ଭୁବନେଶ୍ବର : ଖାତା ଦେଖିବାକୁ ପହଞ୍ଚି ସାରିଛନ୍ତି ମୂଲ୍ୟାୟନକାରୀ। ୩୬ ଘଣ୍ଟା ହେଲା ଉତ୍ତର ଖାତା ଦେଖିବାକୁ ଅପେକ୍ଷା କରି ରହିଛନ୍ତି। ମାତ୍ର ମୂଲ୍ୟାୟନ କେନ୍ଦ୍ରରେ ଆଜି ସନ୍ଧ୍ୟା ସୁଦ୍ଧା ପହଞ୍ଚିପାରିନି ଉତ୍ତର ଖାତା। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍ଇ) ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାର ଉତ୍ତର ଖାତା ମୂଲ୍ୟାୟନରେ ଏଭଳି ସମସ୍ୟା ସୃଷ୍ଟି ହୋଇଛି। ରାଜ୍ୟର ଏକାଧିକ ମୂଲ୍ୟାୟନ କେନ୍ଦ୍ରରେ ଏଭଳି ସମସ୍ୟା ସୃଷ୍ଟି ହୋଇଥିବାରୁ ମୂଲ୍ୟାୟନକାରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ସେହିପରି ଗତବର୍ଷ ଖାତା ମୂଲ୍ୟାୟନର ଅର୍ଥ ମୂଲ୍ୟାୟନକାରୀ ଆଜି ସୁଦ୍ଧା ପାଇ ନ ଥିବା ମଧ୍ୟ ଅଭିଯୋଗ ହୋଇଛି।
ଜଣେ ଶିକ୍ଷକଙ୍କ ଅଭିଯୋଗ ଅନୁଯାୟୀ ମୂଲ୍ୟାୟନକାରୀଙ୍କ ଜିଲ୍ଲା ଚୟନରେ ବ୍ୟାପକ ଅନିୟମିତତା ହୋଇଛି। ଦୁଇରୁ ତିନିଟି ଜିଲ୍ଲାର ପାର୍ ହୋଇ ଶିକ୍ଷକମାନେ ମୂଲ୍ୟାୟନ କରିବାକୁ ଆସିଛନ୍ତି। ବରଗଡ଼ ଜିଲ୍ଲା ଶିକ୍ଷକଙ୍କର ଝାରସୁଗୁଡ଼ାରେ ପଡ଼ିଥିବା ବେଳେ ଯାଜପୁର ଜିଲ୍ଲା ଶିକ୍ଷକଙ୍କର ଭୁବନେଶ୍ବର ପଡ଼ିଛି। ଯେତେବେଳେ କି ସମ୍ପୃକ୍ତ ଜିଲ୍ଲାରେ ବି ପରୀକ୍ଷା କେନ୍ଦ୍ର ହୋଇଛି। ସେଠାରେ ମୂଲ୍ୟାୟନ କରିବାକୁ ଦିଆଯାଇ ନାହିଁ। ଦୁଇ ଦିନ ହେଲା ମୂଲ୍ୟାୟନ କେନ୍ଦ୍ରରେ ପହଞ୍ଚିଥିଲେ ମଧ୍ୟ ଉତ୍ତର ଖାତା ଆସି ନାହିଁ। ପୂର୍ବରୁ ବିଜ୍ଞାନ ବିଷୟରେ ଏଭଳି ସମସ୍ୟା ହୋଇଥିବା ବେଳେ ଏବେ ଗଣିତ ବିଷୟ ଖାତା ଠିକ୍ ସମୟରେ ପହଞ୍ଚି ନଥିବାରୁ ହଇରାଣ ହେବାକୁ ପଡ଼ୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/CBSE.jpg)