କେନ୍ଦୁଝର: କେନ୍ଦୁଝର କେନ୍ଦୁପତ୍ର ଡିଭିଜନ୍‌ର ଡିଏଫ୍‌ଓ ନିତ୍ୟାନନ୍ଦ ନାୟକଙ୍କ ଜମିଦାର ନିଶା ପଦାରେ ପଡ଼ିଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ଡିଏଫ୍‌ଓଙ୍କ କାର୍ଯ୍ୟାଳୟ, ବାସଭବନ ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରିଛି। ଚଢ଼ଉ ବେଳେ ଡିଏଫ୍‌ଓଙ୍କର ମାଳମାଳ ପ୍ଲଟ୍‌ ଦେଖି ଭିଜିଲାନ୍ସ ଅଧିକାରୀ ଓ କର୍ମଚାରୀ ତାଜୁବ ହୋଇଛନ୍ତି। ଡିଏଫ୍‌ଓ ଶ୍ରୀ ନାୟକଙ୍କ ପୁଅର କାର୍ଯ୍ୟାଳୟ, ଶ୍ବଶୁରଘରେ ମଧ୍ୟ ଭିଜିଲାନ୍ସ ଚଢ଼ଉ କରିଛି। ତାଙ୍କ ପରିବାର ସଦସ୍ୟଙ୍କ ନାମରେ ମୋଟ ୧୧୫ଟି ପ୍ଲଟ୍‌ ଥିବା ଭିଜିଲାନ୍ସ ଜାଣିବାକୁ ପାଇଛି।

Advertisment

ଆୟ ବହିର୍ଭୂତ ସଂପତ୍ତି ଠୁଳ ନେଇ କେନ୍ଦୁଝର କେନ୍ଦୁପତ୍ର ଡିଭିଜନର ଡିଏଫ୍‌ଓ ଶ୍ରୀ ନାୟକଙ୍କ ବିରୋଧରେ ଅଭିଯୋଗ ଥିଲା। କେନ୍ଦୁଝର ଭିଜିଲାନ୍ସ ସ୍ବତନ୍ତ୍ର ବିଚାରପତିଙ୍କଠାରୁ ସର୍ଚ୍ଚ ୱାରେଣ୍ଟ 
ପାଇବା ପରେ ଆଜି ସକାଳୁ ଭିଜିଲାନ୍ସ ଟିମ୍‌ ଚଢ଼ଉ କରିଥିଲା। ତିନିଜଣ ଡିଏସ୍‌ପିଙ୍କ ସମେତ ୧୦ଜଣ ଇନ୍‌ସ୍ପେକ୍ଟର, ୧୦ରୁ ଊର୍ଦ୍ଧ୍ବ କର୍ମଚାରୀ ଚଢ଼ଉରେ ସାମିଲ ହୋଇଥିଲେ। ଭିଜିଲାନ୍ସର ଏକାଧିକ ଟିମ୍‌ କେନ୍ଦୁଝରସ୍ଥିତ କାର୍ଯ୍ୟାଳୟ, ବାସଭବନ, ନୟାଗଡ଼ଅନୁଗୁଳ ଜିଲ୍ଲାର ୭ଟି ସ୍ଥାନରେ ଚଢ଼ଉ କରିଛି। ଶ୍ରୀ ନାୟକଙ୍କର ଅନୁଗୁଳରେ ଏକ ବହୁତଳ କୋଠା, ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ମଦନମୋହନ ପାଟଣାର ପୈତୃକ ଘର, ଅନୁଗୁଳ ଜଗନ୍ନାଥପୁରରେ ଥିବା ଶ୍ବଶୁର ଘର, କେନ୍ଦୁଝରରେ ଥିବା ସରକାରୀ ବାସଭବନ, ନୟାଗଡ଼ ଜିଲ୍ଲା କୋମଣ୍ଡରେ ପୁଅ ରହୁଥିବା ଘର, ନୟାଗଡ଼ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଶ୍ରୀ ନାୟକଙ୍କ ପୁଅର ଅଫିସରେ ଭିଜିଲାନ୍ସ ଖୋଳାତାଡ଼ ଜାରି ରଖିଛି। ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ, ଡିଏଫ୍‌ଓ ଶ୍ରୀ ନାୟକଙ୍କ ନାମରେ ୫୩ଟି ପ୍ଲଟ୍‌, ତାଙ୍କ ପତ୍ନୀଙ୍କ ନାମରେ ୪୨ଟି ପ୍ଲଟ୍‌, ଦୁଇପୁଅଙ୍କ ନାମରେ ୧୬ଟି ପ୍ଲଟ୍‌, ଝିଅଙ୍କ ନାମରେ ୪ଟି ପ୍ଲଟ୍‌ ରହିଛି। ଏହାଛଡ଼ା ଦୁଇଟି କାର୍‌, ୪ଟି ବାଇକ୍‌, ସୁନା ଗହଣା ଓ ୧.୧୯ଲକ୍ଷ ଟଙ୍କା ଜବତ ହୋଇଛି।