ଭୁବନେଶ୍ବର/ ରାଉରକେଲା: ଓଡ଼ିଶାର ପୁଲିସ୍ ମହାନିର୍ଦେଶକ ଅଭୟ ବହୁଚର୍ଚ୍ଚିତ ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ବେଆଇନ ଗର୍ଭପାତ ମାମଲାର ତଦନ୍ତ କରିବାକୁ କ୍ରାଇମବ୍ରାଞ୍ଚକୁ ନିର୍ଦେଶ ଦେଇଥିବା ଜଣାଯାଇଛି। ଏ ସଂପର୍କରେ ନିଜେ ପୁଲିସ୍ ମହାନିର୍ଦେଶକ ନିଜର ଟୁଇଟରରେ ସୂଚନା ଦେଇଛନ୍ତି। ଇତି ମଧ୍ୟରେ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ଟିମ୍ ସୁନ୍ଦରଗଡ଼ ଗସ୍ତ କରିଛି ବୋଲି ସେ ଜଣାଇଛନ୍ତି।
I have ordered Crime Branch to take charge of investigation of Raiboga PS case no 41/2020.(Rape and Posco Act case )
Crime branch team has already left for Sundergarh.— DGP, Odisha (@DGPOdisha) June 30, 2020
ସୂଚନାଯୋଗ୍ୟ, ବର୍ତ୍ତମାନ ସାରା ରାଜ୍ୟରେ ଚର୍ଚ୍ଚିତ ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ବେଆଇନ ଗର୍ଭପାତ ମାମଲାରେ ବୀରମିତ୍ରପୁର ଥାନା ଅଧିକାରୀ ଆନନ୍ଦ ମାଝିଙ୍କୁ ନିଲମ୍ବନ କରାଯାଇଛି। ବେଆଇନ ଗର୍ଭପାତ ଓ କାର୍ଯ୍ୟରେ ଅବେହଳା କରିବା ଅଭିଯୋଗରେ ପୁଲିସ ମହାନିର୍ଦେଶକ ଅଭୟଙ୍କ ନିର୍ଦେଶ ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଶ୍ରୀ ମାଝିଙ୍କ ସ୍ଥାନରେ ସୁନ୍ଦରଗଡ ଟାଉନଥାନାର ଇନ୍ସପେକ୍ଟର ସ୍ମିତାରାଣୀ ସୁନା ବୀରମିତ୍ରପୁର ଥାନା ଅଧିକାରୀ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ନିଲମ୍ବନ ପରେ ଥାନା ଅଧିକାରୀ ଫେରାର ହୋଇଯାଇଥିବା ନେଇ ସହରରେ ଆଲୋଚନା ହେଉଛି, କିନ୍ତୁ ଏ ସଂପର୍କ ବିଧିବଦ୍ଧ ଭାବେ କିଛି ଖବର ନାହିଁ।
ଗତ ବୁଧବାର ଦିନ ଅତିରିକ୍ତ ଏସ୍ପି ରବି ନାରାୟଣ ଜେନା ଓ ଡିଏସ୍ପି ଜ୍ୟୋତ୍ସ୍ନାମୟୀ ପ୍ରଧାନ ଘଟଣାର ତଦନ୍ତ କରିବା ପରେ ତୁରନ୍ତ ପଦକ୍ଷେପ ରୂପେ ଶ୍ରୀ ମାଝିଙ୍କୁ ବୀରମିତ୍ରପୁର ଥାନାରୁ ସୁନ୍ଦରଗଡ ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଥିଲା। ଡିଏସ୍ପି ଜ୍ୟୋତ୍ସ୍ନାମୟୀ ପ୍ରଧାନ ଘଟଣାର ତଦନ୍ତ କରୁଛନ୍ତି। ତଦନ୍ତ ରିପୋର୍ଟ ମିଳିବା ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପଶ୍ଚିମାଞ୍ଚଳ ଡିଆଇଜି କବିତା ଜଲାନ କହିଥିଲେ।
ତେବେ ଦୁଷ୍କର୍ମ ବା ଗର୍ଭପାତ ମାମଲାରେ ସଂପୃକ୍ତ ଡାକ୍ତର ଓ ଅନ୍ୟମାନଙ୍କ ପାଖରେ ଆଇନର ହାତ କେବେ ପହଞ୍ଚିବ, ତା’କୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି। ସମସ୍ତ ନୀତି ନିୟମ ଅନୁଯାୟୀ ନାବାଳିକାଙ୍କ ଗର୍ଭପାତ କରାଯାଇଥିବା ଚାରିଜଣିଆ ଡାକ୍ତରୀ ଟିମ୍ ଗତକାଲି ଯେଉଁ ରିପୋର୍ଟ ଦେଇଛନ୍ତି, ତା’କୁ ନେଇ ସନ୍ଦେହ ପ୍ରକାଶ ପାଇଛି। କାରଣ ଗର୍ଭଧାରଣର ମାମଲା ରୁଜୁ ନକରି ତଥା ଶିଶୁ କଲ୍ୟାଣ କମିଟିର ଅନୁମତି ନ ନେଇ ଗର୍ଭପାତ କରା ଯାଇଥିଲା। ତେଣୁ ସେଥିରେ ଆଇନର ଉଲଂଘନ ହୋଇଥିବା ସ୍ପଷ୍ଟ ଜଣା ପଡୁଛି। କେଉଁ କାରଣରୁ ଅଭିଯୁକ୍ତ ସରକାରୀ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ବିଳମ୍ବ କରାଯାଉଛି, ତାକୁ ତୁରନ୍ତ ସ୍ପଷ୍ଟ କରାଯିବା ଉଚିତ ବୋଲି ମତ ପ୍ରକାଶ ପାଉଛି।