ପୁରୀ: ଶ୍ରୀମନ୍ଦିରରେ ଆଜି ଜଣେ ଭକ୍ତଙ୍କ ଜୀବନ ଚାଲିଯାଇଛି। ମୃତ ଭକ୍ତ ହେଲେ ଉତ୍ତରପ୍ରଦେଶ ଝାନ୍‌ସୀର ରାଜେନ୍ଦ୍ର ପ୍ରସାଦ ସାହାଣି(୬୫)। ଭିତର କାଠରୁ ଦର୍ଶନ କରି ବାହାରିବା ପରେ ମୁକ୍ତିମଣ୍ଡପ ସମ୍ମୁଖରେ ତାଙ୍କର ପ୍ରାଣ ଚାଲିଯାଇଛି। ଏଥିପାଇଁ ଭିତର କାଠ ଭିଡ଼କୁ ଦାୟୀ କରିଛନ୍ତି ମୃତ ରାଜେନ୍ଦ୍ରଙ୍କ ପତ୍ନୀ ଓ ସାନ ଭାଇ। ଅନ୍ୟପଟେ ଆଜି ଶବ ବ୍ୟବଚ୍ଛେଦ ସମ୍ଭବ ନ ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରାଜେନ୍ଦ୍ରଙ୍କ ମୃତଦେହ ସଂରକ୍ଷିତ ରଖାଯାଇଛି। ରାଜେନ୍ଦ୍ର ଜଣେ ସିମେଣ୍ଟ ବ୍ୟବସାୟୀ ବୋଲି ଜଣାପଡ଼ିଛି।

Advertisment

ମୃତକଙ୍କ ଭାଇ ବିପିନ ପ୍ରସାଦ କହିଛନ୍ତି, ମହାପ୍ରଭୁଙ୍କ ଦର୍ଶନ ପାଇଁ ସେମାନଙ୍କ ପରିବାରର ୧୬ଜଣ ସଦସ୍ୟ ତିନିଦିନର ଯାତ୍ରା ପରେ ଆଜି ପୁରୀରେ ପହଞ୍ଚିଥିଲେ। ଆଜି ଅପରାହ୍ଣରେ ସମସ୍ତେ ଶ୍ରୀମନ୍ଦିର ଭିତର କାଠରୁ ମହାପ୍ରଭୁଙ୍କ ଦର୍ଶନ କରୁଥିଲେ। ଏହି ସମୟରେ ଏତେ ଭିଡ଼ ଥିଲା ଯେ ରାଜେନ୍ଦ୍ର ଅଣନିଃଶ୍ବାସୀ ହୋଇ ପଡ଼ିଥିଲେ। ପରେ ତାଙ୍କୁ ବେହେରଣ ଦ୍ବାର ଦେଇ ବାହାରକୁ ଅଣାଯାଇଥିଲା। ମୁକ୍ତିମଣ୍ଡପ ସମ୍ମୁଖରେ ସର୍ବସମ୍ମୁଖରେ ତାଙ୍କର ପ୍ରାଣବାୟୁ ଚାଲିଯାଇଥିଲା। ତାଙ୍କୁ ଶ୍ରୀମନ୍ଦିର ଆମ୍ବୁଲାନ୍ସରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଔପଚାରିକ ଭାବେ ଡାକ୍ତର ରାଜେନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ। ଆଜି ଦର୍ଶନ ବେଳେ ପ୍ରବଳ ଠେଲାପେଲା ହୋଇଥିଲା। କେହି ବି ପାଖରେ ଭିଡ଼ ନିୟନ୍ତ୍ରଣ କରିବାକୁ ନ ଥିଲେ। ଯେଉଁଥିପାଇଁ ତାଙ୍କ ଭାଇଙ୍କ ଜୀବନ ଚାଲିଗଲା ବୋଲି ବିପିନ ଅଭିଯୋଗ କରିଛନ୍ତି।