କଟକ/ଆଠଗଡ : ଏଲ୍‌ଇଡି ପରଦା ଓ ୟୁ-ଟ୍ୟୁବ୍‌ ମାଧ୍ୟମରେ ରାଜ୍ୟର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ବରଙ୍କ ଦର୍ଶନ ବ୍ୟବସ୍ଥା ଆରମ୍ଭ ହୋଇଛି। ପ୍ରଥମଦିନରେ ବାବା ଚନ୍ଦ୍ରଚୂଡ଼ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଝୁଲାପୋଲକୁ ଅସୁରକ୍ଷିତ ଘୋଷଣା କରି ପ୍ରଶାସନ ୧୪୪ଧାରା ଜାରି କରିଥିବାରୁ ଚଳିତବର୍ଷ ପଞ୍ଚୁକ ଓ ବଡ଼ଓଷାରେ ଧବଳେଶ୍ବର ପୀଠକୁ ଭକ୍ତଙ୍କୁ ବାରଣ କରାଯାଇଛି। ଫଳରେ, ଏଭଳି ଭର୍ଚୁଆଲ ଦର୍ଶନ ବ୍ୟବସ୍ଥା ପ୍ରଶାସନ ପକ୍ଷରୁ ଆରମ୍ଭ କରାଯାଇଥିବା ବେଳେ ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

Advertisment

ପ୍ରତିବର୍ଷ ପଞ୍ଚୁକର ପ୍ରଥମଦିନରୁ ହଜାର ହଜାର ଭକ୍ତ ପୀଠକୁ ଦର୍ଶନ ପାଇଁ ଆସିଥା’ନ୍ତି। କିନ୍ତୁ, ଆଜି ପ୍ରଥମଦିନରେ ମାତ୍ର ୫ଶହ ଭକ୍ତ ପରଦାରେ ଦର୍ଶନ କରିଥିବା ପୁଲିସ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଅନ୍ୟପଟେ ଦୂରଦୂରାନ୍ତରୁ ଆସିଥିବା କିଛି ଭକ୍ତ ନିରାଶ ହୋଇ ଫେରିଥିବା ଦେଖିବାକୁ ମିଳିଛି। ବ୍ୟବସାୟୀ, ପୂଜକ ସମସ୍ତଙ୍କ ମହଲରେ ଅସନ୍ତୋଷ ଦେଖାଦେଇଥିବାବେଳେ ରାସ୍ତାକଡ଼ରେ ଖୋଲାଯାଇଥିବା ଭୋଗ ଦୋକନୀଙ୍କ ଅବସ୍ଥା ମଧ୍ୟ ଦୟନୀୟ। ଅନେକ ବ୍ୟବସାୟୀଙ୍କର ଆଜି ଅନୁକୂଳ ବି ହୋଇନି।

ଅନ୍ୟପଟେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ୪ଟି କ୍ୟାମେରା ଖଞ୍ଜାଯାଇ ବଡ଼ ପରଦାରେ ଦର୍ଶନ ବ୍ୟବସ୍ଥା କରାଯିବା ସହ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଟ୍‌ ବ୍ୟବସ୍ଥା ମଧ୍ୟ କରାଯାଇଛି। ଧ‌ବଳେଶ୍ବର ପୀଠରୁ ଏଲ୍‌ଇଡି ପରଦା ଲାଗିଥିବା ସ୍ଥାନ ପର୍ଯ୍ୟନ୍ତ ୬୦୦ ମିଟର ଦୂର କେବୁଲ ଟଣାଯାଇଛି। ଆଜି ସକାଳ ୪ଟା ୩୦ ଆଳତୀ ଦର୍ଶନ ସହ ପରଦାରେ ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବାସହ ସଂଧ୍ୟା ସାଢେ ୬ଟାରେ ଦର୍ଶନ ପ୍ରସାରଣ ବନ୍ଦ ହୋଇଥିଲା। ସେହିସମୟରେ ଠାକୁରଙ୍କ ପହୁଡ଼ ନୀତି କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ସୂଚନା ଓ ଲୋକସଂପର୍କ ବିଭାଗର ୟୁଟ୍ୟୁବ୍ ଲିଙ୍କ୍‌ ମାଧ୍ୟମରେ ପ୍ରସାରଣ କରାଯାଇଛି।