ଡିଜିଙ୍କ ‘ଫନି’ ସମୀକ୍ଷା : ରାସ୍ତା, ପାଣି, ବିଦ୍ୟୁତ ସଂଯୋଗକୁ ଗୁରୁତ୍ବ, ରିଲିଫ୍ ସାମଗ୍ରୀର ସୁରକ୍ଷିତ ପରିବହନ ପାଇଁ ପୁଲିସ ମୁତୟନ

କଟକ : ରାଜ୍ୟର ୧୧ଟି ଜିଲ୍ଲା ବାତ୍ୟା ‘ଫନି’ ଦ୍ବାରା ପ୍ରଭାବିତ ହୋଇଥିବା ବେଳେ ଏହି ସବୁ ଜିଲ୍ଲାରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପର ସମୀକ୍ଷା କରିଛନ୍ତି ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା। ‘ଫନି’ରେ ବିଶେଷ ଭାବେ ପୁରୀ, ଭୁବନେଶ୍ବର, କଟକ, ଖୋର୍ଦ୍ଧା, ଜଗତସିଂହପୁର ଓ କେନ୍ଦ୍ରାପଡା ପ୍ରଭାବିତ ହୋଇଛି। ଏଥିପାଇଁ ଏହି ସବୁ ଅଞ୍ଚଳରେ ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତା ସଫା କରିବା, ପାଣି ଓ ବିଦ୍ୟୁତ ସଂଯୋଗ କରିବା ଏବଂ ସୁରକ୍ଷିତ ଭାବେ ରିଲିଫ୍ ଏବଂ ଖାଦ୍ୟ ସାମଗ୍ରୀ ପରିବହନ ଉପରେ ଗୁରୁତ୍ବ ଦିଆଯାଇଛି। ଏ ସବୁ ଅଞ୍ଚଳରେ ପୁଲିସ ଓଡ୍ରାଫ ଏବଂ ଏନଡିଆରଏଫ୍ କାର୍ଯ୍ୟରେ ସକ୍ରିୟ ସହଯୋଗ ଦେଇ ଆସୁଛି। ଏହା ବ୍ୟତୀତ ରିଲିଫ ସାମଗ୍ରୀ ଠିକ ଢଙ୍ଗରେ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା, ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ପୁଲିସ କର୍ମଚାରୀଙ୍କ ପରିବାରକୁ ସହାୟତା ଦେବା, ଭୁବନେଶ୍ବରରୁ ବିଭିନ୍ନ ଅଞ୍ଚଳକୁ ଯାଉଥିବା ରିଲିଫ ସାମଗ୍ରୀକୁ ସୁରକ୍ଷା ଦେବା, ବିଭିନ୍ନ ଅଞ୍ଚଳରେ ହେଉଥିବା ରାସ୍ତାରୋକ, ଗଣ୍ଡଗୋଳ ଇତ୍ୟାଦିକୁ ତୁରନ୍ତ ନିୟନ୍ତ୍ରଣ କରିବା, ବିଭିନ୍ନ ବିଭାଗ ଭିତରେ ସମନ୍ବୟ ରଖିବା ଏବଂ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ସୂଚନା ଦେବା ଉପରେ ଡିଜି ଗୁରୁତ୍ବ ଦେଇଥିଲେ। ରିଲିଫ ସାମଗ୍ରୀର ସୁରକ୍ଷିତ ପରିବହନ ଏବଂ ବଣ୍ଟନ ପାଇଁ ଏଡିଜି ବିନୟତୋଷ ମିଶ୍ର, ଡିଆଇଜି ସେଫିନ୍ ଅହମ୍ମଦଙ୍କୁ ଦାୟିତ୍ବ ଦିଆଯାଇଛି।

ଆଜିର ଏହି ବୈଠକରେ ବିଶେଷ ଭାବେ କ୍ଷତିଗ୍ରସ୍ତ ଅଞ୍ଚଳର ସମସ୍ତ ବରିଷ୍ଠ ପୁଲିସ ଅଧିକାରୀ, ପୁଲିସ କମିସନର, ଗୁଇନ୍ଦା ନିର୍ଦ୍ଦେଶକ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର