ବୈଜୟନ୍ତଙ୍କୁ ଡିଜିସିଏର କ୍ଲିନ୍‌ଚିଟ୍‌ : ନିୟମ ଉଲ୍ଲଂଘନ କରିନାହାନ୍ତି, ଓହ୍ଲାଇନି ବିମାନ

ଭୁବନେଶ୍ବର : କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ବେସାମରିକ ବିମାନ ଚଳାଚଳର ମହାନିର୍ଦ୍ଦେଶକ(ଡିଜିସିଏ) କ୍ଲିନ୍‌ଚିଟ୍‌ ଦେଇଛନ୍ତି। ଗତ ସେପ୍ଟେମ୍ବର ୧୫‌ ତାରିଖରେ ଚିଲିକା ଉପରେ ବିମାନ ଉଡ଼ାଣ ସମୟରେ ବୈଜୟନ୍ତ କୌଣସି ଆଇନ ଉଲ୍ଲଂଘନ କରିନାହାନ୍ତି। ସେହିଦିନ ହେଲିକପ୍ଟର ଚିଲିକା ଉପରେ ଆଦୌ ଓହ୍ଲାଇନାହିଁ। ହେଲିକପ୍ଟରଟି ଭୁବନେଶ୍ବର ବିମାନବନ୍ଦରରୁ ନିର୍ଧାରିତ ରୁଟ୍‌ରେ ଯାଇ ପୁଣି ଫେରି ଆସିଥିଲା। ଉଡାଣ ସମୟରେ କୌଣସି ତ୍ରୁଟି ହୋଇ ନଥିବା ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦର ନିର୍ଦେଶକଙ୍କ ନିକଟକୁ ଡିଜିସିଏ ଚିଠି ଲେଖି ଜଣାଇଛନ୍ତି। ଚିଠି ପାଇବା ପରେ ବିମାନବନ୍ଦର କର୍ତୃପକ୍ଷ ପଦକ୍ଷେପ ନେଇଛନ୍ତି। ପୁରୀ ଜିଲ୍ଲା ଏସ୍‌ପିଙ୍କ ପାଖକୁ ଚିଠି ପଠାଇ ଦିଆଯାଇଥିବା ବିମାନବନ୍ଦର ନିର୍ଦେଶକ ସୁରେଶ ଚନ୍ଦ୍ର ହୋତା କହିଛନ୍ତି।

ଶ୍ରୀ ହୋତା ଆହୁରି କହିଛନ୍ତି ଯେ ଏଥିରେ ବିମାନବନ୍ଦର କର୍ତୃପକ୍ଷଙ୍କର କିଛି କରିବାର ନାହିଁ। ମାମଲା ହେବା ପରେ ପୁଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ହୋଇଥିଲା। ହ୍ୟାଙ୍ଗର ଓ ଇମ୍ଫାର ତିନିଟି ହେଲିକପ୍ଟରକୁ ପୁଲିସ ସିଜ୍ କରିଛି। ପୁଲିସ ରିପୋର୍ଟ ଆଧାରରେ ଡିଜିସିଏ ତଦନ୍ତ କରିଥିଲେ। ଡିଜିସିଏର ଏକ ଟିମ୍‌ ଏଠାକୁ ଆସି ତଦନ୍ତ କରିଥିଲେ। ଗତକାଲି ତଦନ୍ତ ରିପୋର୍ଟ ମିଳିବା ପରେ ତାହାକୁ ପୁରୀ ଏସ୍‌ପିଙ୍କ ନିକଟକୁ ପଠାଇ ଦିଆଯାଇଛି। ସେମାନେ ଯାହା କିଛି ପଦକ୍ଷେପ ନେବେ। ଆମର କିଛି କରିବାର ନାହିଁ। ଯେଉଁଠି ଆବଶ୍ୟକ ପଡ଼ିବ, ଆମେ ପୁଲିସକୁ ସମସ୍ତ ପ୍ରକାର ‌ସହଯୋଗ ଯୋଗାଇ ଦେବୁ ବୋଲି ସେ ‘ସମ୍ବାଦ’କୁ କହିଛନ୍ତି।

ସୂଚନାଯୋଗ୍ୟ, ଗତ ମାସ ୧୫ ତାରିଖରେ ଚିଲିକା ଉପରେ ବୈଜୟନ୍ତଙ୍କ ହେଲିକପ୍ଟର ଚିଲିକା ଉପରେ କମ୍ ଉଚ୍ଚତାରେ ଉଡ଼ିଥିବା ଦର୍ଶାଇ ପୁରୀ ଅରଖକୁଦ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ମାମଲା ଆଧାରରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ଥିବା ବୈଜୟନ୍ତଙ୍କ ହ୍ୟାଙ୍ଗର ଓ ଇମ୍ଫାର ତିନିଟି ହେଲିକପ୍ଟରକୁ ପୁଲିସ ସିଜ୍ କରିଥିଲା। କମ୍‌ ଉଚ୍ଚତାରେ ଉଡ଼ାଣ ନେଇ ଅଭିଯୋଗ ଆସିଥିବା ହେଲିକପ୍ଟରର ବ୍ଲାକ ବକ୍ସ ଯାଞ୍ଚ ପାଇଁ ଡିଜିସିଏଙ୍କ ନିକଟକୁ ପଠାଯାଇଥିଲା। ସେପ୍ଟେମ୍ବର ୨୪ ତାରିଖରେ ବୈଜୟନ୍ତ ପଣ୍ଡା ମଧ୍ୟ ଦିଲ୍ଲୀ‌ରେ ଡିଜିସିଏଙ୍କ ନିକଟରେ ହାଜର ହୋଇ ପକ୍ଷ ରଖିଥିଲେ। ଏହାପରେ ଗତକାଲି ବୈଜୟନ୍ତଙ୍କୁ ହେଲିକପ୍ଟର ଉଡାଣ ନେଇ ତଦନ୍ତ ରିପୋର୍ଟ ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକଙ୍କ ନିକଟକୁ ଆସିଛି।

ସମ୍ବନ୍ଧିତ ଖବର