ପୁରୀ: ଶ୍ରୀମନ୍ଦିରରେ ଭକ୍ତଙ୍କ ପୋଷାକ ପରିଧାନରେ ଆସିବ ଶାଳୀନତା। ଶ୍ରୀମନ୍ଦିରରେ ଅଶ୍ଳୀଳତାକୁ କୌଣସି ପରିସ୍ଥିତିରେ ପ୍ରଶ୍ରୟ ଦିଆଯିବନାହିଁ। ହାଫ୍ ପ୍ୟାଣ୍ଟ, ଚିରାଫଟା ପୋଷାକ, ମିନି ଡ୍ରେସ୍ ଆଦି ପିନ୍ଧି କେହି ଦେଉଳରେ ପ୍ରବେଶ କରିପାରିବେ ନାହିଁ। ବରଂ ଭକ୍ତମାନେ ଶାଳୀନତାପୂର୍ବକ ପାରମ୍ପରିକ ପୋଷାକ ପରିଧାନ କରି ଆସିବେ। ଏଥିପାଇଁ ପ୍ରଥମେ ସଚେତନ କରାଯିବ ଓ ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବ। ଆସନ୍ତାକାଲିଠାରୁ ଏହି ପ୍ରକ୍ରିୟା ଆରମ୍ଭ ହେବ। ନୂଆବର୍ଷ ଅର୍ଥାତ୍ ଜାନୁଆରି ପହିଲାରୁ ଏହି ନିୟମ କଡ଼ାକଡ଼ି କରାଯିବ। ଯେଉଁମାନେ ଅମାନ୍ୟ କରିବେ, ସେମାନଙ୍କୁ ଶ୍ରୀମନ୍ଦିର ପ୍ରବେଶ ବାରଣ କରାଯିବ। ଆଜି ଶ୍ରୀମନ୍ଦିର ନୀତି ସବ୍କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଅନ୍ୟପଟେ ଅକ୍ଟୋବର ୨୫ରୁ ବାଳଧୂପ ଓ ରାଇଦାମୋଦର ବେଶ(କାର୍ତ୍ତିକ ବ୍ରତ) ଆରମ୍ଭ ହେଉଥିବାରୁ ସ୍ବତନ୍ତ୍ର ନୀତି ଚୂଡ଼ାନ୍ତ ହୋଇଛି।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ନୀତି ସବ୍କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଛତିଶାନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ଭିତରଚ୍ଛ ଭବାନୀ ମହାପାତ୍ର, ଶ୍ରୀମନ୍ଦିର ପରିଚାଳନା କମିଟିର ୫ ସେବାୟତ ପ୍ରତିନିଧି ଦୁର୍ଗାପ୍ରସାଦ ଦାସମହାପାତ୍ର, ଅନନ୍ତ ତିଆଡ଼ି, ମାଧବ ମହାପାତ୍ର, ମାଧବ ପୂଜାପଣ୍ଡା ସାମନ୍ତ, ଜଗନ୍ନାଥ କର, ରାଧାବଲ୍ଲଭ ମଠ ମହନ୍ତ ରାମକୃଷ୍ଣ ଦାସମହାରାଜ, ନୀତି ସବ୍କମିଟି ସଦସ୍ୟ ରାମଚନ୍ଦ୍ର ଦାସମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ବୈଠକ ପରେ ମୁଖ୍ୟ ପ୍ରଶାସକ ଶ୍ରୀ ଦାସ କହିଛନ୍ତି ଯେ ଆଜି ପ୍ରମୁଖ ପ୍ରସଙ୍ଗ ଥିଲା, ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କ ପୋଷାକ ପରିଧାନ। ଶ୍ରୀମନ୍ଦିର ଏକ ଧାର୍ମିକ ସ୍ଥାନ। ଏହା କେଉଁ ପାର୍କ କି ସମୁଦ୍ର କୂଳ ନୁହେଁ। ଲୋକେ ଏଠାକୁ ଧାର୍ମିକ ଭାବନା ନେଇ ଆସୁଛନ୍ତି। ଏଣୁ ୧୨ ବର୍ଷ ବୟସରୁ ଅଧିକ ବୟସର ଯେଉଁ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଛନ୍ତି, ସେମାନଙ୍କ ପୋଷାକ ପରିଧାନରେ ଶାଳୀନତା ଅଣାଯିବ। ଭକ୍ତମାନେ ଯେଭଳି ହାଫ୍ ପ୍ୟାଣ୍ଟ, ଚିରାଫଟା ପୋଷାକ ପିନ୍ଧି ଶ୍ରୀମନ୍ଦିରକୁ ପ୍ରବେଶ ନ କରନ୍ତି, ତାଉପରେ କଡ଼ା ନଜର ରଖାଯିବ। ଚାରିଦ୍ବାରରେ ଚର୍ଚ୍ଚା, ପ୍ରତିହାରୀମାନେ ଏହା ଉପରେ ନଜର ରଖିବେ।
ଏବେ ସଚେତନ କରିବେ, ନୂଆବର୍ଷରୁ କଡ଼ାକଡ଼ି
ଗ୍ରହଣ ପାଇଁ କୁମାର ପୂର୍ଣ୍ଣିମାରେ ରାତି ୨ରୁ ନୀତି
ଦେଉଳ ପାଖେ ଜଗିବେ ଚର୍ଚ୍ଚା ଓ ପ୍ରତିହାରୀ
୧୨ ବର୍ଷ ବୟସ ଉପରକୁ ଲାଗୁ େହବ
ଶ୍ରୀମନ୍ଦିର ପରିଚାଳନା କମିଟି ବରିଷ୍ଠ ସଦସ୍ୟ ଦୁର୍ଗାପ୍ରସାଦ ଦାସମହାପାତ୍ର କହିଛନ୍ତି, ଶ୍ରୀମନ୍ଦିର ଆସୁଥିବା ଭକ୍ତମାନେ ଅଶାଳୀନ ପୋଷାକ ପରିଧାନ ନ କରି ଯେଭଳି ମାର୍ଜିତ ତଥା ପାରମ୍ପରିକ ପୋଷାକ ପରିଧାନ କରି ଆସିବେ, ତାଉପରେ କଡ଼ା ପଦକ୍ଷେପ ନେବାକୁ ନିଷ୍ପତ୍ତି ହୋଇଛି। ଅନ୍ୟପଟେ ବାଳଧୂପ ଓ ରାଇଦାମୋଦର ବେଶ ନୀତି ପାଇଁ ପ୍ରତିଦିନ ଭୋର୍ ୪ଟାରେ ଦ୍ବାରଫିଟା ଓ ଭୋର ୫ଟାରେ ମଙ୍ଗଳ ଆଳତି ପାଇଁ ସମୟ ଧାର୍ଯ୍ୟ ହୋଇଛି। ଅକ୍ଟୋବର ୨୮ରେ କୁମାର ପୂର୍ଣ୍ଣିମା ଓ ପ୍ରଭୁ ସୁଦର୍ଶନଙ୍କ ଚାରି ଆଶ୍ରମ ବିଜେ ନୀତି ପଡ଼ୁଛି। ଏହିଦିନ ବି ଚନ୍ଦ୍ରଗ୍ରହଣ ପଡ଼ୁଛି। ଅପରାହ୍ଣ ୪ଟା ୪ରୁ ଗ୍ରହଣ ସ୍ପର୍ଶ କରୁଛି। ରାତି ପ୍ରାୟ ଗୋଟାଏରେ ଗ୍ରହଣ ଛାଡ଼ିବ। ଏହା ପୂର୍ବରୁ ନୀତିକାନ୍ତି ସାରିବାକୁ ନିଷ୍ପତ୍ତି ହୋଇଛି। ଏଣୁ କୁମାର ପୂର୍ଣ୍ଣିମା ପୂର୍ବଦିନ ରାତି ୨ଟାରେ ଦ୍ବାରଫିଟା, ରାତି ୩ଟାରେ ମଙ୍ଗଳ ଆଳତି ସହ ଅନ୍ୟାନ୍ୟ ନୀତି କରିବାକୁ ନିଷ୍ପତ୍ତି ହୋଇଛି। ପ୍ରଭୁ ସୁଦର୍ଶନଙ୍କ ଚାରି ଆଶ୍ରମ ବିଜେ ବେଳେ ଅନ୍ୟ କୌଣସି ପୂଜାର୍ଚ୍ଚନା କରାଯିବନି। କେବଳ ସର୍ପମଣୋହୀ କରାଯିବ। ୨୦୧୪ ମସିହାରେ ବି ଚନ୍ଦ୍ରଗ୍ରହଣ ପଡ଼ିବାରୁ ପ୍ରଭୁ ସୁଦର୍ଶନଙ୍କ କେବଳ ସର୍ପମଣୋହୀ ନୀତି କରାଯାଇଥିଲା। ଶ୍ରୀ ଦାସମହାପାତ୍ର କହିଛନ୍ତି, ଆଜିର ବୈଠକରେ ରଥଯାତ୍ରା ଓ ସ୍ନାନଯାତ୍ରା ବିଶୃଙ୍ଖଳାର ସେଭଳି ବିସ୍ତୃତ ସମୀକ୍ଷା କରାଯାଇପାରିନି। ଖୁବଶୀଘ୍ର ଆଉ ଏକ ବୈଠକ ଡକାଯିବ। ଏହି ବୈଠକରେ ରଥଯାତ୍ରା ଓ ସ୍ନାନଯାତ୍ରା ବିଶୃଙ୍ଖଳାର ଭିଡିଓ ଫୁଟେଜ୍ ଦେଖାଯିବ। ଯିଏ ବିଶୃଙ୍ଖଳା କରିଥିବେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଶ୍ରୀ ଦାସମହାପାତ୍ର କହିଛନ୍ତି।