ପୁଲିସ ଡିଜି ଅଭୟଙ୍କର କାର୍ଯ୍ୟକା​ଳ ୬ମାସ ବଢ଼ିଲା

ଭୁବନେଶ୍ବର : ପୁଲିସ ଡିଜି ଅଭୟଙ୍କର କାର୍ଯ୍ୟକାଳ ଆଉ ୬ମାସ ବୃଦ୍ଧି କରାଯାଇଛି। ସେ ୨୦୨୧ ଡିସେମ୍ବର ୩୧ ପର୍ଯ୍ୟନ୍ତ ପୁଲିସ ଡିଜି ଭାବେ କାର୍ଯ୍ୟ କରିବେ ବୋଲି ଗୃହ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ୨୦୨୧ ଜୁନ ମାସରେ ଅଭୟ ଅବସର ଗ୍ରହଣ କରିଥାନ୍ତେ। ହେଲେ ସରକାରଙ୍କ ଏଭଳି ନିଷ୍ପତ୍ତି ପରେ ତାଙ୍କ କାର୍ଯ୍ୟକାଳ ଆଉ ୬ମାସ ବୃଦ୍ଧି ପାଇଛି।

କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ ରାଜ୍ୟରେ ଜଣେ ପୁଲିସ ଡିଜି ପଦରେ ଅନ୍ୟୂନ ୨ବର୍ଷ ରହିବେ। ଅଭୟ ୨୦୧୯ ଡିସେମ୍ବରରେ ଯୋଗ ଦେଇଥିଲେ। ତାଙ୍କ ଜନ୍ମ ତାରିଖ (ଯାହା ସରକାରୀ ରେକର୍ଡରେ ଦର୍ଶଯାଇଛି) ୩୦.୬.୧୯୬୧ ଉଲ୍ଲେଖ ରହିଛି। ଏଣୁ ସେ ୨୦୨୧ ଜୁନ ମାସରୁ ଅବସର ଗ୍ରହଣ କରିଥାନ୍ତେ। ସେତେବେଳକୁ ଡିଜି ପୋଲିସ ଭାବେ ତାଙ୍କ କାର୍ଯ୍ୟକାଳ ଦେଢ ବର୍ଷ ହେଉଥିଲା, ଯାହା କେନ୍ଦ୍ରୀୟ ନିୟମାବଳୀକୁ ବିରୁଦ୍ଧାଚରଣ କରିବ। ଏଣୁ ସରକାର ତାଙ୍କ ସ୍ବତନ୍ତ୍ର କ୍ଷମତା ବଳରେ ଅଭୟଙ୍କ କାର୍ଯ୍ୟକାଳ ୨ବର୍ଷ କରିବା ସହ ଅଧିକ ୬ ମାସ ବୃଦ୍ଧି କରିଛନ୍ତି। ଏବେ ସେ ୨୦୨୧ ଜୁନ ମାସ ବଦଳରେ ଡିସେମ୍ବରରେ ଅବସର ନେବେ । ଅର୍ଥାତ୍ ୨୦୨୧ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଅଭୟ ରାଜ୍ୟ ପୁଲିସ ଡିଜି ରହିବେ। ଉଲ୍ଲେଖଯୋଗ୍ୟ, ୨୦୧୯ ନଭେମ୍ବର ୨୦ ତାରିଖରେ ଅଭୟଙ୍କୁ ଡିଜି ଭାବରେ ନିଯୁକ୍ତି ମିଳିଥିଲା। ସେ ଡିସେମ୍ବର ୯ ତାରିଖରେ ଦାୟିତ୍ବ ନେଇଥିଲେ।

ସମ୍ବନ୍ଧିତ ଖବର