ଅବଢ଼ା ଖାଇ ପଇସା ଦେଲେନି, ସେବାୟତ ଠେଲିଦେବାରୁ ଶ୍ରଦ୍ଧାଳୁ ଆହତ

ଅବଢ଼ା ଖାଇ ପଇସା ଦେଲେନି, ସେବାୟତ ଠେଲିଦେବାରୁ ଶ୍ରଦ୍ଧାଳୁ ଆହତ

ପୁରୀ : ଶୁକ୍ରବାର ଦିନ ଶ୍ରୀମନ୍ଦିରରେ ଅବଢ଼ା ଖାଇ ଟଙ୍କା ନଦେଇ ଖସି ପଳାଉଥିବା ଶ୍ରଦ୍ଧାଳୁଙ୍କ ସହ ଉତ୍ତରଦ୍ବାର ସମ୍ମୁଖରେ ସୁଆର ସେବାୟତ ମଧ୍ୟରେ ହାତାହାତି ହୋଇଛି। ଫଳରେ ଶ୍ରଦ୍ଧାଳୁ ଜଣକ ତଳେ ପଡ଼ିଯାଇ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ପୁଲିସ ସଦର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ସେବା ଯୋଗାଇ ଦେଇଛି। ଖବର ପାଇ ସିଂହଦ୍ବାର ଥାନା ପୁଲିସ ସମ୍ପୃକ୍ତ ସୁଆର ସେବାୟତ ସମେତ ଶ୍ରଦ୍ଧାଳୁଙ୍କୁ ଅଟକ ରଖି ତଦନ୍ତ ଚଳାଇଛି।

ଚୌଦ୍ବାର ମଙ୍ଗୁଳି ଅଞ୍ଚଳର ନିରଜ ସାସମଲ, ଅଲେଖ, ଶୁଭଜିତ ଦାସ ଓ ଉତ୍କଳ ବିଶ୍ବାଳ ମିଶି ଶୁକ୍ରବାର ଦିନ ଶ୍ରୀମନ୍ଦିରକୁ ଦର୍ଶନ ନିମନ୍ତେ ଆସିଥିଲେ। ସେମାନେ ମହାପ୍ରଭୁଙ୍କ ଦର୍ଶନ ପରେ ଆନନ୍ଦ ବଜାରରେ ସୁଆର ସେବାୟତ ସୁଆରସାହିର ଶିବ ପ୍ରସାଦ ମହାପାତ୍ରଙ୍କ ଠାରୁ ଅବଢ଼ା ଖାଇଥିଲେ। ତେବେ ଅବଢ଼ା ଖାଇବା ପରେ ସେମାନେ ସେଠାରୁ ଚମ୍ପଟ ମାରିଥିବା ବେଳେ ନିରଜଙ୍କୁ ଶିବପ୍ରସାଦ ଉତ୍ତରଦ୍ବାର ସମ୍ମୁଖରେ ଦେଖିବାକୁ ପାଇଥିଲେ। ଅବଢ଼ା ଖାଇ ପଇସା ନଦେଇ କିପରି ଯାଉଛ ବୋଲି ଶିବ ପ୍ରସାଦ ପଚାରିଥିଲେ। ଅବଢ଼ା ଯିଏ କିଣିଥିଲା, ତାଙ୍କୁ ପଇସା ମାଗ ବୋଲି ନିରଜ ଉତ୍ତର ଦେବାରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏପରିକି ସେଠାରେ ଥିବା ପୁଲିସମାନଙ୍କ ସମ୍ମୁଖରେ ଏହି ଠେଲାପେଲା ମଧ୍ୟ ହୋଇଥିଲା।

ନିରଜଙ୍କୁ ଶିବ ଠେଲିଦେବାରୁ ସେ ତଳେ ପଡ଼ିଯାଇ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଚିକିତ୍ସା ନିମନ୍ତେ ସଦର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ଅନ୍ୟପଟେ ନିରଜଙ୍କୁ ଖୋଜାଖୋଜି କରି ଶୁଭଜିତ ଓ ଉତ୍କଳ ଦୁହେଁ ସିଂହଦ୍ବାର ଥାନାରେ ଆସି ପହଞ୍ଚିଥିଲେ। ପୁଲିସ ସେମାନଙ୍କୁ ଅଟକ ରଖିବା ସହ ଆକ୍ରମଣ କରିଥିବା ସେବାୟତ ଶିବ ପ୍ରସାଦକୁ ମଧ୍ୟ ଅଟକ ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe