ବଡ଼ଓଷାରେ ଖାଁ ଖାଁ ଧବଳେଶ୍ବର ପୀଠ; ବିନା ଭକ୍ତରେ ବଡ଼ସିଂହାର ବେଶ; ଏଲ୍‌ଇଡି ପରଦାରେ ​ଦର୍ଶନ

କଟକ/ଆଠଗଡ :  ବଡ଼ଓଷା, ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ବରଙ୍କ ବଡ଼ ଯାତ୍ରା। ପ୍ରତିବର୍ଷ ଏହି ଉତ୍ସବ ପାଇଁ ରାଜ୍ୟର କୋଣ ଅନୁକୋଣରୁ ଲକ୍ଷାଧିକ ଭକ୍ତ ପୀଠକୁ ଆସୁଥିବା ବେଳେ ଗତ ତିନିବର୍ଷ ହେଲା ଖାଁ ଖାଁ ପୀଠ।

ଦୁଇବର୍ଷ ଧରି କୋଭିଡ୍‌ କଟକଣା ପାଇଁ ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ ରହିଥିବା ବେଳେ ଏଥର ଝୁଲାପୋଲ ଅସୁରକ୍ଷିତ ଯୋଗୁଁ ୧୪୪ଧାରା ଜାରି କରାଯାଇଥିବାରୁ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଛି। ଫଳରେ, ଆଜି ବଡ଼ଓଷାରେ ଏଲ୍‌ଇଡି ପରଦାରେ ବାବା ଧବଳେଶ୍ବରଙ୍କ ବଡ଼ସିଂହାର ବେଶ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ। ପ୍ରସିଦ୍ଧ ଗଜଭୋଗ ପ୍ରସ୍ତୁତି ଚାଲିଛି। ଅଥାର ବସିଛି, ରାତିର ତୃତୀୟ ପ୍ରହରରେ, ରାତି ପ୍ରାୟ ୩ଟାରେ ଗଜଭୋଗ ଅର୍ପଣ କରାଯିବ। ଏହାପରେ ପରେ ଗଜଭୋଗ ବିତରଣ ହେବ। ମନ୍ଦିରର ପୂଜକ ବା ନନାମାନଙ୍କ ମାଧ୍ୟମରେ ଶ୍ରଦ୍ଧାଳୁ ଗଜଭୋଗ ପାଇବେ। ଅନ୍ୟପ‌ଟେ ରବିବାର ଦିନ କେନ୍ଦୁଝର, ବାଲେଶ୍ବର ତଥା ରାଜ୍ୟର ଅନ୍ୟାନ୍ୟ ପ୍ରାନ୍ତରୁ ମାନସିକ ପୂରଣ ହୋଇଥିବା ଶ୍ରଦ୍ଧାଳୁମାନେ ଗଜ ଉଝେଇବା ପାଇଁ ଧବଳେଶ୍ବରରେ ପହଞ୍ଚିଥିଲେ ହେଁ ଠାକୁରଙ୍କୁ ସ୍ବଚକ୍ଷୁ ଦର୍ଶନରୁ ବଞ୍ଚିତ ହୋଇଛନ୍ତି। ପ୍ରଶାସନ ପକ୍ଷରୁ ଭୋର୍‌ ସାଢ଼େ ୪ଟାରୁ ଠାକୁରଙ୍କ ଦର୍ଶନର ସିଧାପ୍ରସାରଣ ଉଭୟ ଏଲ୍‌ଇଡି ଓ ୟୁ-ଟ୍ୟୁବ୍‌ ମାଧ୍ୟମରେ ଜାରି ରହିଛି।

ରବିବାର ଭୋର୍‌ ସମୟରେ ମନ୍ଦିରର ପହୁଡ଼ ଖୋଲା, ମଙ୍ଗଳ ଆଳତି, ୧୦୮ ସୁବାସିତ ଜଳରେ ସ୍ନାନ ପରେ ବାବା ଧବଳେଶ୍ବର ବଡ଼ସିଂହାର ବେଶରେ ଦର୍ଶନ ଦେଇଥିଲେ। ମନ୍ଦିର ପରିସରର ରୋଷଘରେ ମୁଖ୍ୟ ଗଜ ପ୍ରସ୍ତୁତି ହୋଇଥିବା ବେଳେ ଢିଙ୍କିକୁଟା ଚାଉଳ ଚୂନା, ମୁଗ, ନଡ଼ିଆ, ଛେନାପୁର ଦେଇ ଗୋଲମରିଚ, ଗୁଜୁରାତି ପ୍ରଭୃତି ସୁବାସିତ ଦ୍ରବ୍ୟରେ ପ୍ରସ୍ତୁତ ହୋଇଛି ଗଜଭୋଗ। ୫କିଲୋ ଚାଉଳଚୂନାରେ ପ୍ରସ୍ତୁତ ମୁଖ୍ୟ ଗଜଭୋଗ ଠାକୁରଙ୍କୁ ଅର୍ପଣ କରାଯିବା ପରେ ବ୍ରତ ରଖିଥିବା ଶ୍ରଦ୍ଧାଳୁ ଗଜଭୋଗ ପାଇବେ ଓ ବ୍ରତ ଭ‌ାଙ୍ଗି​ବେ। ମନ୍ଦିର ପୂଜକ ସମିତିର ସଭାପତି ବିଷ୍ଣୁଚରଣ ପତ୍ରୀ, ସୁଶାନ୍ତ ପତ୍ରୀ, ବଂଶୀଧର ପତ୍ରୀଙ୍କ ତତ୍ତ୍ୱାବଧାନରେ ଗଜଭୋଗ ପ୍ରସ୍ତୁତ ହେଉଛି। ଉତ୍ସବ ପାଇଁ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବାବେଳେ ଯାତ୍ରା ଅବସରରେ ଭଜନ ସମାରୋହ ମଧ୍ୟ କରାଯାଉଛି।

ସମ୍ବନ୍ଧିତ ଖବର