ପୁରୀ: ଗର୍ଭଗୃହରୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ତାଙ୍କ ମନ୍ତ୍ରୀ ପରିଷଦର ସଦସ୍ୟମାନେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଏହାର ସୁଯୋଗ ନେଇ କିଛି ସେବାୟତ ବି ଭକ୍ତଙ୍କୁ ଗର୍ଭଗୃହକୁ ନେଇ ମହାପ୍ରଭୁଙ୍କ ଦର୍ଶନ କରାଇଛନ୍ତି। ଏହାକୁ ନେଇ ସେବାୟତଙ୍କ ଭିତରେ ବିବାଦ ମୁଣ୍ଡ ଟେକିଥିଲା। କିଛି ସେବାୟତ ଭକ୍ତଙ୍କ ଗର୍ଭଗୃହ ଦର୍ଶନକୁ ବିରୋଧ କରିଥିଲେ। କିନ୍ତୁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଓ ଅନ୍ୟ ଅଧିକାରୀମାନଙ୍କ ହସ୍ତକ୍ଷେପ ପରେ ବିବାଦ ପ୍ରଶମିତ ହୋଇଛି।
ହାଇକୋର୍ଟଙ୍କ ଆଦେଶକ୍ରମେ ୨୦୧୬ ମସିହାଠାରୁ ଗର୍ଭଗୃହ ସାହାଣମେଲା ଓ ପରିମାଣିକ ଦର୍ଶନ ବନ୍ଦ ରହିଛି। ଏହାପୂର୍ବରୁ ଭକ୍ତମାନଙ୍କ ପାଇଁ ଗର୍ଭଗୃହରୁ ସାହାଣମେଲା ଓ ପରିମାଣିକ ଦର୍ଶନ ବ୍ୟବସ୍ଥା ଥିଲା। ଇଚ୍ଛୁକ ଭକ୍ତମାନେ ଟଙ୍କା ଦେଇ ଟିକେଟ୍ କାଟି ପରିମାଣିକ ଦର୍ଶନ କରୁଥିଲେ। ନୀତିକାନ୍ତିରେ ବିଳମ୍ବ ଓ ଅନ୍ୟାନ୍ୟ ବିବାଦ କାରଣରୁ ୨୦୧୬ରୁ ଗର୍ଭଗୃହ ଦର୍ଶନ ବନ୍ଦ ରହିଛି। କିନ୍ତୁ ଆଜି ଚାରିଦ୍ବାର ଖୋଲିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଅନ୍ୟ ମନ୍ତ୍ରୀଗଣ ଭକ୍ତଙ୍କ ଗହଣରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଇଥିଲେ। ଭିତର କାଠରୁ ମହାପ୍ରଭୁଙ୍କ ଦର୍ଶନ କରୁଥିବାବେଳେ କିଛି ସେବାୟତ ମୁଖ୍ୟମନ୍ତ୍ରୀ ଓ ଅନ୍ୟମାନଙ୍କୁ ଗର୍ଭଗୃହକୁ ଆସି ଦର୍ଶନ କରିବାକୁ କହିଥିଲେ। ପରେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ ଗର୍ଭଗୃହକୁ ଯାଇ ଦର୍ଶନ କରିଥିଲେ। ଏହାର ସୁଯୋଗରେ କିଛି ସେବାୟତ ଭକ୍ତଙ୍କୁ ବି ଗର୍ଭଗୃହ ଦର୍ଶନ କରାଇଥିଲେ। ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ ଯିବାପରେ ଏନେଇ ବିବାଦ ହେବାରୁ ଭକ୍ତଙ୍କ ଗର୍ଭଗୃହ ଦର୍ଶନ ବନ୍ଦ କରି ଦିଆଯାଇଥିଲା।
ଏ ସମ୍ପର୍କରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଦୁର୍ଗାପ୍ରସାଦ ଦାସମହାପାତ୍ର କହିଛନ୍ତି, ୨୦୧୬ ମସିହାଠାରୁ ଗର୍ଭଗୃହ ଦର୍ଶନ ବନ୍ଦ ରହିଛି। ସରକାର ଯଦି ଚାହିଁବେ ପୁଣିଥରେ ଭକ୍ତଙ୍କ ପାଇଁ ଗର୍ଭଗୃହ ଦର୍ଶନ ଆରମ୍ଭ କରିପାରିବେ। ଭକ୍ତମାନେ ସାହାଣମେଲା ଦର୍ଶନର ସୁଯୋଗ ପାଇପାରିବେ। ଏହା ସରକାରଙ୍କ ନିଷ୍ପତ୍ତି। ବରିଷ୍ଠ ଦଇତାପତି ସେବକ ବିଶ୍ବାବସୁ ବିନାୟକ ଦାସମହାପାତ୍ର କହିଛନ୍ତି, ପୂର୍ବରୁ ଭକ୍ତଙ୍କୁ ଗର୍ଭଗୃହ ଦର୍ଶନ ମିଳୁଥିଲା। ଭକ୍ତମାନେ ମହାପ୍ରଭୁଙ୍କୁ ପାଖରୁ ଦର୍ଶନ କରିବାର ସୁଯୋଗ ପାଉଥିଲେ। କିନ୍ତୁ ଏହାକୁ ବନ୍ଦ କରି ଦିଆଯାଇ ଭକ୍ତଙ୍କ ପ୍ରତି ଅନ୍ୟାୟ କରାଯାଉଛି। ଏବେ ସରକାର ବଦଳିଛନ୍ତି। ଏଣୁ ପୁଣିଥରେ ଭକ୍ତଙ୍କ ପାଇଁ ଗର୍ଭଗୃହ ଦର୍ଶନ ଆରମ୍ଭ କରିବାକୁ ଶ୍ରୀ ଦାସମହାପାତ୍ର ନିବେଦନ କରିଛନ୍ତି। ସରକାର ଚାହିଁଲେ ଭକ୍ତଙ୍କ ପାଇଁ ସକାଳ ୭ଟାରୁ ୮ଟା ଗର୍ଭଗୃହ ସାହାଣମେଲା ଦର୍ଶନ ବ୍ୟବସ୍ଥା କରିପାରିବେ ବୋଲି ସେ କହିଛନ୍ତି।