ପୁରୀ: ଜୁଲାଇ ୧୫ରେ ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା। ଏହା ପୂର୍ବଦିନ ଆଡ଼ପମଣ୍ଡପରେ ଶେଷ ଦର୍ଶନ ଭାବେ ଅଗଣିତ ଭକ୍ତ ସନ୍ଧ୍ୟା ଦର୍ଶନ କରିଥାନ୍ତି। କିନ୍ତୁ ବଗତ କିଛି ବର୍ଷ ହେଲା ବାହୁଡ଼ା ଯାତ୍ରା ଓ ପହଣ୍ଡି ବିଳମ୍ବ ଆଳରେ ସନ୍ଧ୍ୟା ଦର୍ଶନ ବନ୍ଦ କରି ଦିଆଯାଉଛି। ଚଳିତବର୍ଷ ବି ଭକ୍ତ ସନ୍ଧ୍ୟା ଦର୍ଶନର ସୁଯୋଗ ପାଇବେନି। ରବିବାର ସନ୍ଧ୍ୟା ୫ଟାରୁ ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପଦର୍ଶନ ବନ୍ଦ ରଖିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି।
ଶ୍ରୀମନ୍ଦିର ପ୍ରଶାସନ ସୂଚନା ମୁତାବକ, ବାହୁଡ଼ାଯାତ୍ରା ପୂର୍ବପ୍ରସ୍ତୁତିକୁ ଦୃଷ୍ଟିରେ ରଖି ରବିବାର ଅପରାହ୍ଣ ୫ଟାରୁ ଆଡ଼ପମଣ୍ଡପରେ ଠାକୁରଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏଣୁ ଅପରାହ୍ଣ ୫ଟା ପୂର୍ବରୁ ନବମୀ ଦର୍ଶନ ସାରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିବେଦନ କରିଛି। ବିଗତ ୫ ବର୍ଷ ହେଲାଣି ଏହିଭଳି ପରିସ୍ଥିତି ଲାଗି ରହିଛି। ଭକ୍ତମାନେ ସନ୍ଧ୍ୟା ଦର୍ଶନରୁ ବଞ୍ଚିତ ହେଉଛନ୍ତି। କୋଭିଡ୍ ସମୟରେ ଦୁଇବର୍ଷ ଧରି ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନରୁ ସମ୍ପୂର୍ଣ୍ଣ ବଞ୍ଚିତ ଥିଲେ। ପରେ ଦର୍ଶନ ସ୍ବାଭାବିକ ହୋଇଥିଲେ ବି ବାହୁଡ଼ାଯାତ୍ରା ପୂର୍ବପ୍ରସ୍ତୁତି ଆଳରେ ସନ୍ଧ୍ୟା ଦର୍ଶନ ବନ୍ଦ କରାଯାଉଛି। ଗତବର୍ଷ ଭକ୍ତଙ୍କ ପାଇଁ ସନ୍ଧ୍ୟାଦର୍ଶନ ସନ୍ଧ୍ୟା ପୂର୍ବରୁ ବନ୍ଦ କରି ଦିଆଯାଇଥିଲା। ଚଳିତବର୍ଷ ବି ସେହି ପୂର୍ବ ବ୍ୟବସ୍ଥା ଆପଣାଯାଇଛି। ଫଳରେ ସନ୍ଧ୍ୟାରେ ଆଡ଼ପମଣ୍ଡପର ଶେଷ ଦର୍ଶନ କରି ଭକ୍ତମାନେ ଯେଉଁ ସୌଭାଗ୍ୟ ଲଭିଥାନ୍ତି,
ସେଥିରୁ ବଞ୍ଚିତ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/11/jagannath.jpg)