ପୁରୀ: ଆଜି ପବିତ୍ର ବାହୁଡ଼ା ଯାତ୍ରା। ନବଦିନାତ୍ମକ ଯାତ୍ରା ସାରି ଫେରିବେ ମହାପ୍ରଭୁ । ଜନ୍ମବେଦୀରୁ ରତ୍ନ ସିଂହାସନକୁ ଯିବେ ଠାକୁର । ଏହି ଅବସରରେ ଜାରି ରହିଛି ପହଣ୍ଡି । ମା’ ସୁଭଦ୍ରାଙ୍କ ଦେବଦଳନ ରଥରେ ସ୍ଥାପନା କରିବା ପାଇଁ ସେବାୟତମାନେ ଆରମ୍ଭ କରିଛନ୍ତି ସୁଦର୍ଶନଙ୍କ ପହଣ୍ଡି ବିଜେ ନୀତି । ତେବେ ମହାପ୍ରଭୁଙ୍କୁ ଦେଖିବା ପାଇଁ ବଡଦାଣ୍ଡରେ ଭକ୍ତଙ୍କ ଭିଡ ଜମିଛି । ବଡ଼ଦାଣ୍ଡରେ ଘଣ୍ଟଘଣ୍ଟା ଓ କାହାଳୀ ନାଦରେ ପ୍ରକମ୍ପିତ ହେଉଛି। ଭୋର ୪ଟାରୁ ଠାକୁରଙ୍କ ନୀତିକାନ୍ତି ଆରମ୍ଭ ହୋଇଥିଲା। ଏହାପରେ ପହଣ୍ଡି ଆରମ୍ଭ ହୋଇଛି। ଶ୍ରୀସୁଦର୍ଶନଙ୍କ ପରେ ବଳଭଦ୍ର, ତାପରେ ସୁଭଦ୍ରା ଓ ଶେଷରେ ଜଗନ୍ନାଥ ପହଣ୍ଡି ବିଜେ କରିବେ।
ନୀଳକନ୍ଦରକୁ ବାହୁଡ଼ିବା ପାଇଁ ନୀଳାଦ୍ରିକେଶରୀ ମହାବାହୁ ପ୍ରସ୍ତୁତ ହେଲେଣି। ଏଥିପାଇଁ ଆଡ଼ପମଣ୍ଡପରେ ବନ୍ଧା ସରିଲାଣି ଚାରମାଳ। ମହାପ୍ରଭୁଙ୍କ ବାହୁଡ଼ା ପର୍ବ ଦେଖିବାକୁ ପହଞ୍ଚିସାରିଲେଣି ଭକ୍ତ। ବାଟରେ ମାଉସୀ ମା’ଙ୍କ ହାତରୁ ପୋଡ଼ପିଠା ଖାଇ, ଲକ୍ଷଲକ୍ଷ ଭକ୍ତଙ୍କ ଆରତ ଦୂର କରି ମହାବାହୁ ବାହୁଡ଼ିବେ। ମହାପ୍ରଭୁଙ୍କୁ ଶୀଘ୍ର ବାହୁଡ଼େଇ ନେବା ପାଇଁ ଚାଲିଛି ସଅଳ ନୀତିକାନ୍ତି।
ଏଥିଲାଗି ଧାଡ଼ି ପହଣ୍ଡି ଚାଲିଛି। ବାଜୁଛି ବିଜେ କାହାଳୀ ଓ ଘଣ୍ଟା। ପ୍ରଥମେ ଧାଡ଼ି ପହଣ୍ଡିରେ ଆସି ଦର୍ପଦଳନରେ ବିରାଜମାନ କରିଥିଲେ ଶ୍ରୀସୁଦର୍ଶନ। ଏହାପରେ ଶ୍ରୀ ବଳଭଦ୍ର ପହଣ୍ଡିରେ ଆସି ତାଳଧ୍ବଜ ରଥରେ ବିରାଜମାନ ହେଲେଣି। ଏହାପରେ ଦେବୀ ସୁଭଦ୍ରାଙ୍କ ପହଣ୍ଡି ବିଜେ ହୋଇଥିଲା। ତାପରେ ସେ ଦେବଦଳନରେ ବିରାଜମାନ ହେଲେ। ଏବେ କାଳିଆ ଠାକୁରଙ୍କ ଧାଡ଼ି ପହଣ୍ଡି ଚାଲିଛି।
ବାହୁଡ଼ା ଯାତ୍ରା ପାଇଁ ନିର୍ଘଣ୍ଟ ନୀତି ଅନୁଯାୟୀ, ବୁଧବାର ଭୋର୍ ୪ଟାରେ ମଙ୍ଗଳ ଆଳତି ପରେ ଅନ୍ୟାନ୍ୟ ନୀତି ବଢ଼ି ୫ଟା ୪୫ରୁ ୬ଟା ୪୫ ଭିତରେ ଗୋପାଳବଲ୍ଲଭ ଓ ସକାଳଧୂପ(ଖେଚୁଡ଼ି ଭୋଗ) ନୀତି ସମ୍ପନ୍ନ ହେବ। ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ସାଢ଼େ ୨ଟା ଭିତରେ ବାହୁଡ଼ା ପହଣ୍ଡି ଶେଷ ପରେ ସାଢ଼େ ୨ଟାରୁ ସାଢ଼େ ୩ଟା ଭିତରେ ଛେରାପହଁରା ନୀତି ଅନୁଷ୍ଠିତ ହେବ। ଅପରାହ୍ନ ୩ଟାରୁ ୪ଟା ଭିତରେ ଚାରମାଳ ଫିଟିବା ଓ ଘୋଡ଼ାଲାଗି କାର୍ଯ୍ୟ ସମ୍ପନ୍ନ ହେବ। ପରେ ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ ହେବ। ସୂଚନାଯୋଗ୍ୟ, ବାହୁଡ଼ା ଯାତ୍ରା ଶେଷ ପରେ ୨୯ ତାରିଖରେ ସୁନାବେଶ, ୩୦ରେ ଅଧରପଣା ଓ ଜୁଲାଇ ୧ରେ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ।