ଶ୍ରୀକ୍ଷେତ୍ରରେ ଶହେ ଟଙ୍କାରେ ରହିବେ ଭକ୍ତ, ନିର୍ମାଣ ହେବ ବହୁତଳ ଧର୍ମଶାଳା

ବାସେଳିସାହି ନିକଟରେ ୧୦ ଏକର ଜାଗା ଚିହ୍ନଟ, ଭୋର୍‌ ୫ଟାରେ ପହଞ୍ଚି ସମୀକ୍ଷା କଲେ ୫-ଟି ସଚିବ

ପୁରୀ: ଶ୍ରୀକ୍ଷେତ୍ର ପୁରୀ ଆସିଲେ ଭକ୍ତ ଆଉ ରହିବା ପାଇଁ ହୀନସ୍ତା ହେବେନି। ହୋଟେଲରେ ରହିବା ପାଇଁ ମୋଟା ଅଙ୍କର ଟଙ୍କା ଗଣିବାକୁ ପଡ଼ିବନି। ଶହେରୁ ଦେଢ଼ ଶହ ଟଙ୍କାରେ ମିଳିବ ରହିବା ସୁବିଧା। ରନ୍ଧା ଖାଦ୍ୟ ସାଙ୍ଗକୁ ଅନ୍ୟାନ୍ୟ ସୁବିଧା ବି ମିଳିବ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ପୁରୀ ବାସେଳିସାହି ଥାନା ନିକଟରେ ପ୍ରାୟ ୧୦ ଏକର ଜାଗା ଚିହ୍ନଟ କରିଛି ଶ୍ରୀମନ୍ଦିର ପ୍ରଶାସନ। ଯେଉଁଠି ବହୁତଳ ଧର୍ମଶାଳା ନିର୍ମାଣ କରି ଶସ୍ତାରେ ଭକ୍ତଙ୍କୁ ଖାଇବା, ରହିବା ଆଦି ସୁବିଧା ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଧର୍ମଶାଳାରେ ୪ ରୁ ୫ ହଜାର ଭକ୍ତ ରହିବାର ସୁବିଧା କରାଯିବ। ପୁରୀରେ ଚାଲିଥିବା ଉନ୍ନୟନ କାର୍ଯ୍ୟର ସମୀକ୍ଷା ପରେ ଆଜି ଏହା ସ୍ପଷ୍ଟ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରି‌ଷନ୍‌ କୁମାର। ଅନ୍ୟପଟେ ଆଜି ଭୋର ୫ଟାରୁ ୫-ଟି ସଚିବ ଭି. କେ. ପାଣ୍ଡିଆନ୍‌ ଶ୍ରୀକ୍ଷେତ୍ରରେ ପହଞ୍ଚି ଉନ୍ନୟନ କାର୍ଯ୍ୟର ସମୀକ୍ଷା ମଧ୍ୟ କରିଛନ୍ତି।

ଶ୍ରୀକ୍ଷେତ୍ରକୁ ଐତିହ୍ୟ ସହର ଭାବେ ଗଢ଼ି‌ ତୋଳିବା ଲକ୍ଷ୍ୟ ନେଇ ରାଜ୍ୟ ସରକାର ଅନେକ ଉନ୍ନୟନ କାର୍ଯ୍ୟ ହାତକୁ ନେଇଛନ୍ତି। ବହୁତଳ ପାର୍କିଂ ସାଙ୍ଗକୁ ମାର୍କେଟ୍‌ ବିଲ୍ଡିଂ ଆଦିର ପରିକଳ୍ପନା କରାଯାଇଛି। ସ୍ବର୍ଗଦ୍ବାର ସହ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଉନ୍ନୟନ କାର୍ଯ୍ୟକୁ ଅଗ୍ରାଧିକାର ଦିଆଯାଇଛି। ଏସବୁ ଉନ୍ନୟନ କାର୍ଯ୍ୟର ଆଜି ସମୀକ୍ଷା କରାଯାଇଛି। ଆଜି ଭୋର ୫ଟାରୁ ଉନ୍ନୟନ କମସନର୍‌ ସୁରେଶ ମହାପାତ୍ରଙ୍କ ସହ ୫-ଟି ସଚିବ ଶ୍ରୀ ପାଣ୍ଡିଆନ୍‌ ପୁରୀରେ ପହଞ୍ଚିବା ପରେ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ବୁଲିଥିଲେ। ୭୫ ମିଟର ଐତିହ୍ୟ କରିଡର ଉପରେ ମୁଖ୍ୟ ପ୍ରଶାସକ ଶ୍ରୀ କୁମାର, ଜିଲ୍ଲାପାଳ ବଲୱନ୍ତ ସିଂ, ଏସ୍‌ପି ଡ. କେ. ବିଶାଲ ସିଂଙ୍କ ସହ ଆଲୋଚନା କରିଥିଲେ। ଉଚ୍ଛେଦ ହୋଇଥିବା ମଠ ଓ ମନ୍ଦିର ଆଦିର ଥଇଥାନ ସଂପର୍କରେ ଆଲୋଚନା କରିଥିଲେ। ଉନ୍ନୟନ କାର୍ଯ୍ୟ ସହ ଥଇଥାନ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସକାଳ ସାଢ଼େ ୬ଟା ସୁଦ୍ଧା ୫-ଟି ସଚିବ ଭୁବନେଶ୍ବର ଫେରିଯିବା ପରେ ଉନ୍ନୟନ କମିସନର ଶ୍ରୀ ମହାପାତ୍ର ଅନ୍ୟ ଅଧିକାରୀଙ୍କ ସହ ଶ୍ରୀମନ୍ଦିର ବୁଲି ଦର୍ଶନ ବ୍ୟବସ୍ଥାର ସ୍ଥିତି ଅନୁଧ୍ୟାନ ସହ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ।

ପରେ ପରେ ସକାଳ ସାଢ଼େ ୭ଟାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ତଥା ଓବିସିସି ଅଧ୍ୟକ୍ଷ ଶ୍ରୀ କୁମାର ଓବିସିସିର ବରିଷ୍ଠ ଅଧିକାରୀଙ୍କ ସହ ଅବଢ଼ା ଯୋଜନାରେ ଚାଲିଥିବା ଉନ୍ନୟନ କାର୍ଯ୍ୟ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଓବିସିସିର ଅଧିକାରୀଙ୍କୁ ନେଇ ଶ୍ବେତଗଙ୍ଗାରୁ ଉନ୍ନୟନ କାର୍ଯ୍ୟ ସମୀକ୍ଷା ପର୍ବ ଆରମ୍ଭ କରିଥିଲେ। ଏହି ଅବସରରେ ଶ୍ବେତଗଙ୍ଗା ସହ ପଞ୍ଚତୀର୍ଥ ପୁଷ୍କରିଣୀ ବୁଲି ଉନ୍ନୟନ କାର୍ଯ୍ୟର ଖସଡ଼ା ପ୍ରସ୍ତୁତ କରିଥିଲେ। ବେଳାମାର୍ଗରେ ଥିବା ଯାତ୍ରିକା, ଲୋକନାଥ ମନ୍ଦିର, ବଡ଼ଓଡ଼ିଆ ମଠ, ମାଟିତୋଟା ଗୁରୁକୁଳମ୍‌ ଆଦି ସ୍ଥାନ ବି ପରିଦର୍ଶନ କରିଥିଲେ। ପରେ ଜିଲ୍ଲାପାଳ ଶ୍ରୀ ସିଂ, ଉପଜିଲ୍ଲାପାଳ ଭବତାରଣ ସାହୁ, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନାଙ୍କ ସମେତ ଓବିସିସିର ନିର୍ବାହୀ ଯନ୍ତ୍ରୀ, ଏମ୍‌ଡି ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ କୁମାର କହିଥିଲେ, ପୁରୀରେ ଅବଢ଼ା ଯୋଜନାରେ ‌ରାଜ୍ୟ ସରକାରଙ୍କ ତରଫରୁ ଅନେକ ପ୍ରକଳ୍ପ ହାତକୁ ନିଆଯାଇଛି। ଏହା ଭିତରେ ଅନେକ ପ୍ରକଳ୍ପର କାର୍ଯ୍ୟ ବି ଆରମ୍ଭ ହୋଇଗଲାଣି। ବାକି କାମ ଖୁବ୍‌ ଶୀଘ୍ର ଆରମ୍ଭ ହେବ। ରାଜ୍ୟ ସରକାର ଶ୍ରୀକ୍ଷେତ୍ର ବୁଲି ଆସୁଥିବା ଭକ୍ତଙ୍କୁ ଶସ୍ତାରେ ରହିବାର ସୁବିଧା କରିବାକୁ କହିଥିଲେ। ସେହି ଅନୁଯାୟୀ ବାସେଳିସାହି ଥାନା ନିକଟରେ ପ୍ରାୟ ୧୦ ଏକର ଜାଗା ଚିହ୍ନଟ କାମ ସରିଛି। ଏଠାରେ ଶହେରୁ ଦେଢ଼ଶହ ଟଙ୍କାରେ ରହିବା ସୁବିଧା ସହ ଖାଇବା ସୁବିଧା ପାଇଁ ରୋଷଶାଳା ଆଦିର ବ୍ୟବସ୍ଥା କରାଯିବ। ସେ ଉପରେ ବିସ୍ତୃତ ଆଲୋଚନା ଚାଲିଛି। ଇତି ମଧ୍ୟରେ ଜେଲ୍‌ ରୋଡ୍‌ସ୍ଥିତ ବହୁତଳ କାର ପାର୍କିଂ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି। ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ପ୍ରକଳ୍ପ କାମ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜଗନ୍ନାଥ ବଲ୍ଲଭ ପରିସରରେ ମାର୍କେଟ୍‌ କମ୍ପ୍ଲେକ୍ସ କାମ ଆରମ୍ଭ ହେବାକୁ ଯାଉଛି। ଜଗନ୍ନାଥ ବଲ୍ଲଭ ପରିସରରେ ୧୨ ଶହ କାର ପାର୍କିଂ ବ୍ୟବସ୍ଥା ରହିବ। ଜବରଦଖଲ ସମସ୍ୟା ରହିଥିବାରୁ କାମ ଆରମ୍ଭ ହୋଇପାରିନି। ଖୁବ୍‌ କମ ଦିନ ଭିତରେ ଏହି କାମ ଆରମ୍ଭ ହୋଇଯିବ ବୋଲି ଶ୍ରୀ କୁମାର କହିଛନ୍ତି।

ମହୋଦଧି ମାର୍କେଟ୍‌ର ଟେଣ୍ଡର ଫାଇନାଲ୍‌ ହେବା ସହ କାମ ବି ଆରମ୍ଭ ହୋଇଗଲାଣି। ସ୍ବର୍ଗଦ୍ବାର କାମ ବି ଆଗେଇ ଚାଲିଛି। କ୍ରେନ୍‌ ମାଧ୍ୟମରେ ଭୁବନେଶ୍ବରରୁ ପ୍ରିକାଷ୍ଟ (ପୂର୍ବରୁ ଢ଼ଳେଇ ହୋଇଥିବା) ଟ୍ରେ ଆସିବା ଆରମ୍ଭ ହୋଇଯାଇଛି। ତିନି ସପ୍ତାହ ମଧ୍ୟମରେ ଏହି କାମ ସରିବ। ଅବଢ଼ା ଯୋଜନାର ସବୁ ପ୍ରକଳ୍ପ ଠିକ୍‌ ଭାବେ ଆଗକୁ ଯିବ ବୋଲି ଆଶା ରଖିଛୁ। ପୁରୀ ବେଳାମାର୍ଗ ନିକଟରେ ଥିବା ଯାତ୍ରୀକାର ସାଢ଼େ ୪ ଏକର ଜାଗା ସହ ଅନ୍ୟ ଦୁଇ ଏକର ଜାଗା ଚିହ୍ନଟ ସରିଛି। ଯେଉଁଠାରେ ପାର୍କିଂ ବ୍ୟବସ୍ଥା କରାଯିବ। ଏଠାରେ ଗ୍ରାଉଣ୍ଡ୍ ଲେଭଲ୍‌ରେ ୬ ଶହରୁ ୭ଶହ ଗାଡ଼ି ପାର୍କିଂର ବ୍ୟବସ୍ଥା କରିବାକୁ ଲକ୍ଷ୍ୟ ରଖାଯାଇଛି। ଶ୍ରୀମନ୍ଦିରର ଆବଶ୍ୟକ ମରାମତି ପାଇଁ ବି କରାଯିବ। ଶ୍ରୀମନ୍ଦିର ବାହାରପାର୍ଶ୍ବ ୨୦ ମିଟର ପର୍ଯ୍ୟନ୍ତ ବିକାଶ କାର୍ଯ୍ୟ ଜାନୁଆରିରୁ ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀ କୁମାର କହିଛନ୍ତି।

ସମ୍ବନ୍ଧିତ ଖବର