ନୟାଗଡ଼: ମହାମାରୀ କରୋନା କଟକଣା ପାଇଁ ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପାର୍ବଣର ମାହୋଲ ସାରା ରାଜ୍ୟ ଭଳି ନୟାଗଡ଼ ଜିଲ୍ଲାରେ ଦେଖିବାକୁ ମିଳୁନାହିଁ। ସଂକ୍ରମଣ ଆଶଙ୍କାରେ ପୂଜା ମଣ୍ଡପଗୁଡ଼ିକରେ ୭ ଜଣରୁ ଅଧିକ ରହିବେ ନାହିଁ ବୋଲି ରାଜ୍ୟ ସରକାର ନିୟମ କରିଛନ୍ତି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏହି ନିୟମକୁ ମଧ୍ୟ କଡ଼ାକଡ଼ି ପାଳନ କରାଯାଉଥିବା ଦେଖିବାକୁ ମିଳିଛି। ଫଳରେ ପୂଜା ମଣ୍ଡପ ଏକରକମ ଫିକା ଫିକା ଲାଗୁଛି। କେବଳ ଦେବୀ ଦୁର୍ଗାଙ୍କ ନୀତିକାନ୍ତି କରାଯାଉଥିବା ବେଳେ, ସାଧାରଣ ଦର୍ଶନ ବନ୍ଦ। କଟକଣା ସହକାରେ ଜିଲ୍ଲା ସଦର ମହକୁମା ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ମା’ଙ୍କ ଅଷ୍ଟମୀ ପୂଜା କରାଯାଇଛି। ସାର୍ବଜନୀନ ଦୁର୍ଗା ପୂଜା ସମିତି ନୟାଗଡ଼ର ସମ୍ପାଦକ ସୁମନ କୁମାର ସାହୁ କହିଛନ୍ତ, ମହାମାରୀ ନେଇ ପ୍ରଶାସନ ଜାରି କରିଥିବା ସମସ୍ତ କଟକଣା ସହକାରେ ଆମର ପୂଜା ଆୟୋଜନ କରାଯାଇଛି। ଭକ୍ତଙ୍କ ଦେଖା ମିଳୁନଥିବାରୁ ଯଦିଓ କଷ୍ଟ ଲାଗୁଛି, କିନ୍ତୁ ମହାମାରୀର ଜୀବନ ମରଣର ଲଢ଼େଇ ମଧ୍ୟରେ ଜୀବନକୁ ଆମକୁ ପ୍ରାଥମିକତା ଦେବାକୁ ହେବ। ନୟାଗଡ଼ ଜିଲ୍ଲାରେ ପ୍ରାୟ ୧୨୨ଟି ପୂଜା ମଣ୍ଡପ ବିଭିନ୍ନ ବ୍ଲକ୍ରେ ରହିଛି।
ଏଗୁଡ଼ିକ ମଧ୍ୟରେ ପ୍ରାୟ ୧୫ରୁ ଅଧିକ ବଡ଼ ପୂଜା ମଣ୍ଡପ। କିନ୍ତୁ ଦୁଇ ବର୍ଷ ହେବ ମହାମାରୀ ପାଇଁ ଏହାର ସଂଖ୍ୟା ଯଥେଷ୍ଟ କମିଯାଇଛି। କେବଳ ଦେବୀଙ୍କ ପ୍ରତିମା ପୂଜାକୁ ଗୁରୁତ୍ବ ଦିଆଯାଇଥିବା ବେଳେ, ଅନ୍ୟ କାର୍ଯ୍ୟକ୍ରମ ବନ୍ଦ ରଖାଯାଇଛି। ବିଭିନ୍ନ ବ୍ଲକ୍ ମଧ୍ୟରେ ଓଡ଼ଗାଁର ଦୁର୍ଗାବଜାର ସମେତ କୋମଣ୍ଡ, ନନ୍ଦିଘର, କୁରାଳ ଆଦି ଅଞ୍ଚଳରେ କରାଯାଉଥିବା ପୂଜା ମଣ୍ଡପ ଶ୍ରଦ୍ଧାଳୁଙ୍କ ନିମନ୍ତେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ। ଏଥି ସହିତ ଓଡ଼ଗାଁର ଦଲକ ଗୟଳସିଂହ ଠାକୁରାଣୀ ମନ୍ଦିର, ହେମାମାଳି, ରଘୁନାଥ ଜିଉଙ୍କ ବିମଳା ମନ୍ଦିରରେ ମଧ୍ୟ ଦେବୀଙ୍କ ପୂଜାର୍ଚ୍ଚନା ବେଶ୍ ଆଡ଼ମ୍ବର ସହକାରେ କରାଯାଇଥାଏ। ସେହିଭଳି ରଣପୁର ବ୍ଲକର ଜଗନ୍ନାଥ ବଜାର ସମେତ ରାଜସୁନାଖଳା, ଲୋଧାଚୁଆ, ଦର୍ପନାରାୟଣପୁର, ଚାନ୍ଦପୁର ମୁଖ୍ୟ ବଜାରରେ ଅନୁଷ୍ଠିତ ମା’ଙ୍କ ପୂଜା ମଣ୍ଡପରେ ସ୍ଥାନୀୟ ଅଞ୍ଚଳରେ ଶ୍ରଦ୍ଧାଳୁଙ୍କ ଭିଡ଼ ବହୁମାତ୍ରାରେ ପରଲକ୍ଷିତ ହୋଇଥାଏ। ହେଲେ ମହାମାରୀ ପାଇଁ ସବୁ କିଛି ଖାଲିଖାଲି ଲାଗୁଛି।
ନୂଆଗାଁର ବାହାଡ଼ାଝୋଲା, ଦଶପଲ୍ଲା ଦୁର୍ଗା ବଜାର, ଗଣିଆ ମୁଖ୍ୟ ବଜାର, ଫତେଗଡ଼ ଆଦିରେ ପୂଜା କମିଟିଗୁଡ଼ିକ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଥାଏ। ମହାମାରୀ ପାଇଁ ଲୋକଙ୍କ ଗହଳି ଚହଳି, ପୂଜା ମଣ୍ଡପରେ ସାଜସଜା ସଂପୂର୍ଣ୍ଣ ଠପ୍ ହୋଇଯାଇଛି। ଲୋକଙ୍କ ମନରେ ଭକ୍ତି ଭାବ ରହିଥିଲେ ମଧ୍ୟ କଟକଣା ପାଇଁ ଦେବୀଙ୍କ ଦର୍ଶନରୁ ସେମାନେ ବଞ୍ଚିତ ହେଉଛନ୍ତି। ବ୍ୟବସାୟିକ ଦୃଷ୍ଟିରୁ ମଧ୍ୟ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ଘଟିଛି। ବିଭିନ୍ନ ଟେଣ୍ଡ୍ ହାଉସଠାରୁ ଆରମ୍ଭ କରି ସାଉଣ୍ଡ୍ ସିଷ୍ଟମ ଯୋଗାଉଥିବା ବ୍ୟବସାୟୀ, ମେଲୋଡିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ କଳା ପରିବେଷଣ କରୁଥିବା ଦଳ, ଉଠାଦୋକାନୀ କ୍ଷତିଗ୍ରସ୍ତ ହୋଇଛନ୍ତି। ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣଠାରୁ ଆରମ୍ଭ କରି ଉଠାଦୋକାନ ବଜାର ଖୋଲିବା ଆଦି ନେଇ ପ୍ରଶାସନିକ ରୋକ୍ ଲାଗିଛି। ତେବେ ପାର୍ବଣର ଏହି ଭକ୍ତିପୂର୍ଣ୍ଣ ପରିବେଶରେ ଘରେ ରହି ଶ୍ରଦ୍ଧାଳୁ ଏଭଳି ଦୁର୍ଦ୍ଦିନ କେବେ ସରିବ, ଆସନ୍ତାବର୍ଷକୁ ଆଶାବାନ୍ଧି ମହିଷାମର୍ଦ୍ଦିନୀଙ୍କୁ ତା’ର ଅଳି ଜଣାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/65fh4k64fh64kfh64k65fhk4fhkfhkhk.jpg)