ପ୍ରଚଣ୍ଡ ଖରାରେ ଭକ୍ତ କଲବଲ, ସେଡ୍‌ କାମ ଶୀଘ୍ର ସାରିବାକୁ ନିବେଦନ

ପୁରୀ : ଶ୍ରାବଣ ମାସ ଚାଲିଛି, କିନ୍ତୁ ଜ୍ୟେଷ୍ଠ ମାସ ଭଳି ଖରାରେ ଲୋକେ ସିଝୁଛନ୍ତି। ପ୍ରଚଣ୍ଡ ଉତ୍ତାପ ଯୋଗୁ ଖରାରେ ଛିଡ଼ା ହେବା ସମ୍ଭବ ହେଉନାହିଁ। ଏଭଳି ସ୍ଥଳେ ବହୁ ଭକ୍ତ ସିଂହଦ୍ବାରଠୁ ନେଇ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଯାଏ ଲମ୍ବା ଧାଡ଼ିରେ ଛିଡ଼ା ହୋଇ ଦର୍ଶନ ପାଇଁ ଅପେକ୍ଷା କରୁଛନ୍ତି। ବିଶେଷକରି ଶ୍ରୀଲୋକନାଥ ମନ୍ଦିରକୁ ଜଳଲାଗି କରିବାକୁ ଆସୁଥିବା କାଉଡ଼ିଆଙ୍କ ସଂଖ୍ୟା ଶନିବାର ଓ ରବିବାର ବୃଦ୍ଧି ପାଉଥିବା ବ‌େଳେ ଛୁଟିଦିନ ପାଇଁ ବହୁ ଭକ୍ତଙ୍କ ସମାଗମ ମଧ୍ୟ ବୃଦ୍ଧି ପାଉଛି। ତେଣୁ ଦର୍ଶନ ପାଇଁ ଭକ୍ତଙ୍କୁ ଲମ୍ବା ଧାଡ଼ିରେ ଅପେକ୍ଷା କରିବାକୁ ପଡ଼ୁଛି। ପ୍ରଥମତଃ ଋତୁ ଭିତ୍ତିରେ ପାଗ ସହାୟ ହେଉନାହିଁ। ପୁଣି ପ୍ରଶାସନ ପକ୍ଷରୁ ମଧ୍ୟ ଅସ୍ଥାୟୀ ସେଡ୍‌ଟିଏ କରାଯାଉନାହିଁ। ତେଣୁ କିଛିଦିନ ହେଲା ସମବେତ ଭକ୍ତମାନେ ଖାଲିପାଦରେ ଦର୍ଶନ ପାଇଁ ଯିବା ବେଳେ କଲବଲ ହେଉଛନ୍ତି।

ଖରା ହେଉ କି ବର୍ଷା, ଭକ୍ତଙ୍କ ମୁଣ୍ଡ ଉପରେ ସାହାରାର ଆବଶ୍ୟକତା ରହିଛି। ନା ବର୍ଷାରେ ଭିଜିଭିଜି ଧାଡ଼ି ବାନ୍ଧି ଛିଡ଼ା ହେବା ସମ୍ଭବ ହେବ ନା ଖରାର ଦାଉ ସହି ଧାଡ଼ିବାନ୍ଧିବା ସମ୍ଭବ ହେଉଛି। ଏଣେ ଦେବୀ ସୁଭଦ୍ରାଙ୍କ ଦେବଦଳନ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଭଙ୍ଗା ସରିଥିଲେ ହେଁ ଲୁହା ସେଡ୍‌ କରାଯାଇନାହିଁ। ଯଦିଓ ଲୁହା ରଡ୍‌ କାମ ସରିଛି, କିନ୍ତୁ ଏହା ଉପର ପାଲ ପକାଯାଇନାହିଁ। ତେଣୁ ଭକ୍ତମାନଙ୍କ ଦର୍ଶନ ସୁବିଧା ପାଇଁ ଅନ୍ତତଃ ଅସ୍ଥାୟୀ ସେଡ୍‌ କରାଯାଉ ନଚେତ ପୁରୁଣା ଲୁହା ସେଡ୍‌ କାମ ସମ୍ପନ୍ନ କରି ଭକ୍ତମାନଙ୍କୁ ଏହା ମଧ୍ୟରେ ଧାଡ଼ି ବାନ୍ଧି ଅପେକ୍ଷା କରିବାର ବ୍ୟବସ୍ଥା କରାଯିବା ନେଇ ମତ ପ୍ରକାଶ ପାଇଛି।

ସୂଚନାଯୋଗ୍ୟ ଯେ ରଥଯାତ୍ରା ପାଇଁ ସିଂହଦ୍ବାରା ସମ୍ମୁଖରେ ଥିବା ସେଡ୍‌କୁ ଖୋଲି ଦିଆଯାଇଥିଲା। ତେବେ ସେଡ୍‌ କୋଲାଯିବା ବେଳେ ମହାପ୍ରଭୁ ଅଣସରରେ ଥିବାରୁ ଓ ପରେ ପରେ ରଥଯାତ୍ରା ଅନୁଷ୍ଠିତ ହେବାରୁ ଲୋକେ ଶ୍ରୀମନ୍ଦିରକୁ ଯାଉନଥିଲେ। ନୀଳାଦ୍ରୀ ବି;ଜ ପରଠାରୁ ଶ୍ରୀମନ୍ଦିରରେ ରତ୍ନସିଂହାସନ ଉପରେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଭକ୍ତମାନଙ୍କ ସଂଖ୍ୟା ବଢ଼ିଛି। ହେଲେ ଏପର୍ଯ୍ୟନ୍ତ ସେଡ୍ ନିର୍ମାଣ ସରିନାହିଁ। ତୁରନ୍ତ ଶ୍ରୀମନ୍ଦିର ପ୍ରଶାସନ ସେଡ୍ ନିର୍ମାଣ କରିବାକୁ ଭକ୍ତମାନେ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର