତ ଗ୍ରାମଉନ୍ନୟନ ସଂସ୍ଥା ପକ୍ଷରୁ ଗ୍ରାମର ସମସ୍ତ ରାସ୍ତାଘାଟକୁ ଉନ୍ନତ ମାନର ନିର୍ମାଣ କରାଯାଉଛି। ଏହା ବ୍ୟତୀତ ମହୁଲଡିହାଠାରେ ୧୭.୮୦ କୋଟି ଟଙ୍କା ବ୍ୟୟବରାଦରେ ଏକ ସ୍ୱସତନ୍ତ୍ର ସର୍କିଟ୍ ହାଉସ୍ ମଧ୍ୟ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ତେବେ ଆଗକୁ ମଧ୍ୟ ରାଇରଙ୍ଗପୁର ଉପଖଣ୍ଡରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରାଯିବ ବୋଲି ସୂଚନା ମିଳିଛି।