ପୁରୀ: ଚଳିତବର୍ଷ ରାଷ୍ଟ୍ରପତି ପୁରୀକୁ ଆସି ରଥଯାତ୍ରା ଦେଖିବେ। ଏତଦ୍ବ୍ୟତୀତ ଅନେକ ଭିଆଇପି ମଧ୍ୟ ଏଠାକୁ ଆସିବାର କାର୍ଯ୍ୟକ୍ରମ ରହିଛି। ତେଣୁ ଚାରିଜଣ ଅତିରିକ୍ତ ଡିଜିଙ୍କ ନେତୃତ୍ବରେ ୬ ଜଣ ଆଇଜି ଓ ଡିଆଇଜି ରୢାଙ୍କର ଅଫିସର, ୧୯ ଜଣ ଏସ୍ପି ରୢାଙ୍କର ଅଫିସର, ୩୩ ଜଣ ଅତିରିକ୍ତ ଏସ୍ପି, ୭୫ ଜଣ ଡିଏସ୍ପି, ୧୩୦ ଜଣ ଇନ୍ସ୍ପେକ୍ଟର ଏବଂ ୬୭୫ ଜଣ ସବ୍ଇନ୍ସ୍ପେକ୍ଟର ଓ ଏଏସ୍ଆଇ ନିୟୋଜିତ ରହିବେ। ଏତଦ୍ବ୍ୟତୀତ ୩ ପ୍ଲାଟୁନ୍ ସ୍ପେଶାଲ ଷ୍ଟ୍ରାଇକିଂ ୟୁନିଟ୍ ଓ କେନ୍ଦ୍ରରୁ ୫ କମ୍ପାନି ରାପିଡ୍ ଆକ୍ସନ ଫୋର୍ସ ରହିବେ ବୋଲି ଡିଜିପି ଅରୁଣ କୁମାର ଷଡ଼ଙ୍ଗୀ କହିଛନ୍ତି। ଆଜି ପୁରୀଠାରେ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ରଥଯାତ୍ରା ପ୍ରସ୍ତୁତି ବୈଠକର ସମୀକ୍ଷା କରିବା ପରେ ଡିଜିପି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି ଯେ ରଥଯାତ୍ରା ସମୟରେ ସମଗ୍ର ପୁରୀ ସହରକୁ ସୁରକ୍ଷା କବଚ(ବ୍ଲାଙ୍କେଟ୍) ମଧ୍ୟରେ ରଖାଯିବ। ସେହିପରି ଜଳପଥ ପାଟ୍ରୋଲିଂ ପାଇଁ କୋଷ୍ଟଗାର୍ଡ ମଧ୍ୟ ନିୟୋଜିତ ରହିବେ। ସେହିପରି ଟ୍ରାଫିକ୍ ନିୟନ୍ତ୍ରଣ ଓ ଭିଡ଼ ନିୟନ୍ତ୍ରଣ ପାଇଁ ଡ୍ରୋନ୍ ବ୍ୟବହାର କରାଯିବ। ସୁରକ୍ଷା ପାଇଁ ବିଭିନ୍ନ ହୋଟେଲ ଏବଂ ଲଜିଂ ଆଦିକୁ ଯାଞ୍ଚ ମଧ୍ୟ କରାଯାଉଛି ବୋଲି ଡିଜିପି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି।
ସୂଚନାଯୋଗ୍ୟ ଯେ ଓଡ଼ିଶାର ଇତିହାସରେ ଚଳିତବର୍ଷ ପ୍ରଥମ ଥରପାଇଁ ରଥଯାତ୍ରାର ପ୍ରସ୍ତୁତିରେ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଚଳିତବର୍ଷ ଦୁଇ ଦିନ ଧରି ରଥଯାତ୍ରା ଏବଂ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପୁଲିସ ପକ୍ଷରୁ ପ୍ରାୟ ୧୮୦ ପ୍ଲାଟୁନ୍ ପୁଲିସ ଫୋର୍ସ ନିୟୋଜିତ ହେବେ ବୋଲି ସୂଚନା ମିଳିଛି। ପୂର୍ବରୁ ଶ୍ରୀମନ୍ଦିର ଓ ତିନି ରଥକୁ ତିନି ଥାକିଆ ସୁରକ୍ଷା ବଳୟ ମଧ୍ୟରେ ରଖାଯାଉଥିବା ବେଳେ ଚଳିତବର୍ଷ ରାଷ୍ଟ୍ରପତି ଆସୁଥିବାରୁ ତାଙ୍କ ସୁରକ୍ଷାକୁ ମଧ୍ୟ ପ୍ରାଥମିକତା ଦିଆଯିବ। ଚଳିତ ବର୍ଷ ରଥଯାତ୍ରାରେ ଯେତେ ପୁଲିସ ନିୟୋଜିତ ହେବେ, ଆଜି ପର୍ଯ୍ୟନ୍ତ ଓଡ଼ିଶାରେ କୌଣସି କାର୍ଯ୍ୟକ୍ରମରେ ଏତେ ସଂଖ୍ୟକ ପୁଲିସ ବ୍ୟବସ୍ଥା କେବେ ହୋଇନାହିଁ। ଚଳିତବର୍ଷ କେବଳ ରାଷ୍ଟ୍ରପତି ନୁହନ୍ତି, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ସମେତ ବହୁ ସଂଖ୍ୟାରେ ବିଧାୟକ ଓ ସାଂସଦମାନେ ମଧ୍ୟ ପୁରୀ ଆସିବେ ବୋଲି ଆକଳନ କରାଯାଉଛି। ତେଣୁ ଆଜି ଡିଜିପି ଅରୁଣ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ଆଇପିଏସ୍ ଅଫିସରମାନଙ୍କୁ ନେଇ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ, ଅତିରିକ୍ତ ଡିଜି ଦେବଦତ୍ତ ସିଂହ, ଦୟାଲ ଗାଙ୍ଗୱାର, ଉମାଶଙ୍କର ଦାଶ, ସଞ୍ଜୟ କୁମାର, ଅନୁପ ସାହୁ, ଡା. ସାର୍ଥକ ଷଡ଼ଙ୍ଗୀ, ଡା. କେ. ବିଶାଳ ସିଂହ, ବାଟୁଳା ଗଙ୍ଗାଧର, ସତ୍ୟଜିତ ନାୟକ, ଯୁଗଳ କିଶୋର କୁମାର ବନୋଥ, ଆଇଜି ସଞ୍ଜୟ କୌଶଳ, ପୁରୀ ଏସ୍ପି ପିନାକ ମିଶ୍ର ପ୍ରମୁଖ ଯୋଗଦେଇ ରଥଯାତ୍ରା ପାଇଁ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/fggdjgjdgj.jpg)