ଫୁଲୁଛି ଦେବୀ, କୂଳ ଖାଉଛି ସମୁଦ୍ର

ଜଗତସିଂହପୁର/ଗାରୋଇ/ଏରସମା : ଜଗତସିଂହପୁର ଜିଲ୍ଲାରେ ଦେବୀ ନଦୀରେ ବନ୍ୟା ଜଳ ଧୀରେଧୀରେ ବଢିବାରେ ଲାଗିଛି। ଗୋଟିଏ ପଟେ ସମୁଦ୍ର ଜୁଆର ସାଙ୍ଗକୁ ଦେବୀ ନଦୀରେ ବନ୍ୟା ଜଳ ତଳିଆ ଅଞ୍ଚଳର ଲୋକଙ୍କୁ ଆତଙ୍କିତ କରିଛି। ଏରସମା ନିକଟରେ ସମୁଦ୍ର କୂଳ ଲଂଘୁ ଥିବାବେଳେ ତଳିଆ ଅଞ୍ଚଳରେ ଲୁଣା ପାଣି ମାଡି ଯାଇଛି।

ମହାନଦୀର ତାରପୁରଠାରୁ ପଙ୍କପାଳ, ପଙ୍କପାଳଠାରୁ ଚୋଉମୂହାଣି, ନଳପୁର, ଶରଣପୁର, କୁକୁରିଖାଇ, ତେରମାଣପୁର, ଦେବୀ ନଦୀର ଦଳେଇ ଘାଈ, ବାଲିପାଟଣା, ଆଳିପିଙ୍ଗଳ ଓ ମାଛଗାଁ ଅଞ୍ଚଳରେ ବାଲିବସ୍ତା ରଖାଯାଇଛି। ୧୯୯୪ ମସିହାରେ ବିରିଡ଼ି ନିକଟ ଘଡ଼ିମୂଳ ଠାରେ ଘାଈ ଭାଙ୍ଗିବା ଯୋଗୁଁ ନାଉଗାଁ ଅଞ୍ଚଳରେ ବନ୍ୟା ହୋଇଥିଲା। ଅନ୍ୟପଟେ ନଦୀ କୂଳରେ ଥିବା ବଛାଳୋ ପଞ୍ଚାୟତ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ବଛାଳୋ ନଦୀବନ୍ଧକୁ ସୁରକ୍ଷା ଦେବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ପଥର ପ୍ୟାକିଂ ଓ ବୁରୁଜ ନିର୍ମାଣ କରାଯାଇଛି। ସେହିପରି ଶିଖରଘାଟଠାରୁ ଅଙ୍ଗେଶ୍ୱରପଡ଼ା ପର୍ଯ୍ୟନ୍ତ ଅବସ୍ଥା ମଧ୍ୟ ସଙ୍ଗୀନ ରହିଛି। ସବୁଠାରୁ ବିପଦ ସଂକୁଳ ଅବସ୍ଥାରେ ରହିଛି ଓଷକଣା ପଞ୍ଚାୟତ। ଏହି ପଞ୍ଚାୟତକୁ ଦେବୀ ନଦୀ ଚାରିପଟୁ ଘେରି ରହିଛି। ଏଠାରେ ନଦୀ ବନ୍ଧକୁ ସୁରକ୍ଷା ଦେବା ନିମନ୍ତେ ଜଳ ସମ୍ପଦ ବିଭାଗ ପକ୍ଷରୁ ୪ କୋଟି ୨୦ ଲକ୍ଷ ୩ ହଜାର ୫୨୬ଟଙ୍କା ବ୍ୟୟରେ ପଥର ପ୍ୟାକିଂ ନିର୍ମାଣ କରାଯାଇଥିଲା। ମାତ୍ର ଏହାର ମାନକୁ ନେଇ ଅଭିଯୋଗ ହୋଇଆସୁଛି। ଅନ୍ୟପଟେ କୋରୁଅ ପଞ୍ଚାୟତର ନଦୀ ଘେରା ଗାଁ ସୁଧାକଣ, ଗାରୋଇ, ଡାହାଣିଖିଆ ପ୍ରଭୃତି ଅଞ୍ଚଳ ବିପଦପୂର୍ଣ୍ଣ ସ୍ଥିତିରେ ରହିଛି।

ସାମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିବା ସହ ଦେବୀ ଓ ମହାନଦୀର ବିପଦ ସଂକୁଳ ସ୍ଥାନରେ ବାଲିବସ୍ତା ମହୁଜୁଦ୍‌ ରଖାଯାଇଛି। ତଳିଆ ଅଞ୍ଚଳର ଲୋକଙ୍କୁ ସଚେତନ କରାଯାଉଛି ବୋଲି ଜିଲ୍ଲାପାଳ ଯାମିନି ଷଡ଼ଙ୍ଗୀ କହିଛନ୍ତି।

ସମ୍ବନ୍ଧିତ ଖବର