ବାଲେଶ୍ବର : ଭିଜିଲାନ୍ସ ଜାଲରେ ଡିଏଫ୍‌ଓ, ଏସିଏଫ୍‌

ଦେଢ଼ କୋଟିର ସମ୍ପତ୍ତି ଠାବ, ଭଦ୍ରକ, ଚାନ୍ଦବାଲି, ଭୁବନେଶ୍ବରରେ ଚଢ଼ଉ

ବାଲେଶ୍ବର/ଚାନ୍ଦବାଲି : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବନ ବିଭାଗର ଦୁଇ ବରିଷ୍ଠ ଅଧିକାରୀଙ୍କ ବାସଭବନ ଓ କାର୍ଯ୍ୟାଳୟରେ ଚଢ଼ଉ କରିଛି ଭିଜିଲାନ୍ସ। ଏହି ଦୁଇ ଅଧିକାରୀ ହେଲେ ଭଦ୍ରକ ବନଖଣ୍ଡ ଅଧିକାରୀ ଜଗନ୍ନାଥ ମିଶ୍ର ଓ ସହକାରୀ ବନ ସଂରକ୍ଷକ ବିରାଜ ମୋହନ ମହାନ୍ତି। ଉଭୟଙ୍କ କାର୍ଯ୍ୟାଳୟ ଓ ବାସଭବନରେ ଆଜି ଭଦ୍ରକ, ବାଲେଶ୍ବର ଓ କେନ୍ଦୁଝର ଭିଜିଲାନ୍ସ ବିଭାଗର ୬ଟି ଟିମ୍ ଚଢ଼ଉ କରି ଦେଢ଼ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ଠାବ କରିଛି।

ବନ ବିଭାଗର ଏହି ଦୁଇ ବରିଷ୍ଠ ପଦାଧିକାରୀଙ୍କ ଉପରେ ଦୀର୍ଘଦିନରୁ ନଜର ରଖିଥିଲା ଭିଜିଲାନ୍ସ। ସହକାରୀ ବନ ସଂରକ୍ଷକ ଶ୍ରୀ ମହାନ୍ତିଙ୍କର ଭୁବନେଶ୍ବରରେ ଥିବା ୨ ମହଲା ଘର, କଟକରେ ୩ ମହଲା ଘର, ଯାଜପୁର ଟାଉନ୍‌ସ୍ଥିତ ପୈତୃକ ବାସଭବନ, ଚାନ୍ଦବାଲିସ୍ଥିତ ଭଡ଼ା ଘର ସମେତ ତାଙ୍କର ଘନିଷ୍ଠ ସହଯୋଗୀଙ୍କ ଭଡ଼ାଘର ଓ ପୈତୃକ ବାସଭବନରେ ଏକକାଳୀନ ଚଢ଼ଉ ହୋଇଥିଲା। ତାଙ୍କ ନିକଟରୁ ୧ କୋଟି ୪୮ଲକ୍ଷ ଟଙ୍କାର ସମ୍ପତ୍ତି ଠାବ କରାଯାଇଛି। ଏଥିରେ ଘର, ଗୋଟିଏ ଚାରିଚକିଆ ଯାନ, ୩ଟି ଦୁଇଚକିଆ ଯାନ, ୪ ଲକ୍ଷରୁ ଅଧିକ ମୂଲ୍ୟର ଗହଣା ସମେତ ନଗଦ ଟଙ୍କା ରହିଛି।

ସେହିପରି ବନଖଣ୍ଡ ଅଧିକାରୀ ଜଗନ୍ନାଥ ମିଶ୍ରଙ୍କ ଭଡ଼ା ଘର ଓ ଅଫିସରେ ମଧ୍ୟ ଚଢ଼ଉ ହୋଇଛି। ତେବେ ତାଙ୍କ ପାଖରୁ କେତେ ସମ୍ପତ୍ତି ଠାବ ହୋଇଛି ସେ ସମ୍ପର୍କରେ ଭିଜିଲାନ୍ସ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ଏ ସମ୍ପର୍କର ସହକାରୀ ବନ ସଂରକ୍ଷକ ବିରାଜ ମୋହନ ମହାନ୍ତିଙ୍କ ସହ ଯୋଗାଯୋଗ କରାଯାଇଥିଲା। ସେ ତଦନ୍ତରେ ସହଯୋଗ କରୁଥିବା କହିଛନ୍ତି। ଭଦ୍ରକ ଭିଜିଲାନ୍ସ ଡିଏସ୍‌ପି ଦାକ୍ଷିଣ ଚରଣ ମୁର୍ମୁ ଓ ବାଲେଶ୍ବର ଭିଜିଲାନ୍ସ ଡିଏସପି ଶରତ କୁମାର ମହାପାତ୍ରଙ୍କ ନେତୃତ୍ବରେ ବିଭାଗୀୟ କର୍ମଚାରୀମାନେ ଚଢ଼ଉରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର