ପାଟକୁରା: ବରଫ ଝଡ଼ରେ ସହିଦ ହେଲେ ପାଟକୁରା ଅଞ୍ଚଳର ଦେବୀ ପ୍ରସନ୍ନ ସୂତାର। ଗତକାଲି ବରଫ ଅତଡା ଖସି ଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନାର ଅନତ ଦୂରରେ ଥିବା ଜଗଦଳପୁର ଗ୍ରାମର ନାରାୟଣ ସୂତାରଙ୍କ ସାନ ପୁଅ ଦେବୀ ପ୍ରସନ୍ନ ସୂତାର(୩୬) ଜମ୍ମୁ- କଶ୍ମୀରରେ ସେନାରେ ସିଭିଲ ଇଞ୍ଜିନିଅର ଭାବେ କାର୍ଯ୍ୟରତ ଥିଲେ।
କାଶ୍ମୀର ରାସ୍ତାରେ ତାଙ୍କ ଗାଡ଼ି ଅତିକ୍ରମ କରୁଥିବାବେଳେ ବରଫ ଜମି ରହିଲା ଫଳରେ ଜେସିବି ମେସିନରେ ବରଫ ସଫା କରାଯାଉଥିବାବେଳେ ନିକଟରେ ଦେବୀ ପ୍ରସନ୍ନ ରହିଥିଲେ। ସେହି ସମୟରେ ଉପରୁ ତଳକୁ ବରଫ ଧସି ଖସି ପଡ଼ିବାରୁ ଜେସିବି ଡ୍ରାଇଭର ଓ ଦେବୀ ପ୍ରସନ୍ନ ବରଫ ତଳେ ରହି ଯାଇଥିଲେ। ଗତକାଲି ଦିନ ୧ଟା ସମୟରେ ଏହି ଘଟଣା ଘଟିଥିବା ସୂଚନା ରହିଛି। ଦେବୀ ପ୍ରସନ୍ନଙ୍କ ସ୍ତ୍ରୀ ଓ ପୁଅ କାଶ୍ମୀରରେ ତାଙ୍କ ପାଖରେ ରହୁଥିଲେ। ଆଜି ଗାଁରେ ଯବାନଙ୍କ ମରଶରୀର ପହଞ୍ଚିବା ସହ ଗାଁରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବା ନେଇ ସୂଚନା ରହିଛି।