ପ୍ରଥମ ଥର ପାଇଁ ଓଡ଼ିଶାରେ ଆୟୋଜିତ ହେଉଛି ଡିଜି ଆଇଜି ସମ୍ମିଳନୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅମିତ୍ ଶାହା, ଅଜିତ ଡୋଭାଲଙ୍କ ଭଳି ଦେଶର ଅନେକ ପ୍ରଭାବଶାଳୀ ବ୍ୟକ୍ତି ଏବେ ରାଜଧାନୀରେ। ସବୁ ରାଜ୍ୟର ଡିଜି ଓ ଆଇଜି ମାନେ ମଧ୍ୟ ସମ୍ମିଳନୀରେ ଯୋଗଦେବାକୁ ଓଡ଼ିଶା ଆସିଛନ୍ତି। ଲାଗୁଛି ଯେମିତି ପୂରା ଦେଶ ଭୁବନେଶ୍ବରକୁ ଉଠି ଆସିଛି। ଅତିଥିଙ୍କୁ ସ୍ବାଗତ ପାଇଁ ରାଜଧାନୀ ବି କେଉଁଥିରେ ଉଣା କରିନି। ନିଜକୁ ନୂଆ ବୋହୁ ପରି ସଜେଇଛି। ରାସ୍ତାର ଦୁଇ ପାର୍ଶ୍ବରେ ରଙ୍ଗବେରଙ୍ଗର ଆଲୋକ, ସ୍ବାଗତ ପୋଷ୍ଟର ଓ ସାଜସଜ୍ଜା ଶୀତୁଆ ସନ୍ଧ୍ୟାକୁ ଅଧିକ ରଙ୍ଗୀନ କରୁଛି। ପ୍ରଧାନମନ୍ତ୍ରୀଙ୍କ କାର୍କେଡ୍ ସାଙ୍ଗକୁ ମାଳ ମାଳ ନାଲିବତୀ ଗାଡ଼ି ସହରର ବେଗକୁ ବହୁଗୁଣିତ କରିଦେଇଛି। ଅନ୍ୟପଟେ ରାଜଧାନୀ ଏବେ ଅଭେଦ୍ୟ ଦୁର୍ଗ ପାଲଟିଛି। ଦେଶର ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ସୁରକ୍ଷା ଦେବାକୁ ସହରରେ ପ୍ଲାଟୁନ୍ ପ୍ଲାଟୁନ୍ ପୁଲିସ ମୁତୟନ ହୋଇଛନ୍ତି। ରାଜ୍ୟ ଅତିଥି ଭବନଠାରୁ ଲୋକସେବା ଭବନ ସବୁଠି ବନ୍ଧୁକଧାରୀ ପ୍ରହରା ଦେଉଛନ୍ତି। ବିମାନବନ୍ଦରଠାରୁ ଆରମ୍ଭ କରି ଏଜି, ରାଜଭବନ, ରାଜମହଲ, ଜନପଥ, ସଚିବାଳୟ ମାର୍ଗରେ ଭିଆଇପି/ଭିଭିଆଇପିଙ୍କ ପାଇଁ ଟ୍ରାଫିକ୍ କଟକଣା ଜାରି କରିଛି କନିସନରେଟ୍ ପୁଲିସ। ଏଥି ପାଇଁ ସାଧାରଣ ଜନତା କିଛିଟା ଅସୁବିଧାରେ ପଡ଼ି ଅସନ୍ତୋଷ ପ୍ରକାଶ କରୁଛନ୍ତି। ତଥାପି ଏପରି ଏକ ଉଚ୍ଚସ୍ତରୀୟ ସମ୍ମିଳନୀ ହେଉଥିବାରୁ ଗର୍ବ ଅନୁଭବ କରୁଛନ୍ତି।
୮୦୦ ସିସିଟିଭି, ୪୦୦ ଅଫିସର, ୭୦ପ୍ଲାଟୁନ୍ ଫୋର୍ସ ଜଗିଛନ୍ତି
୫୯ତମ ଡିଜି-ଆଇଜି ସମ୍ମିଳନୀ ପାଇଁ ସୁରକ୍ଷାର ଅଭେଦ୍ୟ ବଳୟ ଭିତରେ ରହିଛି ରାଜଧାନୀ ଭୁବନେଶ୍ବର। ସହର ସାରା ହାଇଆଲର୍ଟ ଜାରି ହୋଇଛି। ୭୦ ପ୍ଲାଟୁନ୍ ଫୋର୍ସ ସାଙ୍ଗକୁ ୧୦ କମ୍ପାନି ସିଆର୍ପିଏଫ୍, ବିଏସ୍ଏଫ୍, ଆଣ୍ଟି ଟେରର୍ ଏଜେନ୍ସି, ରାଜ୍ୟ ତଥା ଦେଶର ଗୁଇନ୍ଦା ସଂସ୍ଥା ସମ୍ମନ୍ବୟ ରକ୍ଷାକରି ଏହି ସୁରକ୍ଷା ବଳୟ ତିଆରି କରିଛନ୍ତି। ୮୦୦ ସିସିଟିଭି ସର୍ଭିଲାନ୍ସରେ ରହିଛି ରାଜଧାନୀ। ସେହିପରି ସୁରକ୍ଷାକୁ ଦେଖି ସହରର ସିସିଟିଭି କଭରେଜ୍ ଅଞ୍ଚଳରେ ନଥିବା କେତେକ ଅଞ୍ଚଳରେ ନୂଆ କରି ୧୦୦ରୁ ଅଧିକ ସିସିଟିଭି ଲଗାଯାଇଛି। ବିଶେଷକରି ଅତିଥିଭବନର ପଛପଟ, କିଛି ପ୍ରମୁଖ ରାସ୍ତାରେ ଏହି ସବୁ କ୍ୟାମେରା ଖଞ୍ଜା ଯାଇଛି। ପ୍ରତି ମିନିଟ୍ର ଖବର ରଖିବା ପାଇଁ ଏହି ସବୁ ସିସିଟିଭିକୁ କଡ଼ାକଡ଼ି ଭାବେ ଯାଞ୍ଚ କରାଯାଉଛି। କମିସନରେଟ୍ ପୁଲିସ କାର୍ଯ୍ୟାଳୟରେ ଥିବା ଇଣ୍ଟିଗ୍ରେଟେଡ୍ ୟୁନିଫାଏଡ୍ କମାଣ୍ଡ କଣ୍ଟ୍ରୋଲ ରୁମ୍ ଅହରହ ୨୪ ଘଣ୍ଟିଆ କାମ କରୁଛି। ବଛାବଛା ଅଫିସରଙ୍କୁ ଏଥିରେ ନିୟୋଜିତ କରାଯାଇଛି।
/sambad/media/media_files/2024/11/30/HB6Y55hQxuR8tdK6cuYo.jpg)
ଗଞ୍ଜାମ ପାଟପୁର ଥାନା ଦେଶର ଦ୍ୱିତୀୟ ଶ୍ରେଷ୍ଠ ଥାନା
ଅଖିଳ ଭାରତୀୟ ପୁଲିସ ମହାନିର୍ଦ୍ଦେଶକ/ ମହାନିରୀକ୍ଷକ ସମ୍ମିଳନୀ-୨୦୨୪ରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଓଡ଼ିଶାର ଗଞ୍ଜାମ ପାଟପୁର ଥାନାକୁ ଦେଶର ଦ୍ୱିତୀୟ ଶ୍ରେଷ୍ଠ ଥାନା ଭାବେ ପୁରସ୍କୃତ କରିଛନ୍ତି। ପାଟପୁର ଥାନା ଆଇଆଇସି ସବ୍ୟସାଚୀ ମଲ୍ଲ କେନ୍ଦ୍ର ଗୃହମନ୍ତ୍ରୀଙ୍କଠାରୁ ପ୍ରଶଂସାପତ୍ର ସହ ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରିଛନ୍ତି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଓଡ଼ିଶା ପୁଲିସ ପାଇଁ ଏହି ପୁରସ୍କାର ଗର୍ବ ଓ ସମ୍ମାନର କଥା ବୋଲି କହିଛନ୍ତି। ୧୧୩ ବର୍ଷର ପୁରୁଣା ଏହି ଥାନା ଏବେ ବି ତା’ର ସମ୍ମାନ ରଖିଥିବାରୁ ଗଞ୍ଜାମ ଏସ୍ପି ଶୁଭେନ୍ଦୁ କୁମାର ପାତ୍ରଙ୍କ ସମେତ ଜିଲ୍ଲା ପୁଲିସର ଅଧିକାରୀ ଓ କର୍ମଚାରୀଙ୍କୁ ଡିଜିପି ଶ୍ରୀ ଖୁରାନିଆ ଶୁଭେଚ୍ଛା ଜଣାଇଛନ୍ତି। ପ୍ରତିବର୍ଷ କେନ୍ଦ୍ର ଗୃହ ମନ୍ତ୍ରାଳୟ ସମଗ୍ର ଦେଶର ଥାନାଗୁଡ଼ିକର ବିଭିନ୍ନ ମାନଦଣ୍ଡକୁ ଆଧାର କରି ଶ୍ରେଷ୍ଠ ଥାନା ଚୟନ କରିଥାଏ। ଅପରାଧ ହାର, ତଦନ୍ତ, ମାମଲାର ସମାଧାନ, ସିସିଟିଏନ୍ଏସ୍ ବ୍ୟବହାର, ଏନ୍ଫୋର୍ସମେଣ୍ଟ, ଦୋଷୀ ସାବ୍ୟସ୍ତ ହାର, ଦଣ୍ଡବିଧାନ ଓ ସାଧାରଣ ଜନତାଙ୍କୁ ଉନ୍ନତ ତଥା ଗୁଣାତ୍ମକ ସେବା ପ୍ରଦାନ ଭଳି ବିଭିନ୍ନ ମାନଦଣ୍ଡକୁ ଆଧାର କରି ଶ୍ରେଷ୍ଠ ଥାନା ଚୟନ କରାଯାଇଥାଏ।
ଯୋଗରୁ ଆରମ୍ଭ ହେଲା ସମ୍ମିଳନୀ
