ଦକ୍ଷିଣ-ପଶ୍ଚିମାଞ୍ଚଳ ପୁଲିସ ରେଂଜର ସମୀକ୍ଷା କଲେ ପୁଲିସ ଡିଜି, ମା‌ଓ ଦମନ ଓ ଆଇନଶୃଙ୍ଖଳା ଉପରେ ଗୁରୁତ୍ବ

କୋରାପୁଟ : ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଡିଜି ଅଭୟ ଆଜି ଅବିଭକ୍ତ କୋରାପୁଟ ଜିଲ୍ଲା ଗସ୍ତରେ ଆସି ଦକ୍ଷିଣ-ପଶ୍ଚିମାଞ୍ଚଳ ପୁଲିସ ରେଞ୍ଜ୍‌ର ସମୀକ୍ଷା କରିଛନ୍ତି। ଛତିଶଗଡ଼ ଓ ଆନ୍ଧ୍ର ସୀମାନ୍ତରେ ମାଓବାଦୀଙ୍କ ଗତିବିଧିକୁ ଆଖିରେ ରଖି ସେ ମୁଖ୍ୟତଃ ମାଓ ଦମନ ଓ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ଗୁରୁତ୍ବ ଆରୋପ କରିଛନ୍ତି। ଏହା ବ୍ୟତୀତ ଡିଜି ରେଂଜର ବିଭିନ୍ନ ପ୍ରସଙ୍ଗକୁ ନେଇ ସମୀକ୍ଷା କରିବା ସହ ନକ୍ସଲ ସମସ୍ୟା, ଶିଶୁ ଓ ନାରୀଙ୍କ ଉପରେ ବଢ଼ୁଥିବା ନିର୍ଯାତନା ରୋକିବା ଉପରେ ଗୁରୁତ୍ବ ଦେବାକୁ ପୁଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଆଜି ଦକ୍ଷିଣ ପଶ୍ଚିମାଞ୍ଚଳ ପୁଲିସ ରେଂଜ କାର୍ଯ୍ୟାଳୟରେ ଆୟୋଜିତ ସମୀକ୍ଷା ବୈଠକରେ ଡିଜି ବିଭାଗୀୟ ଅଧିକାରୀଙ୍କୁ ମାଓ ଦମନ ସଂପର୍କିତ ଅପରେସନ୍ ସାଂଗକୁ ପଡ଼ୋଶୀ ରାଜ୍ୟ ପୁଲିସ ସହ ସମନ୍ବୟ ଉପରେ ଗୁରୁତ୍ବ ଦେଇଥିଲେ । ବୈଠକରେ ଆଇନଶୃଙ୍ଖଳା ଏଡିଜି ଆର.ପି କୋଚ୍ଚେ, ଅପରେସନ ଆଇଜି ଅମିତାଭ ଠାକୁର, ଗୁଇନ୍ଦା ଆଇଜି ରାଧାକାନ୍ତ ଶର୍ମା, କୋରାପୁଟ ରେଂଜ ଡିଆଇଜି ସଫିନ ଅହମ୍ମଦ କେ.ଙ୍କ ସମେତ ରେଂଜ ଅଧୀନରେ ଥିବା ଜିଲ୍ଲା ଏସ୍‌ପି ମାନେ ଅଂଶ ଗ୍ରହଣ କରିଥିଲେ। ବୈଠକରେ ପୁଲିସ ଓ ଜିଲ୍ଲାରେ ଥିବା ଅର୍ଦ୍ଧସାମରିକ ବଳଙ୍କ ଭିତରେ ଉତ୍ତମ ସମନ୍ବୟ ରକ୍ଷା କରିବା ଉପରେ ଗୁରୁତ୍ବ ଦିଆଯାଇଥିଲା। ଏଠାରେ ବିଏସ୍‌ଏଫ୍‌ ଓ ସିଆର୍‌ପିଏଫ୍‌ ମୁତୟନ ହୋଇଥିଲାବେଳେ ପୁଲିସ ସହ ସମନ୍ବୟକୁ କେମିତି ଅଧିକ ମଜବୁତ କରାଯିବ ତାହାର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା।

ସେହିପରି ମାଓ ଅପରେସନ୍‌ ଉପରେ ଫୋକସ୍‌ କରାଯାଇଥିଲା। ମାଓବାଦୀଙ୍କ ଶକ୍ତି କମିଥିବା ବେଳେ ମାଓ ଦମନ ଅଭିଯାନକୁ ଅଧିକ ଶାଣିତ କରିବାକୁ ଡିଜି ନିର୍ଦ୍ଦେଶ ଦେଇଥିଲେ । ଗୁଇନ୍ଦା ସୂତ୍ର ଆଧାରରେ ମାଓ ଦମନ ଅଭିଯାନକୁ ଅଧିକ ଜୋରଦାର କରିବାକୁ ନିଷ୍ପତ୍ତି ହୋଇଥିଲା। ଏହି ରେଂଜର ଆଇନଶୃଙ୍ଖଳା ସ୍ଥିତିକୁ ନେଇ ଡିଜି ସମୀକ୍ଷା କରିବା ପରେ ଶିଶୁ ଓ ମହିଳାଙ୍କ ବିରୋଧରେ ହେଉଥିବା ଅପରାଧକୁ ଅଧିକ ଗୁରୁତ୍ବ ଦେବା ପାଇଁ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ସେହିପରି ବଢୁଥିବା ସଂଗଠିତ ଅପରାଧ ରୋକିବା ଏବଂ ସାଇବର ଅପରାଧ କ୍ଷେତ୍ରରେ ତଦନ୍ତ ପ୍ରକ୍ରିୟାକୁ ଅଧିକ ଶକ୍ତିଶାଳୀ କରି ଦୋଷୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ କରିବାକୁ କହିଥିଲେ। ଏହା ବ୍ୟତୀତ ସାଧାରଣ ଲୋକଙ୍କୁ ଉପଯୁକ୍ତ ପୁଲିସ ସେବା ଯୋଗାଇ ଦେବାକୁ ଅଧିକାରୀଙ୍କୁ ଆହ୍ବାନ ଦେଇଥିଲେ। ମାତ୍ର ବୈଠକ ପରେ ଡିଜି ଗଣମାଧ୍ୟମକୁ କିଛି କହି ନ ଥିଲେ। ଦକ୍ଷିଣ ପଶ୍ଚିମାଞ୍ଚଳ ପୁଲିସ ଡିଆଇଜି ସଫିନ ଅହମ୍ମଦ କେ. ଗଣମାଧ୍ୟମକୁ ଡିଜିଙ୍କ ଗସ୍ତ ଓ ବୈଠକ ସଂପର୍କରେ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର