ଶ୍ରୀଜଗନ୍ନାଥଙ୍କୁ ଦାନରେ ମିଳିଛି ୧୮୭ କୋଟି ଟଙ୍କା, ୧୭ କି‌ଲୋରୁ ଅଧିକ ସୁନା ଓ ୨୨୭ କିଲୋ ରୁପା

ଭୁବନେଶ୍ବର: ଭକ୍ତମାନେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନିଜର ମାନସିକ ପୂରଣ ହେଉ ବା ପୁଣ୍ୟ ଅର୍ଜ୍ଜନ ଲାଗି ହେଉ କିଂବା ଶ୍ରଦ୍ଧାରେ ହେଉ ମନଖୋଲି ଦାନ କରିଥାଆନ୍ତି  । ଟଙ୍କା ସାଙ୍ଗକୁ ସୁନା ଓ ରୂପାର ଅଳଙ୍କାର ଓ ମୁଦ୍ରା ମଧ୍ୟ ମହାପ୍ରଭୁଙ୍କୁ ନିବେଦନ କରିଥାଆନ୍ତି ଭକ୍ତ ଓ ଶ୍ରଦ୍ଧାଳୁ । ଏହି ପରମ୍ପରା କାହିଁ କେଉଁ କାଳରୁ ଚାଲି ଆସିଛି। ତେବେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରକୁ କେତେ ଟଙ୍କାର ଦାନ ମିଳିଛି ସେ ନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା ।

ବିଜେଡ଼ି ବିଧାୟକ ଊମାକାନ୍ତ ସାମନ୍ତରାୟଙ୍କ ପ୍ରଶ୍ନର ଉତ୍ତରରେ ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ୨୦୨୦ ଜାନୁଆରି ଶେଷ ସୁଦ୍ଧା ପୁରୀ ବଡ ଦେଉଳକୁ ମିଳିଛି ୧୮୭ କୋଟି ୧ ଲକ୍ଷ ୮୫ ହଜାର ଟଙ୍କାର ଦାନ । ସେହିଭଳି ମହାପ୍ରଭୁଙ୍କ ପାଇଁ ଭକ୍ତ ଦେଇଛନ୍ତି ୧୭ କିଲୋ ୭୫୬ ଗ୍ରାମ ଓ ୭୦୬ ମିଲିଗ୍ରାମର ସୁନା । ଏହି ଦାନ ସୁନା ଭିତରେ ଅନେକ ଅଳଙ୍କାର ମଧ୍ୟ ରହିଛି। ସେହିଭଳି ୨୨୭ କେଜି ୯୫ ଗ୍ରାମ ଓ ୩୦୭ ମିଲିଗ୍ରାମର ରୂପା ମଧ୍ୟ ଦାନ ସୂତ୍ରରେ ମିଳିଛି । ଏହାବାଦ ବିଭିନ୍ନ ଲୁଗାପଟା, ଘଣ୍ଟ, ଘଣ୍ଟି, ରଥ ନିର୍ମାଣରେ ଲାଗୁଥିବା କପଡା, ପାଟ ମଧ୍ୟ ଦାନ ଆକାରରେ ଶ୍ରୀମନ୍ଦିରକୁ ମିଳିଛି ।

ଦାନରେ ମିଳିଥିବା ଟଙ୍କାକୁ ବ୍ୟାଙ୍କରେ ରଖାଯାଇଥିବା ବେଳେ ଏହାକୁ ସେବାୟତମାନଙ୍କୁ ଦରମା ଆକାରରେ ଦିଆଯାଏ । ସେହିଭଳି ଦାନରେ ମିଳିଥିବା ତେଜରାତି ସାମଗ୍ରୀକୁ କୋଠଭୋଗରେ ବ୍ୟବହାର କରାଯାଏ । ଦାନରେ ମିଳିଥିବା ସୁନା ଓ ରୂପାକୁ ଶ୍ରୀଜିଉଙ୍କ ବିଭିନ୍ନ ଅଳଙ୍କାର ମରାମତିରେ ବ୍ୟବହାର କରାଯାଏ ।

ସମ୍ବନ୍ଧିତ ଖବର