କଟକ : ୨୦୨୧, ଡିସେମ୍ବର ୩୧ରେ ଡିଜି ଶ୍ରୀ ଅଭୟଙ୍କୁ ଅବସର ନେବାପାଇଁ ସରକାର ଅନୁମତି ପ୍ରଦାନ ସହିତ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି କରିଛନ୍ତି। କିନ୍ତୁ ସୁପ୍ରିମକୋର୍ଟଙ୍କ ନିୟମ ଆଧାରରେ ଡିସେମ୍ବର ୩୧ ନୁହେଁ, ଡିସେମ୍ବର ୮ ତାରିଖରେ ଶ୍ରୀ ଅଭୟଙ୍କୁ ରାଜ୍ୟ ସରକାର ଡିଜି ପଦବିରୁ ହଟାଇବାକୁ ବାଧ୍ୟ ହେବେ ବୋଲି ଏବେ ଗୋଟିଏ ମହଲରେ ଆଲୋଚନା ଆରମ୍ଭ ହୋଇଯାଇଛି।
୧୯୮୬ ବ୍ୟାଚ୍ର ଆଇପିଏସ୍ ଶ୍ରୀ ଅଭୟ ୨୦୧୯, ଡିସେମ୍ବର ୯ ତାରିଖରେ ପୁଲିସ ଡିଜି ଭାବେ ଦାୟିତ୍ବଗ୍ରହଣ କରିଥିଲେ। ତାଙ୍କର ଅବସର ସମୟ ୨୦୨୧, ଜୁନରେ ଥିବାବେଳେ ସରକାର ତାଙ୍କ କାର୍ଯ୍ୟକାଳ ୬ ମାସ ବୃଦ୍ଧି କରିଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସରକାର ପୁଲିସ ଡିଜି, ସିବିଆଇ ନିର୍ଦ୍ଦେଶକ ଅଥବା ଆଇବି ନିର୍ଦ୍ଦେଶକ ଭଳି ପଦବିରେ ସର୍ବନିମ୍ନ ୨ ବର୍ଷ ନିଯୁକ୍ତି ଦେବାକୁ ବାଧ୍ୟ। ଅବସର ନେବାପାଇଁ ଅତି କମ୍ରେ ୬ ମାସ ସମୟ ଥିଲେ ଜଣେ ଅଧିକାରୀଙ୍କୁ ଏହି ପଦବି ପାଇଁ ସରକାର ଚୟନ କରିପାରିବେ। ସଂପୃକ୍ତ ଅଧିକାରୀ ଯେଉଁଦିନ ଦାୟିତ୍ବ ଗ୍ରହଣ କରିବେ, ସେହି ତାରିଖରୁ ୨ ବର୍ଷ ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟକାଳ ହିସାବ କରାଯିବ। ଡିଜି ଶ୍ରୀ ଅଭୟ ୨୦୧୯, ଡିସେମ୍ବର ୯ ତାରିଖରେ ଯୋଗ ଦେଇଥିବାରୁ ତାଙ୍କର ଦୁଇ ବର୍ଷ ସମୟସୀମା ୨୦୨୧, ଡିସେମ୍ବର ୮ରେ ଶେଷ ହେଉଛି। କିନ୍ତୁ ରାଜ୍ୟ ସରକାର ଜୁନରେ ଅବସର ନେବାକୁ ଥିବା ଅଭୟଙ୍କ ଅବସର ବୟସ ସେ ସମୟରେ ୬ ମାସ ବୃଦ୍ଧି କରି ଦେଇଥିବାରୁ ତାଙ୍କର ଅବସର ତାରିଖ ଡିସେମ୍ବର ୩୧ ତାରିଖ ହେଉଛି। ଏଭଳି ସ୍ଥିତିରେ ସେ ଡିଜି ପଦରେ ୨ ବର୍ଷ ୨୩ ଦିନ କାମ କରିବାକୁ ଯାଉଛନ୍ତି। ତେଣୁ ଏହି ଅଧିକ ୨୩ ଦିନ ହୁଏତ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ବିରୁଦ୍ଧାଚରଣ କରିବାକୁ ଯାଉଛି। ଶ୍ରୀ ଅଭୟଙ୍କ ଅବସର ବୟସ ହୋଇ ନଥିଲେ, ଏ କ୍ଷେତ୍ରରେ କୌଣସି ସମସ୍ୟା ନଥା’ନ୍ତା। କିନ୍ତୁ ଅବସର ବୟସ ହୋଇଯାଇଥିବା ଜଣେ ଅଧିକାରୀଙ୍କୁ ସରକାର ୨ ବର୍ଷ ଏଭଳି ପଦବିରେ ରଖିବାର ନିୟମ ଥିବାରୁ ଏହାକୁ ନେଇ ଏବେ ଘଣ୍ଟାଚକଟା ଆରମ୍ଭ ହୋଇଯାଇଛି। ସରକାର ଏହାର ସମୀକ୍ଷା କରି ନିଜର ଏ ସଂକ୍ରାନ୍ତରେ ବିଜ୍ଞପ୍ତି ସୁଧାରିବେ, ନା ଆଇନରେ ଏହାର କୌଣସି ବିକଳ୍ପ ରହିଛି, ତାହାକୁ ନେଇ ଏବେ ସମୀକ୍ଷା ଆରମ୍ଭ ହୋଇଯାଇଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ ଯେ ଓଡ଼ିଶାରେ କୌଣସି ବ୍ୟକ୍ତିଙ୍କୁ ଡିଜି ପଦବିରେ ରଖିବା ପାଇଁ ପ୍ରଥମଥର ଶ୍ରୀ ଅଭୟଙ୍କ କ୍ଷେତ୍ରରେ ଏଭଳି ଅବସର ବୟସସୀମା ୬ ମାସ ବୃଦ୍ଧି କରାଯାଇଥିଲା। ଏଭଳି ଢଙ୍ଗରେ ସିବିଆଇର ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଥିବା ରଣଜିତ୍ ସିହ୍ନା, ଅନିଲ କୁମାର ସିହ୍ନା, ଋଷି କୁମାର ଶୁକ୍ଳା ପ୍ରମୁଖ କାର୍ଯ୍ୟରେ ଯୋଗ ଦେବାର ଠିକ୍ ୨ ବର୍ଷ ପୂରିବା ଦିନ ହିଁ ଅବସର ନେଇଥିଲେ।