କୋଭିଡ୍‌ ସମୀକ୍ଷା ପାଇଁ ବାଲେଶ୍ବରରେ ପୁଲିସ ଡିଜି ଅଭୟ

ବାଲେଶ୍ବର/ଭଦ୍ରକ: ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଅଭୟ ଆଜି ବାଲେଶ୍ବର ଗସ୍ତରେ ଆସି ସୀମା ସ୍ଥିତି ଅନୁଧ୍ୟାନ କରିବା ସହ କରୋନା ଦ୍ବିତୀୟ ଲହର ସଂକ୍ରମଣକୁ ପ୍ରତିହତ କରିବା ପାଇଁ ପୁଲିସ ପକ୍ଷରୁ ନିଆଯାଇଥିବା ପଦକ୍ଷେପଗୁଡ଼ିକ ଉପରେ ସମୀକ୍ଷା କରିଛନ୍ତି।
ରବିବାର ପୂର୍ବାହ୍ନ ୧୦ଟା ୨୫ରେ ଡିଜି ଅଭୟ ଓ ଅତିରିକ୍ତ ଡିଜି (ଆଇନଶୃଙ୍ଖଳା) ଯଶବନ୍ତ ଜେଠୱା ଆସି ବାଲେଶ୍ବର ପୂର୍ବାଞ୍ଚଳ ଜୋନ୍‌ ପୁଲିସ ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ଆଇଜି ଦୀପ୍ତେଶ କୁମାର ପଟ୍ଟନାୟକ, ମୟୂରଭଞ୍ଜ ଏସ୍‌ପି ସ୍ମିଥ୍‌ ପି.ପରମାର, ବାଲେଶ୍ବର ଏସ୍‌ପି ସୁଧାଂଶୁ ଶେଖର ମିଶ୍ରଙ୍କ ସହ ସୀମା ସୁରକ୍ଷା ଓ କୋଭିଡ୍‌ ସଂକ୍ରମଣ ରୋକିବା ନେଇ ପୁଲିସ ବ୍ୟବସ୍ଥା ସଂପର୍କରେ ଆଲୋଚନା କରିଥିଲେ।

ପରେ ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖି ଡିଜି କହିଥିଲେ, ବାଲେଶ୍ୱର ଜିଲ୍ଲା ସୀମା ଲକ୍ଷ୍ମଣନାଥ ଓ ଉଦୟପୁର ଅନ୍ତଃରାଜ୍ୟ ଚେକ୍‌ପୋଷ୍ଟରେ ୨୪ ଘଣ୍ଟିଆ କଡ଼ା ନଜର ରଖାଯାଇଛି। ପଶ୍ଚିମବଙ୍ଗରୁ ଆସୁଥିବା ସମସ୍ତ ବ୍ୟକ୍ତି ଓ ଯାନବାହନଗୁଡ଼ିକୁ ଯାଞ୍ଚ୍‌ କରାଯାଉଛି। ସେହିପରି ମୟୂରଭଞ୍ଜ ଜିଲ୍ଲାର ସୀମାନ୍ତ ଜାମଶୋଳା ଓ ଶୁଳିଆପଦା ଚେକଗେଟ୍‌ରେ ମଧ୍ୟ ଯାଞ୍ଚ୍‌ ପ୍ରକ୍ରିୟା ଜୋରଦାର ଚାଲିଛି। କୋଭିଡ୍‌ ମୁକାବିଲା ଲାଗି ପୁଲିସ ବିଭାଗ ତତ୍ପର ରହିଥିବାବେଳେ ଲୋକମାନଙ୍କଠାରୁ ମଧ୍ୟ ଭଲ ସହଯୋଗ ମିଳୁଛି। କୋଭିଡ୍‌ କଟକଣାକୁ ଜନସାଧାରଣ ଠିକ୍‌ ଭାବେ ପାଳନ କରୁଥିବାରୁ ଡିଜି ଧନ୍ୟବାଦ ଜଣାଇବା ସହ ଆଗକୁ ମଧ୍ୟ ସହଯୋଗ ଜାରି ରଖିବାକୁ ନିବେଦନ କରିଥିଲେ।
ଅତିରିକ୍ତ ଡିଜି ଶ୍ରୀ ଜେଠୱା କହିଥିଲେ, ଓଡ଼ିଶା ସୀମା ଜଗିବା ପାଇଁ ବାଲେଶ୍ବର ଜିଲ୍ଲାରେ ୭ ପ୍ଲାଟୁନ୍‌ ଓ ମୟୂରଭଞ୍ଜ ଜିଲ୍ଲାରେ ୪ ପ୍ଲାଟୁନ୍‌ ଫୋର୍ସ ସାଙ୍ଗକୁ ଦୁଇ ଜିଲ୍ଲାରେ ୨୭ ଜଣ ଲେଖା ସ୍ବତନ୍ତ୍ର ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ସୀମାରେ ‌ଚେକ୍‌ପୋଷ୍ଟକୁ ଛାଡ଼ି ବାଲେଶ୍ବର ଜିଲ୍ଲାକୁ ଲାଗିଥିବା ପଶ୍ଚିମବଙ୍ଗର ୨୮ଟି ଓ ମୟୂରଭଞ୍ଜ ଜିଲ୍ଲାକୁ ଲାଗିଥିବା ୩୨ଟି ସ୍ଥାନ ଉପରେ ସତର୍କ ଦୃଷ୍ଟି ରଖାଯାଇଛି। ଗଳାବାଟ ଦେଇ ଆସୁଥିବା ଲୋକଙ୍କ ଉପରେ ନଜର ରଖିବା ପାଇଁ ମୋବାଇଲ୍‌ ଭ୍ୟାନ୍‌ ଦ୍ୱାରା ପାଟ୍ରୋଲିଂ ଚାଲିଥିବା ସେ ସୂଚନା ଦେଇଥିଲେ। ତେବେ ଡିଜି ଅଭୟ ଜଳେଶ୍ବରସ୍ଥିତ ଲକ୍ଷ୍ମଣନାଥ ଚେକ୍‌ପୋଷ୍ଟକୁ ଯାଇ ସ୍ଥିତି ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଥିଲେ ହେଁ ଆଇଜି ଅଫିସରେ ସମୀକ୍ଷା ବୈଠକ ସାରି ସିଧା ଭଦ୍ରକ ଯାଇଥିଲେ ଏବଂ ସେଠାରେ କୋଭିଡ୍‌ ମୁକାବିଲା ବ୍ୟବସ୍ଥା ଉପରେ ଅନୁଧ୍ୟାନ କରିଥିଲେ। ଭଦ୍ରକ ଏସ୍‌ପି ଚରଣ ସିଂ ମୀନାଙ୍କ ସମେତ ଏଡିଜି ଯ‌ଶୋବନ୍ତ ଜେଠୱା ଓ ଆଇଜି ଦୀପ୍ତେଶ କୁମାର ପଟ୍ଟନାୟକ ଉପସ୍ଥିତ ଥିଲେ। କୋଭିଡ୍‌ ମୁକାବିଲା ପାଇଁ ଭଦ୍ରକରେ ୭ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଥିବା ବେଳେ ପୁଲିସର କାର୍ଯ୍ୟଦକ୍ଷତା ଓ ଜନସାଧାରଣଙ୍କ ସହଯୋଗକୁ ଡିଜି ପ୍ରଶଂସା କରିଥିଲେ।

ସମ୍ବନ୍ଧିତ ଖବର