କଟକ : ବୀରମିତ୍ରପୁର ଘଟଣା ପରେ ପୁଲିସ ବିଭାଗ ଭାବମୂର୍ତି ସଜାଡ଼ିବାକୁ ଉଦ୍ୟମ ଆରମ୍ଭ କରିଛି। ଥାନାରେ ସିସି କ୍ୟାମେରା ଯେଭଳି ୨୪ ଘଣ୍ଟା କାର୍ଯ୍ୟକ୍ଷମ ରହିବ ସେଥିପାଇଁ ଡିଜି ଅଭୟ ନିର୍ଦେଶ ଦେଇଛନ୍ତି। ଅନେକ ସମୟରେ ଥାନାରେ କୌଣସି ବେଆଇନ କାମ ଘଟିଲେ, ପୁଲିସ ଅଫିସର ଫୁଟେଜ ଡିଲିଟ୍ କରିବାର ନଜିର ଅଛି। ଏଥିପାଇଁ ସିସି କ୍ୟାମେରା ରେକର୍ଡରେ ଯେଭଳି କୌଣସି ପ୍ରକାର ଟ୍ୟାମ୍ପରିଂ ନହୁଏ, ସେଥିପାଇଁ କଡ଼ା ନିର୍ଦେଶ ଦେଇଛନ୍ତି ପୁଲିସ ଡିଜି। ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଡିଜି ବରିଷ୍ଠ ଅଧିକାରୀ ମାନଙ୍କୁ ସୂଚନା ଦେଇଛନ୍ତି।

Advertisment

publive-image

ଅନ୍ୟପଟେ ରାଜ୍ୟରେ ଏକାଧିକ ପୁଲିସ ଅଫିସର ଓ କର୍ମଚାରୀ କରୋନା ଚିହ୍ନଟ ହେବା ପରେ ଏ ସଂପର୍କରେ ପୁଲିସ ଡିଜି ଆଜି ସମୀକ୍ଷା କରିଛନ୍ତି। ଥାନାସ୍ତରରେ ପୁଲିସ ଅଫିସର କୋଭିଡ କଟକଣା ଅନୁଯାୟୀ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ରଖିବା ପାଇଁ ପରାମର୍ଶ ଦିଆଯାଇଛି। ପୁରୀରେ ଜଣେ ଦୁର୍ବୃତ୍ତକୁ ଗିରଫ ପରେ କରୋନା ପଜିଟିଭ ଚିହ୍ନଟ ହୋଇଥିବାରୁ ଏବେ ଥାନା ସ୍ତରରେ ଦୁର୍ବୃତ୍ତକୁ ଗିରଫ କିମ୍ବା ପଚରାଉଚରା ବେଳେ ଯଥେଷ୍ଟ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି। ଥାନାସ୍ତରରେ ପର୍ଯ୍ୟାପ୍ତ ପିପିଇ, ଫେସ୍ ସିଲଡ ଏବଂ ସାନିଟାଇଜର ଯୋଗାଣ କ୍ଷେତ୍ରରେ ଗୁରୁତ୍ୱ ଦିଆଯିବାକୁ ଡିଜି ଜିଲ୍ଲା ଏସପିଙ୍କୁ ନିର୍ଦେଶ ଦେଇଛନ୍ତି। ଏହି ବୈଠକରେ ଏଡିଜି ମୁଖ୍ୟାଳୟ, ଆଇଜି ଆଧୁନିକୀକରଣ, ଆଇଜି ଏସସିଆରବି, ଆଇଜି ପ୍ରଭିଜନିଂ, ଆଇଜି ପର୍ସନେଲ, ଡିଆଇଜି ସ୍ୱତନ୍ତ୍ର ଗୁଇନ୍ଦା ସଂସ୍ଥା, ରେଞ୍ଜ ଆଇ, ଜିଲ୍ଲା ଏସପି, କମିସନରେଟ ଡିସିପି ପ୍ରମୁଖ ଉପସ୍ଥିତ ଥିଲେ।