ପ୍ରବାସୀମାନେ ଚାଲି ଚାଲି ନଯାଇ ଥାନାକୁ ଯାଆନ୍ତୁ, ପୁଲିସକୁ ଅସୁବିଧା କୁହନ୍ତୁ: ଡିଜିପି ଅଭୟ

ଭୁବନେଶ୍ୱର: କରୋନା ଭାଇରସ୍ ପାଇଁ ଲକଡାଉନ ହେବା ପରେ ଅନେକ ପ୍ରବାସୀ ଚାଲିଚାଲି ନିଜ ଘର ଅଭିମୁଖେ ବାହାରିଛନ୍ତି । ପ୍ରବାସୀମାନେ ଶହ ଶହ କିଲୋମିଟର ପାଦରେ ଚାଲୁଛନ୍ତି । କେବଳ ପ୍ରବାସୀ ଓଡ଼ିଆ ନୁହେଁ ବରଂ ବାହାର ରାଜ୍ୟର ଶ୍ରମିକମାନେ ମଧ୍ୟ ଓଡ଼ିଶା ଦେଇ ନିଜ ନିଜ ରାଜ୍ୟକୁ ଯାଉଛନ୍ତି । କିନ୍ତୁ ସେମାନେ ଚାଲି ଚାଲି ନ ଯାଆନ୍ତୁ ବୋଲି ରାଜ୍ୟ ପୁଲିସ ଡିଜି ଅଭୟ ଅପିଲ କରିଛନ୍ତି । ସ୍ଥାନୀୟ ଗୀତ ଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡିଜି ଅଭୟ କହିଛନ୍ତି, ପ୍ରବାସୀମାନେ ଚାଲି ଚାଲି ନଯାଇ ଥାନାକୁ ଯାଆନ୍ତୁ । ଥାନାରେ ନିଜର ଅସୁବିଧା ସଂପର୍କରେ ଅଧିକାରୀଙ୍କୁ ଜଣାନ୍ତୁ ।

ଡିଜିପି କହିଛନ୍ତି, ଓଡ଼ିଶା ମାଟିରେ କେହି ଚାଲିଚାଲି ଯିବେ ନାହିଁ । ଓଡ଼ିଶା ଦେଇ ଯାଉଥିବା ଲୋକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ସେମାନେ ଓଡ଼ିଶାର ବାସିନ୍ଦା ହୁଅନ୍ତୁ ଅବା ବାହାର ରାଜ୍ୟର ହୁଅନ୍ତୁ ସମସ୍ତଙ୍କ ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରିବେ । ଓଡ଼ିଶାକୁ ଆସୁଥିବା ଚେକ ପଏଣ୍ଟରେ ପହଞ୍ଚିଲେ ବ୍ୟବସ୍ଥା ହେବ । ଯେଉଁ ଲୋକମାନେ ଓଡ଼ିଶା ଦେଇ ଅନ୍ୟ ରାଜ୍ୟକୁ ଯାଉଛନ୍ତି, ତାଙ୍କ ପାଇଁ ବ୍ୟବସ୍ଥା ହେବ ।

ପୁଲିସ ଡିଜି ଅଭୟ କହିଛନ୍ତି, ପ୍ରବାସୀମାନଙ୍କ ଗନ୍ତବ୍ୟସ୍ଥଳକୁ ଯିବା ପାଇଁ ଓଡ଼ିଶା ସୀମାରେ ଛାଡ଼ି ଦିଆଯିବ । ସେମାନଙ୍କୁ ଗାଡ଼ିରେ ନିଆଯିବ ଏବଂ ବାଟରେ ଖାଇବାକୁ ମଧ୍ୟ ଦିଆଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ କହିଛନ୍ତି, ଓଡ଼ିଶା ମାଟିରେ କେହି ଚାଲିଚାଲି ଯିବେ ନାହିଁ । ପ୍ରବାସୀମାନଙ୍କ ସୁବିଧା ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯିବ । ପ୍ରବାସୀମାନଙ୍କୁ ନିଆଯିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଖର୍ଚ୍ଚ କରାଯିବ । ପୁଲିସ ଡିଜି କହିଛନ୍ତି, ଆଜି ଭୁବନେଶ୍ୱର, ଖୋର୍ଦ୍ଧା ଓ କଟକରେ ପରିବହନ ବ୍ୟବସ୍ଥା ହୋଇପାରିଛି ।

ଡିଜିପି କହିଛନ୍ତି, ପ୍ରବାସୀମାନେ ୧୨ଟି ମାର୍ଗରେ ବାହାର ରାଜ୍ୟରୁ ଓଡ଼ିଶାକୁ ଆସିପାରିବେ । ଚେକପଏଣ୍ଟ ଗୁଡ଼ିକରେ ପରିବହନ ବିଭାଗ, ପୁଲିସ ଓ ଅନ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀ ମୁତୟନ ଅଛନ୍ତି । ରାଜ୍ୟରେ ଚେକ ପଏଣ୍ଟ ଦେଇ ୧୨୪୯ଟି ବସ ଅତିକ୍ରମ କରିଛି । ଯଦି ଜଣେ ଓଡ଼ିଶା ଦେଇ ଯାଉଛନ୍ତି, ସେମାନଙ୍କୁ ବାହାର ରାଜ୍ୟକୁ ପଠାଉଛୁ । ଗିରିସୋଲା ଓ ସୋହେଲା ଚେକ ପଏଣ୍ଟରେ ଆମେ ଦେଖିବାକୁ ପାଉଛୁ ଦକ୍ଷିଣରୁ ଉତ୍ତର ଭାରତକୁ ଯାଉଛନ୍ତି । ଲୋକଙ୍କୁ ଖାଇବା ଓ ବସ ବ୍ୟବସ୍ଥା କରାଯାଉଛି । ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ଲୋକ ଗିରିସୋଲା ଗେଟ ଦେଇ ଯାଉଛନ୍ତି । ସୋହେଲାକୁ ଚାଲି ଚାଲି ବହୁ ଲୋକ ଯାଉଛନ୍ତି । ଏମାନେ ଝାଡ଼ଖଣ୍ଡ ଅଭିମୁଖେ ଯାଉଛନ୍ତି ।

ସମ୍ବନ୍ଧିତ ଖବର