ଶ୍ରୀମନ୍ଦିର କୂଅରେ ଗଳିପଡ଼ିଲେ ଶ୍ରଦ୍ଧାଳୁ: ପତ୍ନୀଙ୍କୁ ବଞ୍ଚାଇବାକୁ ଯାଇ ଖସିପଡ଼ିଲେ

ବିପଦ ଖୋଲାମେଲା କୂଅ, ପହଁରା ଜାଣିଥିବାରୁ ବଞ୍ଚିଗଲେ

ପୁରୀ: ଶ୍ରୀମନ୍ଦିର ଉତ୍ତରଦ୍ବାର ଆନନ୍ଦ ବଜାର ପରିସରରେ ଥିବା ଏକ କୂଅରେ ପଡ଼ି ଜଣେ ଶ୍ରଦ୍ଧାଳୁ ଗୁରୁତର ହୋଇଛନ୍ତି। ଶ୍ରୀମନ୍ଦିର ଅଗ୍ନିଶମ ବିଭାଗର ଦମକଳ ଗାଡ଼ି, ଆମ୍ବୁଲାନ୍ସ ଓ ସିଂହଦ୍ବାର ଥାନା ପୁଲିସ ପହଞ୍ଚି ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଶ୍ରଦ୍ଧାଳୁ ଜଣକ ହେଲେ ପଶ୍ଚିମବଙ୍ଗ ମଲ୍ଲିଗରା ଅନ୍ତର୍ଗତ ଶ୍ରୀରାମପୁରର ରାଜା ରାମମୋହନ ସରଣୀର ଧ୍ରୁବ ଚକ୍ରବର୍ତ୍ତୀ(୬୫)। ଆଶୁ ଚିକିତ୍ସା ପରେ ତାଙ୍କୁ ଛାଡ଼ି ଦିଆଯାଇଛି। ପରେ ସିଂହଦ୍ବାର ଥାନା ପୁଲିସ ଧ୍ରୁବଙ୍କୁ ଭାରତ ସେବାଶ୍ରମରେ ଛାଡ଼ିଛି। ତେବେ ଧ୍ରୁବ ପହଁରା ଜାଣିଥିବାରୁ ମୃତ୍ୟୁ ମୁଖରୁ ବର୍ତ୍ତିଯାଇଥିବା ସେବାୟତ ଓ ଦେଖଣାକାରୀ ଭକ୍ତମାନେ କହିଛନ୍ତି।

ପୁଲିସ ସୂଚନା ମୁତାବକ, ଧ୍ରୁବ ଆଜି ତାଙ୍କ ପତ୍ନୀଙ୍କୁ ନେଇ ପୁରୀ ଆସି ଭାରତ ସେବାଶ୍ରମରେ ରହିଥିଲେ। ଆଜି ସନ୍ଧ୍ୟାରେ ସେ ଶ୍ରୀମନ୍ଦିର ଦର୍ଶନ ପାଇଁ ଆସିଥିଲେ। ସନ୍ଧ୍ୟା ପ୍ରାୟ ୭ଟା ୪୦ରେ ଉତ୍ତରଦ୍ବାର ପଟ ଆନନ୍ଦ ବଜାର ଈଶାନେଶ୍ବରୀ ମନ୍ଦିର ପାଖକୁ ଧ୍ରୁବଙ୍କ ପତ୍ନୀ ଯାଇଥିଲେ। ତେବେ ଅନ୍ଧାକାର ଯୋଗୁଁସେଠାରେ ଥିବା କୂଅରେ ଝୁଣ୍ଟି ପଡ଼ିଯାଇଥିଲେ। କୂଅକୁ ଖସିପଡ଼ୁଥିବା ବେଳେ ପତ୍ନୀଙ୍କୁ ରକ୍ଷା କରିବାକୁ ଯାଇ ଧ୍ରୁବ କୂଅ ଉପରକୁ ଚଢ଼ିଯାଇଥିଲେ। ମାତ୍ର ଅନ୍ଧାର ଥିବାରୁ ସେ କୂଅ ଭିତରକୁ ଖସିପଡ଼ିଥିଲେ। ଏହା ଦେଖି ପତ୍ନୀ ଚିତ୍କାର କରିବାରୁ ଲୋକମାନେ ସେଠାରେ ପହଞ୍ଚି ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ। ଖବର ପାଇ ଦମକଳ ‌ଗାଡ଼ି, ଆମ୍ବୁଲାନ୍ସ, ସିଂହଦ୍ବାର ଥାନା ଆଇଆଇସି ଶ୍ବେତପଦ୍ମା ଦାଶ ଓ ଅନ୍ୟମାନେ ପହଞ୍ଚି ଧ୍ରୁବଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇଥିଲେ। ତେବେ ଧ୍ରୁବ କୂଅ ମଧ୍ୟରେ ପ୍ରାୟ ୨୦ ମିନିଟ୍‌ କାଳ ପହଁରି ରହିଯିବାରୁ ଉଦ୍ଧାରକାରୀ ଦଳ ପହଞ୍ଚି ତାଙ୍କୁ କୂଅରୁ ଉଦ୍ଧାର କରିଥିଲେ।

ସମ୍ବନ୍ଧିତ ଖବର