ସମ୍ବଲପୁରରେ ପୁଲିସ୍ ମହାନିର୍ଦେଶକ, ୫ ଜିଲ୍ଲାର ଏସପିଙ୍କ ସହ ‘୫-ଟି’ ଓ ‘ମୋ ସରକାର’ର କାର୍ଯ୍ୟକାରୀତା ନେଇ ସମୀକ୍ଷା ବୈଠକ

ସମ୍ବଲପୁର: ଆଜି ଦିନିକିଆ ସମ୍ବଲପୁର ଗସ୍ତରେ ଆସିଛନ୍ତି ଓଡ଼ିଶା ପୁଲିସ୍ ମହାନିର୍ଦେଶକ ଶ୍ରୀ ଅଭୟ। ସେ ‘୫ଟି’ ଓ ‘ମୋ ସରକାର’ର ସଫଳତା ଉପରେ ସମୀକ୍ଷା କରୁଥିବା ଜଣାଯାଇଛି। ଆଇଜିଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଆଇଜି ନରସିଂହ ଭୋଳଙ୍କ ସମେତ ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ସୋନପୁର ଓ ଝାରସୁଗୁଡ଼ା ଜିଲ୍ଲାର ଏସପିଙ୍କ ସହ ପୁଲିସ୍ ମହାନିର୍ଦେଶକ ଶ୍ରୀ ଅଭୟ ଆଲୋଚନା କରିଥିବାର ସୂଚନା ମିଳିଛି। ଏଥିରେ ଡିଆଇଜି ଏସ୍ ଟି ଫ୍ ଜେ ଏନ୍ ପଙ୍କଜ ଏବଂ ଡିଆଇଜି ଏନ୍ ଆର୍ ହିମାଂଶୁ ଲାଲ୍ ବି ଉପସ୍ଥିତ ଥିବା ଜଣାଯାଇଛି।

ଏହି ସମୀକ୍ଷା ବୈଠକ ପୂର୍ବରୁ ଓଡ଼ିଶା ପୁଲିସ୍ ମହାନିର୍ଦେଶକ ଶ୍ରୀ ଅଭୟ ବୁର୍ଲାରେ ଥିବା ପୁଲିସ୍ ପ୍ରଶିକ୍ଷଣ ଅନୁଷ୍ଠାନକୁ ସକାଳ ସାଢ଼େ ୭ଟା ସମୟରେ ପରିଦର୍ଶନ କରିଥିଲେ। ଏହି ସମୀକ୍ଷା ବୈଠକରେ ମାଓ ଗତିବିଧି ସକ୍ରିୟ ଜିଲ୍ଲାଗୁଡ଼ିକରେ ପୁଲିସ ପ୍ରଶାସନ ପକ୍ଷରୁ କିପରି ପଦକ୍ଷେପ ଗ୍ରହଣ କରାଯିବ ଓ ମାଓ ଗତିବିଧି ରୋକିବା ଦିଗରେ ରଣନୀତିକୁ କିପରି ତ୍ୱରାନ୍ୱିତ କରାଯିବ ଏନେଇ ଆଲୋଚନ ହେଉଛି । ଏହାଛଡ଼ା ନୂତନ ଜ୍ଞାନକୌଶଳ ସହ ସାଇବର୍ କ୍ରାଇମ୍ ଓ ନିଶା କାରବାର ନେଇ ଏହି ବୈଠକରେ ବିସ୍ତୃତ ଭାବେ ଆଲୋଚନା ହେଉଥିବା ଜଣାଯାଇଛି । ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବୈଠକ ଚାଲିବ ବୋଲି ସୂଚନା ମିଳିଛି ।

ଏହା ପୂର୍ବରୁ ଗତ ୪ ତାରିଖରେ ଦିନିକିଆ ବାଲେଶ୍ବର ଗସ୍ତରେ ଯାଇଥିଲେ  ଓଡ଼ିଶା ପୁଲିସ୍ ମହାନିର୍ଦେଶକ ଶ୍ରୀ ଅଭୟ।

ସମ୍ବନ୍ଧିତ ଖବର