ଭୁବନେଶ୍ୱର: ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ବିଶିଷ୍ଟ ଭାଷାବିତ୍ ଡ. ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ‘ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମାନ’ରେ ସମ୍ମାନିତ କରାଯିବ। ଓଡ଼ିଆ ଭାଷା ଉପରେ ତାଙ୍କର ଉଚ୍ଚକୋଟୀର ଗବେଷଣା ଦିଗରେ ଜୀବନବ୍ୟାପୀ ସାଧନାର ସ୍ୱୀକୃତି ସ୍ୱରୂପ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରିବେ। ପୁରସ୍କାର ବାବଦରେ ତାଙ୍କୁ ୨୦ ଲକ୍ଷ ଟଙ୍କା ଓ ମାନପତ୍ର ପ୍ରଦାନ କରାଯିବ। ଶ୍ରୀ ପଟ୍ଟନାୟକଙ୍କ ଗବେଷଣା ଓଡ଼ିଆ ଭାଷାକୁ ବହୁ ଭାବରେ ସମୃଦ୍ଧ କରିଛି। ଭାରତର ଜଣେ ବିଶିଷ୍ଟ ବିଦ୍ୱାନ ଓ ଭାଷାବିତ୍ ଭାବରେ ସେ ସୁପରିଚିତ। ଭାରତୀୟ ଭାଷା ପ୍ରତିଷ୍ଠାନର ପ୍ରତିଷ୍ଠାତା ନିର୍ଦ୍ଦେଶକ ଭାବରେ ଶ୍ରୀ ପଟ୍ଟନାୟକ ଅନେକ ସୁନାମ ଅର୍ଜନ କରିଛନ୍ତି। ଭାରତୀୟ ଭାଷା ସମୂହର ବିକାଶ ଦିଗରେ ତାଙ୍କର ସମର୍ପିତ ଉଦ୍ୟମ ପାଇଁ ସେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ଦିଗରେ ତାଙ୍କର ବହୁମୂଲ୍ୟ ଅବଦାନ ଅତୁଳନୀୟ। ଭାରତୀୟ ଭାଷା ପରିଷଦର ସଭାପତି ତଥା ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟର ଭାଷା ବିଭାଗର ପୂର୍ବତନ ପ୍ରଫେସର ଜି ଉମା ମହେଶ୍ୱର ରାଓ, ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ପ୍ରଧାନ, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପି.କେ ସ୍ୱାଇଁ ଓ ଶାସ୍ତ୍ରୀୟ ଓଡ଼ିଆ ଅଧ୍ୟୟନ ଉତ୍କର୍ଷ କେନ୍ଦ୍ରର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଫେସର ବସନ୍ତ କୁମାର ପଣ୍ଡାଙ୍କୁ ନେଇ ଓଡ଼ିଶା ସରକାରଙ୍କ ଦ୍ୱାରା ଗଠିତ କମିଟି ସର୍ବସମ୍ମତି କ୍ରମେ ଡ. ଦେବୀପ୍ରସନ୍ନ ପଟ୍ଟନାୟକଙ୍କ ନାମକୁ ଏହି ସମ୍ମାନଜନକ ପୁରସ୍କାର ପାଇଁ ସୁପାରିସ୍ କରିଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp