ଦେବଗଡ଼: ଜିଲ୍ଲାପରିଷଦ ନିର୍ବାଚନରେ ରାଜ୍ୟରେ ବିଜେପିକୁ ଜୋରଦାର ଝଟ୍କା ଲାଗିଛି। ବିଶେଷକରି ବିଜେପିର ଗଡ଼ କୁହାଯାଉଥିବା ଦେବଗଡ଼ରେ ବିଜେପିର ଶୋଚନୀୟ ପ୍ରଦର୍ଶନ ଦଳର ନେତୃବୃନ୍ଦଙ୍କୁ ଚିନ୍ତାରେ ପକାଇ ଦେଇଛି। ଅନ୍ୟପକ୍ଷରେ ବିଜେଡି ସମସ୍ତ ଜୋନ୍କୁ ହାତେଇ ନେଇ ବଡ଼ ସଫଳତା ହାସଲ କରି ଜିଲ୍ଲା ପରିଷଦ ଗଠନ କରିବାକୁ ସଜବାଜ ହେଉଛି। ଅନ୍ୟପକ୍ଷରେ ବିଜେପି ଏହି ୭ଟି ଜାକ୍ ଜୋନ୍ରେ ୨୦୧୭ ନିର୍ବାଚନରେ ହାସଲ କରିଥିବା ଭୋଟ୍ର ଅଧା ବି ପାଇବାରେ ସକ୍ଷମ ହୋଇନି।
ଚଳିତ ନିର୍ବାଚନରେ ବିଜେପିର ଗଡ ଭାଙ୍ଗି ଜିଲ୍ଲା ପରିଷଦ ନିଜ କବଜାକୁ ନେଇଛି ବିଜେଡି। ୨୦୧୨ ନିର୍ବାଚନରେ ବିଜେଡି ହାତରେ ୭ ଜିଲ୍ଲା ପରିଷଦ ଆସନ ସହିତ ୩ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ରହିଥିଲା। ଦେଖିବାକୁ ଗଲେ ଏହି ନିର୍ବାଚନରେ ୨୦୧୨ର ସ୍ଥିତିର ପୁନରାବୃତ୍ତି ହୋଇଛି। ୨୦୧୭ ନିର୍ବାଚନ ଅପେକ୍ଷା ଚଳିତ ନିର୍ବାଚନରେ ବିଜେଡି ଦୁଇଗୁଣ ନହେଲେ ମଧ୍ୟ ପ୍ରାୟ ପାଖାପାଖି ଭୋଟ୍ ହାତେଇଛି। ୨୦୧୭ ନିର୍ବାଚନରେ ୭ ଜିଲ୍ଲା ପରିଷଦ ଦଖଲ କରିଥିବା ବିଜେପି ମୋଟ୍ ୮୫,୧୫୬ ଖଣ୍ଡ ଭୋଟ୍ ପାଇଥିଲା।
କିନ୍ତୁ ଚଳିତ ନିର୍ବାଚନରେ ଭୋଟ୍ ସଂଖ୍ୟା କମି ୪୧,୨୬୫ ଖଣ୍ଡରେ ସୀମିତ ରହିଯାଇଛି। ଗତ ନିର୍ବାଚନ ଅପେକ୍ଷା ଚଳିତ ନିର୍ବାଚନରେ ବିଜେପି ୪୩, ୮୯୧ ଖଣ୍ଡ ଭୋଟ୍ କମ୍ ପାଇଛି। ଅନ୍ୟପକ୍ଷରେ ବିଜେଡି ୨୦୧୭ ନିର୍ବାଚନରେ ୭ ଜିଲ୍ଲା ପରିଷଦରେ ୬୦, ୪୬୨ ଖଣ୍ଡ ଭୋଟ୍ ପାଇଥିଲା। କିନ୍ତୁ ଚଳିତ ନିର୍ବାଚନରେ ବିଜେଡି ୧ଲକ୍ଷ ୧୭ ହଜାର ୧୧୫ ଖଣ୍ଡ ଭୋଟ ପାଇଛି। ଗତ ନିର୍ବାଚନ ଅପେକ୍ଷା ୫୬,୬୫୩ ଖଣ୍ଡ ଭୋଟ୍ ଅଧିକ ପାଇଛି। ଅନ୍ୟପଟେ କଂଗ୍ରେସ ୨୦୧୭ ନିର୍ବାଚନରେ ୧୬,୯୮୧ ଖଣ୍ଡ ଭୋଟ ପାଇଥିବା ବେଳେ ଚଳିତ ନିର୍ବାଚନରେ ମାତ୍ର ୧୧,୭୬୭ ଖଣ୍ଡ ଭୋଟ୍ ପାଇଛି। ଦେଖିବାକୁ ଗଲେ କଂଗ୍ରେସ ଭୋଟ୍ ମଧ୍ୟ ଗତ ନିର୍ବାଚନ ଅପେକ୍ଷା ୫୨୧୪ ଖଣ୍ଡ କମିଯାଇଛି।