ଡିଜିପିଙ୍କ ବାତ୍ୟା ସମୀକ୍ଷା

ଭୁବନେଶ୍ବର : ବାତ୍ୟା ‘ୟାସ’କୁ ନେଇ ସବୁସ୍ତରରେ ପ୍ରସ୍ତୁତି ଚାଲିଥିବା ବେଳେ ଆଜି ଡିଜିପି ଅଭୟ ସମୀକ୍ଷା କରିଛନ୍ତି। ଭୁବନେଶ୍ବରସ୍ଥିତ କ୍ୟାମ୍ପ ଅଫିସ୍‌ରେ ଭିଡିଓ କନଫରେନ୍ସିଂ ଯୋଗେ ଉପକୂଳବର୍ତ୍ତୀ ଜିଲ୍ଲାର ଏସ୍‌ପି, ରେଞ୍ଜ ଡିଆଜି, ଆଇଜିଙ୍କ ସହ ଆଲୋଚନା କରିଛନ୍ତି। ବାତ୍ୟା ପ୍ରଭାବିତ ଅଞ୍ଚଳରୁ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀରେ ପହଞ୍ଚାଇବା କାର୍ଯ୍ୟ ଯେପରି ସୁରୁଖୁରୁରେ ହୋଇପାରିବ, ତାହା ଉପରେ ଗୁରୁତ୍ବ ଦିଆଯାଇଛି। ସେହିପରି ବାତ୍ୟା ପରେ ଉଦ୍ଧାର କାର୍ଯ୍ୟ, ରିଲିଫ୍ ଯୋଗାଣ କାର୍ଯ୍ୟ ସୁପରିଚାଳନା ଲାଗି କୁହାଯାଇଛି। ଉଦ୍ଧାର କାର୍ଯ୍ୟ ପାଇଁ ୬୦ଟି ଓଡ୍ରାଫ୍ ଟିମକୁ ପ୍ରଭାବିତ ହେବାକୁ ଥିବା ଜିଲ୍ଲାକୁ ପଠାଯାଇଥିବା ସୂଚନା ଦିଆଯାଇଛି। ସେମାନଙ୍କ ପାଖରେ ଗଛ କାଟିବାଠାରୁ ଆରମ୍ଭ କରି ରାସ୍ତା ସଫା ପର୍ଯ୍ୟନ୍ତ ସମସ୍ତ ଅତ୍ୟାଧୁନିକ ମେସିନ୍ ରହିଛି। ପୂର୍ବରୁ ଓଡ଼ିଶା ପୁଲିସ ପାଖରେ ବାତ୍ୟା ମୁକାବିଲାର ବହୁ ଅଭିଜ୍ଞତା ରହିଛି। ସେହି ଅଭିଜ୍ଞତାକୁ ଉପଯୋଗ କରି ଏଥର ମୁକାବିଲା କରାଯିବ ବୋଲି ଡିଜିପି ଅଭୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ପୁରୀ, ଗଞ୍ଜାମ, ବ୍ରହ୍ମପୁର ଏସପି, ଦକ୍ଷିଣାଞ୍ଚଳ ଓ କେନ୍ଦ୍ରାଞ୍ଚଳ ଡିଆଇଜି, ପୂର୍ବାଞ୍ଚଳ ଆଇଜି, ଆଇନଶୃଙ୍ଖଳା ଏଡିଜି, ମେରାଇନ୍ ଏଡିଜି, ଏଡିଜି(କମ୍ୟୁନିକେସନ) ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର