ଦ୍ବିତୀୟ ଦିନରେ କମିଲେ ଭକ୍ତ, ମହାପ୍ରଭୁଙ୍କ ଦର୍ଶନ କଲେ ୧୭ ହଜାର ଶ୍ରଦ୍ଧାଳୁ

ପୁରୀ : ଗୁରୁବାରଠାରୁ ବିନା କୋଭିଡ୍‌ ରିପୋର୍ଟରେ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ପରେ ଭକ୍ତଙ୍କ ମହଲରେ ଉତ୍ସାହ ବଢ଼ିଛି। ମନଖୁସିରେ ସପରିବାର ମହାପ୍ରଭୁଙ୍କ ଦର୍ଶନ କରି ଫେରୁଛନ୍ତି। ଗତକାଲି ପ୍ରଥମ ଦିନରେ ୩୦ ହଜାରରୁ ଅଧିକ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ କରି ଫେରିଥିଲେ। ଆଜି ଦ୍ବିତୀୟ ଦିନରେ ଭକ୍ତଙ୍କ ସଂଖ୍ୟା କମିଛି। ରିପୋର୍ଟ ଲେଖା ହେବା ସୁଦ୍ଧା ପ୍ରାୟ ୧୭ ହଜାର ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ କରି ଫେରିଛନ୍ତି। ଶ୍ରୀମନ୍ଦିରରେ ଆଜି ସକାଳ ୫ଟା ୨୫ରେ ଦ୍ବାରଫିଟା ନୀତି ପରେ ୫ଟା ୫୦ରେ ଭିତରଶୋଧ, ୫ଟା ୫୫ରେ ମଙ୍ଗଳ ଆଳତି, ୬ଟାରେ ମଇଲମ, ସାଢ଼େ ୬ଟାରେ ତଡ଼ପଲାଗି, ୭ଟା ୫ରେ ଅବକାଶ ପୂଜା ସଂପନ୍ନ ହୋଇଥିଲା। ପୁନର୍ବାର ୭ଟା ୧୦ରେ ମଇଲମ, ସ‌ାଢ଼େ ୭ଟାରେ ରୋଷହୋମ, ୮ଟାରେ ବେଶ ଶେଷ, ୮ଟା ୩୫ରେ ସୂର୍ଯ୍ୟପୂଜା, ୮ଟା ୪୫ରେ ଦ୍ବାରପାଳ ପୂଜା, ୮ଟା ୫୫ରେ ଗୋପାଳବଲ୍ଲଭ, ପୂର୍ବାହ୍ଣ ୧୦ଟା ୧୫ରେ ସକାଳ ଧୂପ ନୀତି ସହ ପରବର୍ତ୍ତୀ ଅନ୍ୟାନ୍ୟ ଦୈନନ୍ଦିନ ନୀତି ଚାଲିଥିଲା।

ଆଜି ମଙ୍ଗଳ ଆଳତି ପରେ ପରେ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହୋଇଥିଲା। ପ୍ରଥମେ ୬ଟାରୁ ୭ଟା ପୁରୀ ସହରବାସୀଙ୍କ ଦର୍ଶନ ପରେ ରାଜ୍ୟ ବାହାର ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ସକାଳ ୭ଟାରୁ ବଡ଼ସିଂହାର ବେଶ ପର୍ଯ୍ୟନ୍ତ ଭକ୍ତଙ୍କ ଧାଡ଼ି ଲାଗିଥିବା ଦେଖିବାକୁ ମିଳିଥିଲା। କିନ୍ତୁ ଗତକାଲିର ଭିଡ଼ ଆଜି ଦେଖିବାକୁ ମିଳିନି। ସକାଳୁ ସାମାନ୍ୟ ଭିଡ଼ ରହିଥିଲେ ବି ଅପରାହ୍ଣରେ ଭିଡ଼ କମ ରହିଥିଲା। ପୁନର୍ବାର ସଂଧ୍ୟାରେ କିଛିଟା ଭିଡ଼ ଦେଖିବାକୁ ମିଳିଥିଲା। ଅଧିକାଂଶ ସମୟ ବାରିକେଡ୍‌ ଖାଲି ପଡ଼ିଥିବା ଦେଖିବାକୁ ମିଳିଥିଲା। ଅଳ୍ପ ଅଳ୍ପ ଭକ୍ତ ପର୍ଯ୍ୟାୟକ୍ରମେ ମହାପ୍ରଭୁଙ୍କ ଦର୍ଶନ କରିବାର ଦେଖିବାକୁ ମିଳିଥିଲା। ସେପଟେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ବ୍ୟାପକ ପୁଲିସ ମୁତୟନ ସହ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇଥିଲା।

ସମ୍ବନ୍ଧିତ ଖବର