ଶ୍ରୀମନ୍ଦିରରେ ସେବାୟତଙ୍କ ଔଦ୍ଧତ୍ୟ : ଭକ୍ତଙ୍କୁ ନିର୍ଘାତ ପିଟିଲେ

ପୁରୀ : ଶ୍ରୀମନ୍ଦିରରେ ସେବାୟତଙ୍କ ଔଦ୍ଧତ୍ୟ ସବୁ ସୀମା ଟପିଗଲାଣି। ନିକଟରେ ମହାପ୍ରଭୁଙ୍କୁ ଉପବାସରେ ରଖି ବିବାଦ ଘେରକୁ ଆସିଥିବା ସେବାୟତ ଆଜି ପୁଣିଥରେ ବାହାର ରାଜ୍ୟରୁ ଆସିଥିବା ଜଣେ ଭକ୍ତଙ୍କୁ ମନ୍ଦିର ଭିତର କାଠ ନିକଟରେ ନିର୍ଘାତ ମାଡ଼ ମାରି ଲହୁଲୁହାଣ କରିଥିବା ଅଭିଯୋଗ ହୋଇଛି। ଶ୍ରୀମନ୍ଦିରରେ ମାଡ଼ ଖାଇଥିବା ଭକ୍ତ ଜଣକ ହେଲେ ସୁଦୂର ମହାରାଷ୍ଟ୍ର ଥାନେ ଅଞ୍ଚଳର ଚେତନ ଗଣପତି ଜି ଅମଲୋକର। ସେବାୟତ ଭକ୍ତଙ୍କ ବେକରୁ ସୁନା ଚେନ୍‌ ଓ ଲକେଟ୍‌ ଛଡ଼ାଇ ନେଇଥିବା ଅଭିଯୋଗରେ ଦର୍ଶାଯାଇଛି। ଆକ୍ରମଣରେ ଭକ୍ତଙ୍କ ହାତ କଟିଯିବା ସହିତ ବେକରେ ଆଘାତ ଲାଗିଛି। ଅନ୍ୟପକ୍ଷରେ ନିଜ ଦୋଷ ଲୁଚାଇବାକୁ ଯାଇ ସେବାୟତମାନଙ୍କ ପକ୍ଷରୁ ଭକ୍ତଙ୍କ ନାମରେ ଥାନାରେ ପାଲଟା ଅଭିଯୋଗ ହୋଇଛି। ଭକ୍ତ ଜଣକ କୁଆଡ଼େ ପିଣ୍ଡିକା ଗରାରୁ ଟଙ୍କା ଚୋରାଇ ନେଉଥିବା ଅଭିଯୋଗରେ ଦର୍ଶାଯାଇଛି। ଭକ୍ତଙ୍କୁ ମାଡ଼ ପରେ ଭିତରକାଠ ନିକଟରେ ରକ୍ତ ଝରିଛି। ତେବେ ରକ୍ତ ତଳେ ପଡ଼ିନଥିବାରୁ ମହାସ୍ନାନ ହୋଇନଥିବା ଶ୍ରୀମନ୍ଦିର ପକ୍ଷରୁ ସୂଚନା ଦିଆଯାଇଛି। ଦାନ ଦକ୍ଷିଣାକୁ ନେଇ ଏହି ଘଟଣା ଘଟିଥିବା ବେଳେ ଏପ୍ରକାର ଅଭଦ୍ରୋଚିତ ଆଚରଣ ପାଇଁ ସମଗ୍ର ସେବାୟତ ସଂପ୍ରଦାୟକୁ ନିନ୍ଦିତ ହେବାକୁ ପଡ଼ିଛି। ଭକ୍ତ ମହଲରେ ମଧ୍ୟ ଏହି ଘଟଣା ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି।

ଘଟଣାଟି ଏମିତି। ରବିବାର ସକାଳ ପ୍ରାୟ ୬ଟା ୩୦ ବେଳେ ମହାରାଷ୍ଟ୍ର ଥାନେ ଅଞ୍ଚଳର ଚେତନ ଗଣପତି ଜି ଅମୋଲକର ତାଙ୍କ ପରିବାର ସହିତ ଶ୍ରୀମନ୍ଦିରକୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିଲେ। ଭିଡ଼ ଭିତରେ ସେମାନେ ତୁଳସୀ ମାଗିଥିଲେ। ମାତ୍ର କମ ଟଙ୍କା ଦେଇଥିବାରୁ ତାଙ୍କୁ ତୁଳସୀ ମିଳିନଥିଲା। ଭକ୍ତଙ୍କ ପାଖରୁ ୧ ହଜାର ଟଙ୍କା ଦାବି କରାଯାଇଥିଲା। ଶ୍ରୀ ଅମୋଲକର ମନ୍ଦିର ଭିତରେ ଥିବା ପିଣ୍ଡିକାରେ ୩୦୦ରୁ ୪୦୦ ଟଙ୍କା ପକାଇଥିଲେ। ତେବେ ପିଣ୍ଡିକାରେ ଦେଇଥିବା ଦାନରେ ଶ୍ରୀମନ୍ଦିର ପ୍ରଶାସନ ଓ ନିଯୋଗର ଅଂଶ ରହୁଥିବାରୁ ସେଠାରେ ଥିବା ସେବାୟତ ତାଙ୍କୁ ପିଣ୍ଡିକାରେ ନପକାଇ ଟଙ୍କା ଥାଳିରେ ପକାଇବାକୁ ବାଧ୍ୟ କରିଥିଲେ। ଏହାକୁ ନେଇ ସେବାୟତ ଓ ଅମୋଲକରଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ଦୁଇ ସେବାୟତ ତାଙ୍କଠାରୁ ଚେନ୍‌ ଛଡ଼ାଇବାକୁ ଉଦ୍ୟମ କରିଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ଟଣାଓଟରା ବେଳେ ଅମୋଲକରଙ୍କର ଲକେଟ୍‌ ହଜିଯାଇଥିଲା। ଉଭୟଙ୍କ ପକ୍ଷଙ୍କ ମଧ୍ୟରେ ମୁହାଁମୁହିଁ ଅବସ୍ଥା ଦେଖି ଜଣେ ଜେଟିପି ଅମୋଲକରଙ୍କୁ ବାହାରକୁ ନେଇ ଯାଇଥିଲେ। ତୁରନ୍ତ ତାଙ୍କୁ ପୁରୀ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତିି କରାଯାଇଥିଲା। ସେଠାରେ ତାଙ୍କୁ ଆଶୁ ଚିକିତ୍ସା କରାଯିବା ପରେ ଅମୋଲକର ସିଂହଦ୍ଵାର ଥାନାକୁ ଯାଇ ଦୁଇ ସେବାୟତ ତାଙ୍କ ବେକରୁ ସୁନା ଚେନ୍‌ ଛଡ଼ାଇ ନେଇଥିବା ଅଭିଯୋଗ କରିଥିଲେ।

ଏହି ଘଟଣା ପରେ ମେକାପ-ଖୁଣ୍ଟିଆ ନିଯୋଗ ପକ୍ଷରୁ ଅମୋଲକରଙ୍କ ନାମରେ ଟଙ୍କା ଚୋରି କରିଥିବା ନେଇ ପାଲଟା ଏତଲା ଦିଆଯାଇଛି। ଏତଲା ଉଠାଇବାକୁ ଚାପ ପ୍ରୟୋଗ ନିମନ୍ତେ ଏଭଳି କରାଯାଇଥିବା କୁହାଯାଉଛି। ତେବେ ଏହି ଘଟଣାକୁ ନେଇ କଡ଼ା ଆଭିମୁଖ୍ୟ ରଖିଛନ୍ତି ପୁରୀ ଏସ୍‌ପି ଡାକ୍ତର ସାର୍ଥକ ଷଡଙ୍ଗୀ। ତାଙ୍କ ଅନୁସାରେ, ପୁଲିସ ଏହାକୁ ଗୁରତ୍ଵର ସହ ନେଇଛି। ଭକ୍ତଙ୍କ ଅଭିଯୋଗକୁ ଆଧାର କରି ମାମଲା ରୁଜୁ କରାଯାଇଛି। ତଦନ୍ତ ପରେ ଅଭିଯୁକ୍ତ ଦୁଇ ସେବାୟତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏ କଥା ବି ସେ ସୂଚାଇ ଦେଇଛନ୍ତି, ସେବାୟତଙ୍କ ଏତଲା କୌଣସି ପରିସ୍ଥିତିରେ ଗ୍ରହଣଯୋଗ୍ୟ ନୁହେଁ। କେବଳ ଗୋଟିଏ ମାମଲା ରୁଜୁ କରାଯିବ ଏବଂ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ସେ ରୋକଠୋକ୍‌ ଶୁଣାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର