ଢାକା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ‘ଅନ୍ତର୍ଧ୍ୱନି’କୁ ମିଳିଲା ୨ଟି ପୁରସ୍କାର

ସ୍ୱପ୍ନା ପତି ଶ୍ରେଷ୍ଠ ଅନ୍ତର୍ଜାତୀୟ ଅଭିନେତ୍ରୀ,  ଏ.କେ ବୀର ଶ୍ରେଷ୍ଠ ଏସୀୟ ନିର୍ଦ୍ଦେଶକ 

ଭୁବନେଶ୍ବର: ୨୪ଡିସେମ୍ବରରୁ ୨୬ଡିସେମ୍ବର ଯାଏ ଢାକାଠାରେ ଆୟୋଜିତ ସିନେମେକିଙ୍ଗ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ‘ଅନ୍ତର୍ଧ୍ୱନି’କୁ ୨ଟି ପୁରସ୍କାର ମିଳିଛି | ଚଳଚ୍ଚିତ୍ରର ନାୟିକା ସ୍ୱପ୍ନା ପତି ଶ୍ରେଷ୍ଠ ଅନ୍ତର୍ଜାତୀୟ ଅଭିନେତ୍ରୀ ଭାବେ ସମ୍ମାନିତ ହୋଇଥିବା ବେଳେ ନିର୍ଦ୍ଦେଶକ ଏ.କେ ବୀରଙ୍କୁ ମିଳିଛି ଶ୍ରେଷ୍ଠ ଏସୀୟ ନିର୍ଦ୍ଦେଶକର ପୁରସ୍କାର | ଦୁଇଟି ଅନ୍ତର୍ଜାତୀୟ ପୁରସ୍କାର ହାସଲ କରି ଓଡ଼ିଆ ନିର୍ମାତା ନିର୍ଦ୍ଦେଶକଙ୍କ ଦ୍ୱାରା ପ୍ରସ୍ତୁତ ‘ଅନ୍ତର୍ଧ୍ୱନି’ ଦେଶ ପାଇଁ ଗୌରବ ଆଣିଦେଇଛି | କେଵଳ ସେତିକି ନୁହେଁ,  ୨୪ଏଫପିଏସ ନିବେଦିତ ତଥା ରାଜେଶ କୁମାର ମହାନ୍ତିଙ୍କ ପ୍ରଯୋଜିତ ଏହି ଚଳଚ୍ଚିତ୍ରଟି ସିନେମେକିଙ୍ଗ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ଉଦଘାଟନୀ ଚଳଚ୍ଚିତ୍ର ଭାବେ ପ୍ରଦର୍ଶିତ ହେବାର ସୁଯୋଗ ଓ ସୌଭାଗ୍ୟ ଲାଭ କରିଥିଲା | ଏହି ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ୭୦ଟି ଦେଶରୁ ପାଖାପାଖି ୪୦୦ଟି ଚଳଚ୍ଚିତ୍ର ଅଂଶଗ୍ରହଣ କରିଥିଲା | ଏବଂ ସେଥି ମଧ୍ୟରୁ ବାଂଲାଦେଶର ୨୮ଟି ଚଳଚ୍ଚିତ୍ର ସମେତ ୫୪ଟି ରାଷ୍ଟ୍ରର ମୋଟ ୧୫୦ଟି ଚଳଚ୍ଚିତ୍ର ପ୍ରତିଯୋଗିତା ପର୍ଯ୍ୟାୟକୁ ମନୋନୀତ ହୋଇଥିଲା | ସିନେମେକିଙ୍ଗ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ୨୦୨୦ର ଆୟୋଜକ ଥିଲେ ଢାକା ଫେଷ୍ଟିଭାଲ ଏବଂ ସିନେମେକିଙ୍ଗ  ଅନୁଷ୍ଠାନ | ସହଯୋଗୀ ଥିଲେ ମାସୁଦ ମାଂଚ ଓ ରସୁଦା ଫିଲ୍ମସ | ଫେଷ୍ଟିଭାଲ ଡିରେକ୍ଟର ଥିଲେ ମଞ୍ଜୁରୁଲ ଇସଲାମ ମେଘ |

ଜାତୀୟ ତଥା ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଓଡ଼ିଆ ନିର୍ଦ୍ଦେଶକ ଏ. କେ ବୀର ‘ଅନ୍ତର୍ଧ୍ୱନି’ର ନିର୍ଦ୍ଦେଶନା ଦେଇଥିବା ବେଳେ ପ୍ରଯୋଜନା କରିଛନ୍ତି ରାଜେଶ ମହାନ୍ତି | ୨୪ଏଫପିଏସ ଏଣ୍ଟରଟେନମେଣ୍ଟ ନିବେଦିତ ଏହି ଚଳଚ୍ଚିତ୍ରର ୯୫ପ୍ରତିଶତ ଜଙ୍ଗଲରେ ସୁଟିଂ ହୋଇଛି ଏବଂ ଜଙ୍ଗଲକୁ ଏଥିରେ ଏକ ଚରିତ୍ର ଭାବେ ଚିତ୍ରଣ କରାଯାଇଛି | ସିନେମାର ପ୍ରମୁଖ ଭୂମିକାରେ ଅଛନ୍ତି ଗୌରବ ପାସୱାଲ,  ସ୍ୱପ୍ନା ପତି ଓ ତଳବିନ୍ଦର ସିଂ | ସାଉଣ୍ଡରେ ନିହାର ରଞ୍ଜନ ସାମଲ ଥିବାବେଳେ ଅସୀମ ସିହ୍ନା ଏହାର ସମ୍ପାଦନା କରିଛନ୍ତି | ସମ୍ପୂର୍ଣ୍ଣ ପ୍ରାକୃତିକ ଆଲୁଅରେ ନିର୍ମିତ ହୋଇଛି ଏହି ସିନେମା | ଜଙ୍ଗଲ ଓ ଏହାର ପ୍ରାକୃତିକ ବାତାବରଣ କାହାଣୀର ମୁଖ୍ୟ ଆଧାର | କାହାଣୀ ଶାନ୍ତନୁ ଓ ଶାଲିନୀ ନାମକ ଦୁଇ ବନ୍ଧୁଙ୍କ ଚାରିପାଖେ କେନ୍ଦ୍ରିତ ହୋଇଛି | ଶାଲିନୀ ହଠାତ ଅନ୍ତର୍ଦ୍ଧାନ ହୋଇଯାଏ, ଆଉ ଏଇଠୁ ଆରମ୍ଭ ହୁଏ ଅନ୍ୱେଷଣର କାହାଣୀ | କାନ୍ସ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହୋଇ ‘ଅନ୍ତର୍ଧ୍ୱନି’ ଉଚ୍ଚ ପ୍ରସଂଶିତ ହୋଇଥିଲା |

ଏହା ବ୍ୟତୀତ ୱଣ୍ଡ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ,  ଅପ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ, ଗୌହାଟୀ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବା ସହ ବିଭିନ୍ନ ବିଭାଗରେ ଏକାଧିକ ପୁରସ୍କାର ଲାଭ କରିଛି | ଖୁବ ଶିଘ୍ର ଏହା ସର୍ବଭାରତୀୟ ସ୍ତରରେ ମୁକ୍ତିଲାଭ କରିବା ସହ ବର୍ଲିନ ଓ ଲୋକାର୍ଣ୍ଣ ଚଳଚ୍ଚିତ୍ର ମହୋତ୍ସବରେ ମଧ୍ୟ ପ୍ରଦର୍ଶିତ ହେବାର ଯୋଜନା ରହିଛି |

ସମ୍ବନ୍ଧିତ ଖବର