ଭୁବନେଶ୍ବର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଆସୁଥିବା ଶ୍ରଦ୍ଧାଳୁ ସୁଲଭ ମୂଲ୍ୟରେ ମହାପ୍ରସାଦ ପାଇବୋ। ଜଣେ ବ୍ୟକ୍ତି ମାତ୍ର ଶହେ ଟଙ୍କାରେ ଅନ୍ନ, ଡାଲି, ବେସର, ମହୁର ପାଇ ମନଖୁସିରେ ଘରକୁ ଫେରିବେ। ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି ବୋଲି ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ସିଏସ୍ଆଇଆର୍-ଆଇଏମ୍ଏମ୍ଟି ପରିସରରେ ଅନୁଷ୍ଠିତ ‘ଆନ୍ତର୍ଜାତିକ ଶ୍ରୀଜଗନ୍ନାଥ ଚେତନା ମହୋତ୍ସବ’ର ଉଦ୍ଯାପନୀ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି।
ମନ୍ତ୍ରୀ କହିଲେ, ଗଜପତି ମହାରାଜାଙ୍କ ଅନୁରୋଧକ୍ରମେ ସରକାରଙ୍କ ପକ୍ଷରୁ ଅନ୍ନଯଜ୍ଞ ମଣ୍ଡପର ପରିକଳ୍ପନା କରାଯାଇଛି। ଶୃଙ୍ଖଳା ଦୃଷ୍ଟିକୋଣରୁ ଶ୍ରୀମନ୍ଦିରର ନୀତି ପାଇଁ ବିଭିନ୍ନ ସମୟରେ ଖାଇବା ବନ୍ଦୋବସ୍ତକୁ ବନ୍ଦ ରଖାଯାଉଛି। ଅନ୍ତତଃ ଶ୍ରୀମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁମାନେ ଏହି ଅନ୍ନଯଜ୍ଞ ମଣ୍ଡପରେ କିଭଳି ଅନାୟାସରେ ପ୍ରସାଦ ପାଇବେ ସେ ନେଇ ସରକାର ଚିନ୍ତା କରୁଛନ୍ତି। ଏଥିପାଇଁ ଅନେକ ସହୃଦୟ ବ୍ୟକ୍ତି ଓ ଅନୁଷ୍ଠାନ ଆଗେଇ ଆସିଲେଣି। ସେହିପରି ଶୁଦ୍ଧ
ଗୁଆଘିଅରେ ମହାପ୍ରସାଦ ପ୍ରସ୍ତୁତି ନେଇ ସରକାର କାର୍ଯ୍ୟ ଆରମ୍ଭ କରିଥିବା ମନ୍ତ୍ରୀ କହିଛନ୍ତି। ଶ୍ରୀ ହରିଚନ୍ଦନ ଆହୁରି କହିଲେ, ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ନିମନ୍ତେ ଶ୍ରୀକ୍ଷେତ୍ରରେ ଏକ ଉଚ୍ଚକ୍ଷମତା ସମ୍ପନ୍ନ ପାଠାଗାର ତଥା ଗବେଷଣା କେନ୍ଦ୍ର ନିର୍ମାଣ କରାଯିବ। ନୀଳମାଧବଙ୍କଠାରୁ ଆରମ୍ଭ କରି ଚତୁର୍ଦ୍ଧାମୂର୍ତ୍ତିଙ୍କ ଦୈନନ୍ଦିନ ନୀତି ପର୍ଯ୍ୟନ୍ତ, ସମସ୍ତ ତଥ୍ୟ ଗୋଟିଏ ସ୍ଥାନରେ ଗବେଷକମାନେ ପାଇ ପାରିବେ। ସେହିଭଳି ଶ୍ରୀମନ୍ଦିରରେ ଅନ୍ୟଧର୍ମର ବ୍ୟକ୍ତିବିଶେଷଙ୍କ ପ୍ରବେଶ ଉପରେ କଟକଣାକୁ ଦୃଷ୍ଟିରେ ରଖି ଏକଲକ୍ଷ ବର୍ଗଫୁଟ ସ୍ଥାନରେ ଏକ ସ୍ବୟଂସମ୍ପନ୍ନ ବିଶ୍ବସ୍ତରୀୟ ବ୍ୟାଖ୍ୟାନ କେନ୍ଦ୍ର ନିର୍ମାଣ କରାଯିବ। ଏଠାରେ ଦାରୁବ୍ରହ୍ମଙ୍କ ଇତିବୃତ୍ତଠାରୁ ଆରମ୍ଭ କରି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ଲୀଳାଖେଳା ସ୍ଥାନିତ ହେବ। ଏହାକୁ ବୁଲିବା ପାଇଁ ଜଣେ ବ୍ୟକ୍ତିଙ୍କୁ ଗୋଟିଏ ଦିନ ସମୟ ଲାଗିବ। ଏଠାରୁ ଫେରିବା ସମୟରେ ଶ୍ରଦ୍ଧାଳୁମାନେ ଶ୍ରୀଜଗନ୍ନାଥ ସଂସ୍କୃତି ସମ୍ପର୍କିତ ଅନେକ ଗହନ କଥା ସାଥୀରେ ନେଇ ଫେରିବେ।
ରତ୍ନଭଣ୍ଡାର ସମ୍ପର୍କରେ ମନ୍ତ୍ରୀ କହିଛନ୍ତି ଯେ ଖୁବ୍ଶୀଘ୍ର ରତ୍ନଭଣ୍ଡାରର ମରାମତି ସମ୍ପୂର୍ଣ୍ଣ ହେବ। ରତ୍ନଭଣ୍ଡାରର ଗଣତି ମଣତି ପରେ ପ୍ରତ୍ୟେକ ଅଳଙ୍କାରର ଫଟୋ ଉଠାଯାଇ ଏହାର ନାମକରଣ ସହିତ ବର୍ଗୀକରଣ କରାଯିବ। ଏହି ଡିଜିଟାଲ ତାଲିକା ପ୍ରସ୍ତୁତି ପରେ ଆସନ୍ତା ୫ଶହ ବର୍ଷ ପର୍ଯ୍ୟନ୍ତ ରତ୍ନଭଣ୍ଡାର ଅଳଙ୍କାରର ସୁରକ୍ଷା ପ୍ରତି କୌଣସି ପ୍ରଶ୍ନବାଚୀ ସୃଷ୍ଟି ହେବନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2024/10/19/GRZ0kZd02dTazPHk6L7r.jpg)