ଭୁବନେଶ୍ବର/ନୂଆଦିଲ୍ଲୀ: ଓଡ଼ିଶାରେ ବିଜେପିର ଅଭ୍ୟୁଦୟରେ ବଳିଷ୍ଠ ଅବଦାନ ରଖିଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନ ଆଉ ନାହାନ୍ତି। ଗତ କିଛି ଦିନ ହେଲା ଅସୁସ୍ଥ ଥିବା ଡା. ପ୍ରଧାନ ଆଜି ପୂର୍ବାହ୍ନ ୧୦ଟା ୪ରେ ନୂଆଦିଲ୍ଲୀରେ ତାଙ୍କ ପୁଅ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସରକାରୀ ବାସଭବନରେ ଶେଷନିଃଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କୁ ୮୪ ବର୍ଷ ହୋଇଥିଲା। ଡାକ୍ତରୀ ପେସା ଛାଡ଼ି ଅଶୀ ଦଶକରେ ବିଜେପି ମଣ୍ଡଳ ସଭାପତି ଭାବେ କ୍ୟାରିଅର ଆରମ୍ଭ କରିଥିବା ଦେବେନ୍ଦ୍ର ପ୍ରଧାନ କେନ୍ଦ୍ରରେ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ଭୂପୃଷ୍ଠ ପରିବହନ ଓ କୃଷି ରାଷ୍ଟ୍ର ମନ୍ତ୍ରୀ ହୋଇଥିଲେ। ବହୁବର୍ଷ ହେଲା ରାଜନୀତିରୁ ଦୂରେଇ ରହିଥିବା ଦେବେନ୍ଦ୍ରଙ୍କ ବି‌େୟାଗରେ ରାଜନୈତିକ ମହଲରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Advertisment

ଡା. ପ୍ରଧାନଙ୍କ ପରଲୋକ ଖବର ପାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନରେ ତାଙ୍କର ଶେଷ ଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ସେହିପରି ଲୋକସଭା ବାଚସ୍ପତି ଓମ୍‌ପ୍ରକାଶ ବିର୍ଲା, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଜେପି ରାଷ୍ଟ୍ରୀୟ ସଭାପତି ତଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେ.ପି ନଡ୍ଡା, ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ, ବୟନଶିଳ୍ପ ମନ୍ତ୍ରୀ ଗିରିରାଜ ସିଂହ, ଆଦିବାସୀ ବ୍ୟାପାର କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ, କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ, କେନ୍ଦ୍ର ଶ୍ରମ ଓ କ୍ରୀଡ଼ା ବ୍ୟାପାର ମନ୍ତ୍ରୀ ମନସୁଖ୍‌ ମାଣ୍ଡଭିୟ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ସମେତ ବହୁ କେନ୍ଦ୍ର ମନ୍ତ୍ରୀ ଏବଂ ଓଡ଼ିଶାର ଲୋକସଭା ଓ ରାଜ୍ୟସଭାର ବହୁ ସାଂସଦ ସ୍ବର୍ଗତ ପ୍ରଧାନଙ୍କର ଶେଷ ଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ।

ଧର୍ମେନ୍ଦ୍ରଙ୍କ ଦିଲ୍ଲୀ ଘରେ ମୋଦୀ, ଶାହ, 
ରାଜନାଥଙ୍କ ଶ୍ରଦ୍ଧାଞ୍ଜଳି
ମୁଖ୍ୟମନ୍ତ୍ରୀ, ବାଚସ୍ପତି, ମନ୍ତ୍ରୀଗଣଙ୍କ ଶେଷ ଦର୍ଶନ
ଆଜି ସ୍ବର୍ଗଦ୍ବାରରେ ଶେଷକୃତ୍ୟ

ଅପରାହ୍ନରେ ଏୟାର ଇଣ୍ଡିଆ ବିମାନରେ ସ୍ବର୍ଗତ ପ୍ରଧାନଙ୍କ ପାର୍ଥିବ ଶରୀରକୁ ଭୁବନେଶ୍ବର ଅଣାଯାଇଥିଲା। ବିମାନବନ୍ଦରରେ ବାଚସ୍ପତି ସୁରମା ପାଢ଼ୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଓଡ଼ିଶା ସରକାରଙ୍କ ବହୁ ମନ୍ତ୍ରୀ, ବିଭିନ୍ନ ଦଳର ବିଧାୟକ, ବରିଷ୍ଠ ରାଜନେତା ତାଙ୍କର ଶେଷ ଦର୍ଶନ କରିବା ସହ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହାପରେ ଏକ ବିରାଟ ଶୋଭାଯାତ୍ରାରେ ତାଙ୍କ ପାର୍ଥିବ ଶରୀରକୁ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ନିଆଯାଇଥିଲା। ସେଠାରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ଅନ୍ୟ ବରିଷ୍ଠ ନେତା ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ପରେ ଶୋଭାଯାତ୍ରାରେ ପାର୍ଥିବ ଶରୀରକୁ ଚନ୍ଦ୍ରଶେଖରପୁରସ୍ଥିତ ପ୍ରାଚୀବିହାର ବାସଭବନକୁ ନିଆଯାଇଥିଲା। ସେଠାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି, ଦଳୀୟ କାର୍ଯ୍ୟକର୍ତ୍ତା ତାଙ୍କର ଶେଷ ଦର୍ଶନ କରିଥିଲେ। ଆସନ୍ତାକାଲି ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହେବ।

ସୂଚନାଯୋଗ୍ୟ ଯେ ୧୯୪୧ ମସିହାରେ ଢେଙ୍କାନାଳ ଜିଲ୍ଲା (ବର୍ତ୍ତମାନ ଅନୁଗୁଳ) କଣିହାଁ ବ୍ଲକ୍‌ର ନାଲମ ଗାଁରେ ଜନ୍ମିତ ଦେବେନ୍ଦ୍ର ପ୍ରଧାନ ୧୯୬୬ରେ ଏସ୍‌ସିବିରୁ ଏମ୍‌ବିବିଏସ୍‌ ଉତ୍ତୀର୍ଣ୍ଣ ହୋଇଥିଲେ। ଏସ୍‌ସିବିରେ ବର୍ଷେ ହାଉସ୍ ସର୍ଜନ ଭାବେ କାମ କରିବା ପରେ ତାଳଚେର ଡେରାରେ ଆସିଷ୍ଟାଣ୍ଟ ମେଡିକାଲ୍‌ ଅଫିସର ଭାବେ ଯୋଗଦେଇଥିଲେ। ୧୯୭୩ରେ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇଥିଲେ। ୧୯୮୦ରେ ବିଜେପିରେ ଯୋଗଦେବା ସହ ତାଙ୍କର ରାଜନୈତିକ କ୍ୟାରିଅର ଆରମ୍ଭ ହୋଇଥିଲା। ୧୯୮୦ରୁ ୧୯୮୩ ପର୍ଯ୍ୟନ୍ତ ତାଳଚେର ମଣ୍ଡଳ ସଭାପତି, ୧୯୮୩-୮୫ ଢେଙ୍କାନାଳ ଜିଲ୍ଲା ସଭାପତି ହୋଇଥିଲେ। ସେ ୧୯୮୮ରୁ ୧୯୯୦, ୧୯୯୦-୯୩, ୧୯୯୫ରୁ ୧୯୯୭ ପର୍ଯ୍ୟନ୍ତ ତିନି ଥର ବିଜେପିର ରାଜ୍ୟ ସଭାପତି ହୋଇଥିଲେ। ୧୯୮୪, ୧୯୯୬ରେ ସେ ଦେବଗଡ଼ରୁ ସାଂସଦ ପ୍ରାର୍ଥୀ, ୨୦୦୪ରେ ପାଲଲହଡ଼ାରୁ ବିଧାୟକ ପ୍ରାର୍ଥୀ ହୋଇଥିଲେ ବି ହାରି ଯାଇଥିଲେ। ୧୯୯୮ରେ ‌ସେ ଦେବଗଡ଼ରୁ ସାଂସଦ ଭାବେ ନିର୍ବାଚିତ ହେବା ସହ କେନ୍ଦ୍ରରେ ଭୂପୃଷ୍ଠ ପରିବହନ ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ। ୧୯୯୯ରେ ପୁଣି ଦେବଗଡ଼ରୁ ସାଂସଦ ହେବା ସହ କେନ୍ଦ୍ରରେ ଭୂ-ପୃଷ୍ଠ ପରିବହନ ଏବଂ କୃଷି ମନ୍ତ୍ରଣାଳୟର ରାଷ୍ଟ୍ର ମନ୍ତ୍ରୀ ହୋଇଥିଲେ। ୨୦୦୧ରେ ସେ ବି‌େଜପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ହୋଇଥିଲେ। ସ୍ବର୍ଗତ ପ୍ରଧାନଙ୍କ ବିୟୋଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି।