ଭୁବନେଶ୍ୱର: ଦେବେନ୍ଦ୍ର ପ୍ରଧାନ ଥିଲେ ଜଣେ ସଚ୍ଚା ଦେଶପ୍ରେମୀ। ଲୋକଙ୍କ କଲ୍ୟାଣ ପାଇଁ ସର୍ବଦା ବ୍ରତୀ ରହୁଥିଲେ। ଡାକ୍ତର ଭାବରେ ଲୋକଙ୍କ ସେବା କରିବା ସହିତ ରାଜନୀତିରେ ସାମୂହିକ ସ୍ବାର୍ଥକୁ ଗୁରୁତ୍ବ ଦେଉଥିଲେ। ସେ କେନ୍ଦ୍ରମନ୍ତ୍ରୀ ଥିବା ସମୟରେ ରାଜପଥ ଓ କୃଷିକ୍ଷେତ୍ର ଦିଗରେ ତାଙ୍କ ଦ୍ୱାରା ପ୍ରସ୍ତୁତ ରଣନୀତି, ନୀତିଗତ ସଂସ୍କାର ଜାତୀୟ ପ୍ରଗତିରେ ସହାୟକ ହୋଇଥିଲା। ଜୟଦେବ ଭବନରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବର୍ଷୀୟାନ ରାଜନେତା ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ସ୍ମୃତିରେ ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ ‘ସିଦ୍ଧପୁରୁଷ’ ପୁସ୍ତକ ଉନ୍ମୋଚନ ଅବସରରେ ରାଜ୍ୟପାଳ ହରିବାବୁ କମ୍ଭମ୍ପାଟି ଏହା କହିଛନ୍ତି।
ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ କହିଲେ, ଓଡ଼ିଶାର ବିକାଶ ପାଇଁ ସ୍ବର୍ଗତ ପ୍ରଧାନ ପ୍ରତିଶ୍ରୁତିବଦ୍ଧ ଥିଲେ। ନିଜର ସାଂଗଠନିକ ଦକ୍ଷତା ବଳରେ ସେ ଲୋକଙ୍କ ସ୍ବର ପାଲଟିଥିଲେ। ଆଜି ଯେଉଁ ସ୍ମରଣିକା ଉନ୍ମୋଚନ ହୋଇଛି, ତାହା କେବଳ ତାଙ୍କ ସ୍ମୃତି ସଂଗ୍ରହର ବିଷୟ ନୁହେଁ, ବରଂ ତାଙ୍କର ଜୀବନ ଚରିତ୍ର, ସେବା, ଦେଶ ନିର୍ମାଣ ତଥା ଜଣେ ଅନନ୍ୟ ନେତୃତ୍ୱର ପ୍ରତିଫଳନ। ମୁଖ୍ୟବକ୍ତା ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ କହିଲେ, ପରକୁ ଆପଣା କରିବାର କୌଶଳ ଦେବେନ୍ଦ୍ର ବାବୁଙ୍କୁ ଜଣାଥିଲା। ସବୁ ସମୟରେ ସାମୂହିକ ସ୍ବାର୍ଥ ପାଇଁ କାର୍ଯ୍ୟ କରୁଥିଲେ। ଧୈର୍ଯ୍ୟ ନ ହରାଇ ଦଳର କଠିନ ସମୟରେ ନିଜର ସାଂଗଠନିକ ଦକ୍ଷତାର ପ୍ରମାଣ ଦେଇଥିଲେ। ତାଙ୍କ ମନରେ ଆଦୌ ଗର୍ବ କିମ୍ବା ଅହଙ୍କାର ନଥିଲା। ଓଡ଼ିଶାର ବିକାଶ କ୍ଷେତ୍ରରେ ମଧ୍ୟ ତାଙ୍କର ଅନେକ ଅବଦାନ ରହିଥିବା ଶ୍ରୀ ହରିଚନ୍ଦନ କହିଥିଲେ।
‘ସିଦ୍ଧପୁରୁଷ’ ପୁସ୍ତକ ଉନ୍ମୋଚିତ
ପରକୁ ଆପଣା କରିବାର କୌଶଳ ଜାଣିଥିଲେ ଦେବେନ୍ଦ୍ର ବାବୁ: ବିଶ୍ବଭୂଷଣ
ଦେବେନ୍ଦ୍ର ବାବୁ ଥିଲେ ଦୁର୍ଲଭ ମଣିଷ: ସୌମ୍ୟରଞ୍ଜନ
ସ୍ବତନ୍ତ୍ର ଅତିଥି ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ କହିଲେ, ଦେବେନ୍ଦ୍ର ବାବୁ ଜଣେ ଦୁର୍ଲଭ ମଣିଷ ଥିଲେ। କେନ୍ଦ୍ରମନ୍ତ୍ରୀ ଥିବା ସମୟରେ ତାଙ୍କ ଯୋଗୁ ଓଡ଼ିଶା ପରିବହନ କ୍ଷେତ୍ରର ବିକାଶ ଘଟିଥିଲା। ଯାହା ତାଙ୍କୁ ‘ସଡ଼କ ମଣିଷ’ର ପରିଚୟ ଦେଇଥିଲା। ଏହି ଆଦର୍ଶ ପୁରୁଷ ନିରହଙ୍କାର ଭାବେ ସାଂଗଠନିକ ଦାୟିତ୍ବ ତୁଲାଇବା ସହିତ ଯୁବନେତୃତ୍ବଙ୍କୁ ସର୍ବଦା ସୁଯୋଗ ଦେଇ ଆସୁଥିଲେ। ରାଜ୍ୟରେ ବିଜେପିକୁ ତିନି ନମ୍ବର ପାର୍ଟିରୁ ଏକ ନମ୍ବର ପାର୍ଟିରେ ପରିଣତ କରିବା ଦିଗରେ ସ୍ବର୍ଗତ ପ୍ରଧାନଙ୍କ ଅବଦାନ ଅତୁଳନୀୟ ଥିଲା ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।
ଅନ୍ୟତମ ସ୍ବତନ୍ତ୍ର ଅତିଥି ଗୀତିକାର ମିତ୍ରଭାନୁ ଗୌନ୍ତିଆ କହିଲେ, ଡା.ପ୍ରଧାନଙ୍କ ବିୟୋଗରେ ଆମେ ଜଣେ ସୁନାପୁଅଙ୍କୁ ହରାଇଛୁ। ସରଳ ଓ ଅମାୟିକ ବ୍ୟକ୍ତିତ୍ୱ ଥିଲା ତାଙ୍କର ପରିଚୟ। ଆଜିକାଲିର ନେତାମାନେ ତାଙ୍କ ପଥକୁ ଅନୁସରଣ କରିବା ଉଚିତ। ଏହି ଅବସରରେ ଡା.ପ୍ରଧାନଙ୍କ ଉପରେ ଲେଖକ ବିକ୍ରମ କେଶରୀ ଜେନାଙ୍କ ରଚିତ ଇଂରାଜୀ ପୁସ୍ତକ ‘ଏ ଟ୍ରିବ୍ୟୁଟ୍ ଟୁ ଦି ରୋଡ୍ମ୍ୟାନ୍’କୁ ଅତିଥିମାନେ ଉନ୍ମୋଚନ କରିଥିଲେ। ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନର ପ୍ରକାଶକ ଗଙ୍ଗାଧର ତ୍ରିପାଠୀ ସ୍ବାଗତ ଭାଷଣ ଦେଇଥିଲେ। ଅଧ୍ୟାପକ ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।