ମାଲକାନଗିରି: ଧ୍ରୁବ ଜନଜାତିଙ୍କର ଅଜବ ପରଂପରା।ଯାହା ନଦେଖିଲେ ବିଶ୍ବାସ ହେବ ନାହିଁ। ପ୍ରତି ୩ ବର୍ଷରେ ଥରେ ଧ୍ରୁବ ଜନଜାତିର ଇଷ୍ଟଦେବୀଙ୍କର ବଡଯାତ୍ରା ହୋଇଥାଏ। ଏହି ଯାତ୍ରାରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ। ମାନସିକ ପୂରଣ ହେଲେ ଭକ୍ତମାନେ ମା’ଙ୍କ ନିକଟରେ ଚଷମା ଚଢାଇଥାନ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ସୀମାନ୍ତ ଛତିଶଗଡ଼ର ବସ୍ତର ଜିଲ୍ଲାର କୁଟୁମସର ଗ୍ରାମରେ। ଏଠାରେ ରହିଥିବା ଗୁମ୍ଫା ସହ ଏହି ଜନଜାତିର ସଂସ୍କୃତି ଓ ପରଂପରା ପାଇଁ ଏହି ଅଂଚଳ ବେଶ ଚର୍ଚିତ। ଏହି ଅଂଚଳରେ ଧ୍ରୁବ ଜାନଜାତିର ଆଦିମ ଆଦିବାସୀ ବସବାସ କରନ୍ତି। ଏହି ଜନଜାତିର ଆରାଧ୍ୟ ଦେବୀ ବାସ୍ତାକୁଧିନଙ୍କର ଆସ୍ଥାନ ରହିଛି। ପ୍ରତି ତିନି ବର୍ଷରେ ଥରେ ଏଠାରେ ବଡ ଯାତ୍ରା ପାଳନ ହୋଇଥାଏ। ଆଖପାଖ ଗ୍ରାମର ହଜାର ହଜାର ଭକ୍ତ ଯାତ୍ରା ଓ ମେଳା ଦେଖିବା ପାଇଁ ଆସନ୍ତି। ଆଉ ପୂର୍ବରୁ କରିଥିବା ମାନସିକ ପୂରଣ ହେଲେ କୁକୁଡା, ବତକ, ଛେଳି କିମ୍ବା ନଡିଆ ଫଳ ପ୍ରଦାନ କରିନଥାନ୍ତି। ଏମାନେ ମାନସିକ ପୂରଣ ହେଲେ ଚଷମା ଦେବୀଙ୍କ ନିକଟରେ ଚଢାଇଥାନ୍ତି।
ମାନ୍ୟତ ରହିଛି ଯେ ଦେବୀଙ୍କୁ ଚଷମା ଚଢାଇରେ କୌଣସି ନେତ୍ର ରୋଗ ହେବ ନାହିଁ। ପରିବାରର ସମସ୍ତଙ୍କ ସ୍ବାସ୍ଥ୍ୟ ଠିକ ରହିବ। ଗ୍ରାମବାସୀଙ୍କୁ ଲାଗି ରହିଥିବା ବିଭିନ୍ନ ରୋଗରୁ ମଧ୍ୟ ଦେବୀ ଭଲ କରନ୍ତି। କାହିଁ କେଉଁ କାଳରୁ ଏହି ଜନଜାତି ଏହି ପରଂପରାକୁ ମାନି ଚଳି ଆସୁଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ହେଲା ଦେବୀଙ୍କ ନିକଟରେ ଏହି ଅଂଚଳର ଆଦିବାସୀଙ୍କର ବିଶ୍ବାସ ରହିଛି ଯେ ଦେବୀଙ୍କୁ ଚଷମା ଚଢାଇଲେ ଚକ୍ଷୁ ରୋଗରୁ ମୁକ୍ତି ମିଳିବା ସହ ଏହା ବ୍ୟାପିବ ନାହିଁ। ଆଖପାଖ ଗାଁରୁ ଆସିଥିବା ଦେବୀଙ୍କର ଲାଠିକୁ ପୂଜା କରାଯାଇଥାଏ। ବିଭିନ୍ନ ସ୍ଥାନରୁ ଆସୁଥିବା ମହିଳା ଓ ପୁରୁଷମାନେ ନିଜ ସହ ଚଷମା ଓ ମଦ ନେଇ ଆସିଥାନ୍ତି। ଏମାନଙ୍କ ଠାରୁ ହିଁ ଭକ୍ତମାନେ ମଦ ଓ ଚଷମା କିଣି ଦେବୀଙ୍କୁ ଅର୍ପଣ କରିଥାନ୍ତି। ଦେବୀଙ୍କୁ ମଦ ଚଢାଇବା ପରେ ପ୍ରସାଦ ରୂପେ ସେହି ମଦକୁ ସମସ୍ତେ ପିଇଥାନ୍ତି। ଅନ୍ଧବିଶ୍ବାସ ଓ ପରଂପରାରେ ନିବିଡ ଭାବେ ଜଡିତ ହୋଇଥିବାରୁ ଏମାନେ ଆଧୁନିକ ସଭ୍ୟତା ଠାରୁ ଦୁରେଇ ଯାଉଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ। ଧ୍ରୁବ ଜନଜାତିଙ୍କ ଏହି ଅଜବ ପରଂପରାକୁ ଲୋକେ ଦେଖିବା ପାଇଁ ମଧ୍ୟ ଭିଡ ଜମାଉଥିବା ଦେଖିବାକୁ ମିଳିଛି।