ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଡିଏଫ୍‌ଓ, ବିଦ୍ୟାଭାରତୀଙ୍କ ହୋଇପାରେ ଲାଏ ଡିଟେକ୍ସନ୍‌ ଟେଷ୍ଟ୍‌

ପାରଳାଖେମୁଣ୍ଡି : ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ କ୍ରାଇମ୍‌ବ୍ରାଞ୍ଚ୍‌ ଶନିବାର ଦିନ ଗଜପତି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରାଙ୍କୁ ମାରାଥନ୍‌ ଜେରା କରିଛି। ପାରଳାଖେମୁଣ୍ଡି ପୁଲିସ ଗେଷ୍ଟ୍‌ ହାଉସ୍‌ରେ ଚାଲିଥିବା କ୍ରାଇମ୍‌ବ୍ରାଞ୍ଚ୍‌ ଅସ୍ଥାୟୀ କାର୍ଯ୍ୟାଳୟରେ ୪ ଜଣିଆ ଟିମ୍ ଡିଏଫ୍‌ଓଙ୍କୁ ଦିନ ୧୧ଟାରୁ ୨ଟା ପର୍ଯ୍ୟନ୍ତ ପ୍ରାୟ ୩ ଘଣ୍ଟା ଧରି ଜେରା କରିଥିଲେ। ଅଡ଼ୁଆ ସୂତାରେ ଛନ୍ଦି ହୋଇଥିବା ଏହି ରହସ୍ୟଜନକ ମୃତ୍ୟୁ ଘଟଣାରେ କ୍ରାଇମ୍‌ବ୍ରାଞ୍ଚ୍‌ ଏବେ ସୁଦ୍ଧା କିଛି ଥଳକୁଳ ପାଉ ନଥିବା ବେଳେ ଅବଶ୍ୟକ ପଡ଼ିଲେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ଓ ଡିଏଫ୍ଓ ଶ୍ରୀ ବେହେରାଙ୍କ ଲାଏ ଡିଟେକ୍ସନ୍‌ ଟେଷ୍ଟ କରାଯିବ ବୋଲି କ୍ରାଇମ୍‌ବ୍ରାଞ୍ଚ ଅଧିକାରୀ ସୂଚନା ଦେଇଛନ୍ତି।

ଶନିବାର ଡିଏଫ୍‌ଓ ଶ୍ରୀ ବେହେରାଙ୍କୁ ବିଭିନ୍ନ ଦିଗରୁ ଗୋଟି ଗୋଟି କରି ପ୍ରଶ୍ନ କରିଥିଲେ କ୍ରାଇମ୍‌ବ୍ରାଞ୍ଚ୍‌ ଅଧିକାରୀ। ମୃତ ଏସିଏଫ୍ ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ସହ ତାଙ୍କର ସମ୍ପର୍କ, କାର୍ଯ୍ୟସ୍ଥଳରେ ଏସିଏଫ୍‌ଙ୍କୁ ହଇରାଣ କରିବା, ଜାଣିଶୁଣି ରାତ୍ରୀ ଡ୍ୟୁଟିରେ ନିୟୋଜିତ କରିବା, କାର୍ଯ୍ୟସ୍ଥଳରେ ମାନସିକ ଚାପ ସୃଷ୍ଟି କରିବା ଏବଂ ଘଟଣା ଦିନ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ସୌମ୍ୟଙ୍କ ପ୍ରାଥମିକ ଚିକିତ୍ସା ଚାଲିଥିବା ବେଳେ ଡିଏଫ୍‌ଓ ଉପସ୍ଥିତ ଥିବା ଏବଂ ଜମାନବନ୍ଦୀ ନେବା ବେଳେ ମଧ୍ୟ ଉପସ୍ଥିତ ରହି ମାଜିଷ୍ଟ୍ରେଟ୍‌ଙ୍କୁ ପ୍ରଭାବିତ କରିଥିବା ନେଇ ପରିବାର ଲୋକେ ‌ଆଣିଥିବା ଅଭିଯୋଗ ଆଧାରରେ ମାରାଥନ୍‌ ଜେରା କରିଥିଲା କ୍ରାଇମ୍‌ବ୍ରାଞ୍ଚ୍‌। ହସ୍ପିଟାଲ୍‌ରେ ସୌମ୍ୟଙ୍କ ଜମାନବନ୍ଦୀ ନେଲା ବେଳେ ଡିଏଫ୍‌ଓ ଉପସ୍ଥିତ ଥିଲେ ବୋଲି ଜେରା ବେଳେ ସ୍ୱୀକାର କରିଛନ୍ତି। କିନ୍ତୁ ଜମାନବନ୍ଦୀରେ କଣ ଲେଖା ଯାଉଥିଲା, ସେ ତାହା ଜାଣି ନଥିବା କହିଛନ୍ତି ବୋଲି କ୍ରାଇମ୍‌ବ୍ରାଞ୍ଚ୍‌ ଡିଏସ୍‌ପି ଜ୍ଞାନରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି। ସୌମ୍ୟରଞ୍ଜନଙ୍କୁ ଡିଏଫ୍ଓ ଜାଣିଶୁଣି ନାଇଟ୍ ଡ୍ୟୁଟିରେ ପକାଉଥିବା ନେଇ ଯେଉଁ ଅଭିଯୋଗ ହୋଇଥିଲା, ଜେରା ବେଳେ ଏହି ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି। ବିଦ୍ୟାଭାରତୀଙ୍କ ସହ ତାଙ୍କର ସଂପର୍କ ନଥିଲା ବୋଲି ଡିଏଫ୍‌ଓ କହିଥିବା ନେଇ ସୂଚନା ମିଳିଛି।

ତେବେ ଗଣମାଧ୍ୟମକୁ କିଛି କହିବାକୁ ମନା କରି ଦେଇଥିଲେ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା। ସେ ଯାହା କହିବା କଥା ତଦନ୍ତକାରୀ ଟିମ୍‌କୁ କହିସାରିଛନ୍ତି ବୋଲି କହି ଏଡ଼ାଇ ଯାଇଥିଲେ। କ୍ରାଇମ୍‌ବ୍ରାଞ୍ଚ୍‌ ତଦନ୍ତ ଦାୟିତ୍ବ ନେବା ପର ଠାରୁ ଏ ପର୍ଯ୍ୟନ୍ତ ଡିଏଫ୍‌ଓଙ୍କୁ ମିଶାଇ ୧୬ ଜଣଙ୍କୁ ଜେରା କରିସାରିଲାଣି।

ସମ୍ବନ୍ଧିତ ଖବର