ଭୁବନେଶ୍ବର: ଏଥର ସମ୍ମିଳନୀରେ ପ୍ରଥମ ଥର କିଛି ନୂଆ ପଦକ୍ଷେପ ଆରମ୍ଭ କରାଯାଇଛି। ସମ୍ମିଳନୀର ୩ ଦିନକୁ ସକ୍ରିୟ କରିବାକୁ ଆଜି ପ୍ରଥମରୁ ଯୋଗରୁ ଏହି ସମ୍ମିଳନୀ ଆରମ୍ଭ ହୋଇଛି। ଏହା ସହିତ ଡାଇନିଂରେ ମଧ୍ୟ ପ୍ରସଙ୍ଗ ଭିତ୍ତିକ ଆଲୋଚନା ସମ୍ବନ୍ଧୀୟ ଥିମ୍ ରହିଛି। ଏହାସହିତ ଅନୌପଚାରିକ ଖୋଲା ଆଲୋଚନା ରହିଥିବା ଜଣାପଡ଼ିଛି। ସମ୍ମିଳନୀରେ ଯୋଗ ଦେଇଥିବା ବରିଷ୍ଠ ଆଇପିଏସ୍ମାନେ ଜଟିଳ ପ୍ରସଙ୍ଗରେ ପୁଲିସର କାର୍ଯ୍ୟକାରିତା ଓ ଅଭ୍ୟନ୍ତରୀଣ ସୁରକ୍ଷା ପ୍ରସଙ୍ଗରେ ଏକ ମୁକ୍ତ ଆଲୋଚନାଚକ୍ର ରଖାଯାଇଥିବା ଜଣାପଡ଼ିଛି। ଆଲୋଚନା ଦ୍ବାରା ସମ୍ମିଳନୀ ଅଧିକ ସକ୍ରିୟ ହୋଇ ପାରିବ ବୋଲି ଆଶା କରାଯାଉଛି।
ଦେଶର ପ୍ରମୁଖ ୯୫ ଆଇପିଏସ୍
ଭୁବନେଶ୍ବର: ଡିଜି/ ଆଜିପି ସମ୍ମିଳନୀ-୨୦୨୪ରେ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ଓ ଆଇନ ସୁରକ୍ଷାରେ ନିୟୋଜିତ ଥିବା ୯୫ ଜଣ ବରିଷ୍ଠ ଆଇପିଏସ ଯୋଗ ଦେଇଛନ୍ତି। ଏହି ସମ୍ମିଳନୀରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ, ଦୁଇ ଗୃହ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଓ ବନ୍ଦି ସଞ୍ଜୟ କୁମାର, ଜାତୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ ଡୋଭାଲ ପ୍ରମୁଖ ଉପସ୍ଥିତ ରହିଛନ୍ତି। ତାଙ୍କ ସହିତ ଗୃହ ସଚିବ ଗୋବିନ୍ଦ ମୋହନ, ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ତରୁଣ କପୁର, ଏନଟିଆରଓ ମୁଖ୍ୟ ଅରୁଣ କୁମାର ସିହ୍ନା, ର ସଚିବ ରବି ସିହ୍ନା, ଏସପିଜି ନିର୍ଦ୍ଦେଶକ ଆଲୋକ ଶର୍ମା, ଗୁଇନ୍ଦା ନିର୍ଦ୍ଦେଶକ ତପନ ଡେକା, ସିବିଆଇ ନିର୍ଦ୍ଦେଶକ ପ୍ରବୀଣ ସୁଦ, ଜମ୍ମୁ ଓ କାଶ୍ମୀର ଡିଜି ନଳିନୀ ପ୍ରଭାତ ପ୍ରମୁଖ ପ୍ରମୁଖ ଉପସ୍ଥିତ ରହିଛନ୍ତି। ତାଙ୍କ ସହିତ ବିଭିନ୍ନ ରାଜ୍ୟର ପୁଲିସ ଡିଜି ଓ ଆଇଜି ରୢାଙ୍କର ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିଛନ୍ତି। ଏହି ସମ୍ମିଳନୀରେ ୨୫ରୁ ଅଧିକ ମହିଳା ଆଇପିଏସ ମଧ୍ୟ ଯୋଗ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/30/nbCMA9wro4oL4Cd1QS1h.jpg)